Latest Odisha News

ଆଜିଠୁ ସଂସଦର ଶୀତ ଅଧିବେଶନ, କୃଷି ଆଇନ ପ୍ରତ୍ୟାହାର ନେଇ ଆସିବ ବିଲ୍

ଦିଲ୍ଲୀ: ଆଜିଠାରୁ ଆରମ୍ଭ ହେଉଛି ସଂସଦର ଶୀତକାଳୀନ ଅଧିବେଶନ । ଡ଼ିସେମ୍ବର ୨୩ତାରିଖ ଯାଏଁ ଚାଲିବାକୁ ଥିବା ଏଥର ଶୀତ ଅଧିବେଶନରେ ବହୁ ଗୁରୁତ୍ୱପୂର୍ଣ୍ଣ ବିଲ ପାସ୍ କରିବାକୁ ଯୋଜନା ରଖିଛନ୍ତି ସରକାର । ଅଧିବେଶନରେ ରହିଛି ୨୦ଟି କାର୍ଯ୍ୟ ଦିବସ । ଚଳିତ ଅଧିବେଶନ ଆରମ୍ଭରେ ତିନି କୃଷି ଆଇନ ଉଚ୍ଛେଦ ବିଲ୍, କ୍ରିପ୍ଟୋ କରେନ୍ସି ନିୟନ୍ତ୍ରଣ ବିଲ୍ ପାସ୍ କରାଇବା ଲାଗି ସରକାର ଯୋଜନା ରଖିଛନ୍ତି ।

କୃଷି ଆଇନ୍ ଉଚ୍ଛେଦ ବିଲ ଆଜି ଲୋକସଭାରେ ଉପସ୍ଥାପିତ ହୋଇପାରେ । ଲୋକସଭାରେ ପାରିତ ହେବା ପରେ ଏହାକୁ ରାଜ୍ୟସଭାରେ ଉପସ୍ଥାପନ କରାଯିବ । ଶୀତକାଳୀନ ଅଧିବେଶନକୁ ସୁରଖୁରରୁ ଚଳାଇବା ଲାଗି ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କିଆ ନାଇଡ଼ୁଙ୍କ ଅଧ୍ୟକ୍ଷତାରେ ଗତକାଲି ଏକ ସର୍ବଦଳୀୟ ବୈଠକ ବସିଥିଲା ।

ବିଜେପି ସହ ଅନ୍ୟ ଦଳ ମଧ୍ୟ ସାଂସଦଙ୍କୁ ସଂସଦରେ ଉପସ୍ଥିତ ରହିବା ପାଇଁ ହ୍ୱିପ୍ ଜାରି କରିଛନ୍ତି । ଦରବୃଦ୍ଧି, ପେଗାସସ୍ ସହ ଚାଷୀ ଆନ୍ଦୋଳନବେଳେ ମୃତ ଚାଷୀଙ୍କ ପରିବାରକୁ କ୍ଷତି ପୂରଣ ଦାବି ଉଠାଇବେ ବିରୋଧୀ । ସୀମାରେ ଚୀନର ହରକତକୁ ନେଇ ମଧ୍ୟ ବିରୋଧୀ ସରକାରଙ୍କୁ ଘେରିବେ । ସରକାର ମଧ୍ୟ ବିରୋଧୀଙ୍କୁ ଜବାବ ଦେବାକୁ ପ୍ରସ୍ତୁତ ହୋଇଛି । ଓଡ଼ିଶାର ଆଇନଶୃଙ୍ଖଳା ବ୍ୟବସ୍ଥା, କୋଟିଆ ଏବଂ ମମିତା ମେହେର ହତ୍ୟା ମାମଲା ଭଳି ସମ୍ବେଦନଶୀଳ ପ୍ରସଙ୍ଗ ମଧ୍ୟ ଉଠାଇବାକୁ କଂଗ୍ରେସ ସାଂସଦ ଅଣ୍ଟା ଭିଡ଼ିଛନ୍ତି । ସେପଟେ ରାଜ୍ୟସଭା ବିରୋଧୀ ଦଳ ନେତା ମଲିକାର୍ଜୁନ ଖଡ଼ଗେ ବିରୋଧୀ ଦଳମାନଙ୍କର ବୈଠକ ଆଜି ପୂର୍ବାହ୍ନରେ ଡ଼ାକିଛନ୍ତି ।

Leave A Reply

Your email address will not be published.