Latest Odisha News

BREAKING NEWS

ଜାଡ଼ ଭାଙ୍ଗୁଛି ହାଡ଼: ଦୁଇ ଦିନ ଶୀତରୁ ନିସ୍ତାର ନାହିଁ

ଭୁବନେଶ୍ୱର: ରାଜ୍ୟକୁ ପୁଣି ଫେରିଛି ଶୀତ । ଆଗାମୀ ଦୁଇ ଦିନ ଶୀତରୁ ନିସ୍ତାର ନାହିଁ । ଖସୁଛି ରାତିର ତାପମାତ୍ରା । ପ୍ରବଳ ଥଣ୍ଡାରେ ଥରୁଛି ଓଡ଼ିଶା । ଅଧିକାଂଶ ଜିଲ୍ଲାରେ ରାତିର ତାପମାତ୍ରା ୩-୫ ଡିଗ୍ରୀ ଯାଏ ହ୍ରାସ ପାଇଛି । ଆସନ୍ତା ୩୧ ତାରିଖ ଯାଏ ଏଭଳି ଶୀତ ଲହରି ଜାରି ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ଓଡ଼ିଶା ଭିତରକୁ ଉତ୍ତର-ପଶ୍ଚିମ ତଥା ଉତ୍ତର ଦିଗରୁ ଥଣ୍ଡା ଓ ଶୁଷ୍କ ବାୟୁ ପ୍ରବେଶ କରୁଥିବାରୁ ରାତିର ତାପମାତ୍ରା ହ୍ରାସ ପାଇଛି ।

ଆଜି ପାଇଁ କଳାହାଣ୍ଡି, କନ୍ଧମାଳ, ନୂଆପଡ଼ା, ବରଗଡ଼, ବଲାଙ୍ଗୀର, ସୋନପୁର, ବୌଦ୍ଧ, ସମ୍ବଲପୁର, ଦେବଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ଅନୁଗୋଳ ଓ କେନ୍ଦୁଝର ଜିଲ୍ଲାକୁ ଶୀତ ଲହରି ନେଇ ୟେଲୋ ଓ୍ୱାର୍ଣ୍ଣିଂ ଜାରି ହୋଇଚି । ଏସବୁ ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ଶୀତ ଲହରି ପ୍ରବ‌ାହିତ ହୋଇପାରେ । ଆସନ୍ତାକାଲି ପାଇଁ ଝାରସୁଗୁଡ଼ା, ବଲାଙ୍ଗୀର, ବରଗଡ଼, ସୋନପୁର ଓ କଳାହାଣ୍ଡି ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ଶୀତ ଲହରି ଅନୁଭୂତ ହେବ ।

୩୧ ତାରିଖରୁ ବଢ଼ିବ ରାତିର ତାପମାତ୍ରା । ଏହାପରେ ଶୀତ କମିବ । ଦିନରେ ତାପମାତ୍ରା ୨ରୁ ୩ ଡିଗ୍ରି ଯାଏ ବୃଦ୍ଧି ଘଟିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

Comments are closed, but trackbacks and pingbacks are open.