Latest Odisha News

BREAKING NEWS

୪୩.୫ ଡିଗ୍ରୀ ସହ ବାରିପଦା ସବୁଠୁ ଉତ୍ତପ୍ତ ସହର, ଆଉ ୨ ଦିନ ବଢ଼ିବ ତାତି

ଭୁବନେଶ୍ୱର: ଅସହ୍ୟ ଖରାରେ ସିଝୁଛି ଓଡ଼ିଶା । ଆଜି ରାଜ୍ୟର ୨୫ଟି ସ୍ଥାନରେ ପାରଦ ୪୦ ଡିଗ୍ରୀ ଉପରେ ରହିଛି । ୪୩.୫ ଡିଗ୍ରୀ ସହ ରାଜ୍ୟର ଉତ୍ତପ୍ତ ସହର ପାଲଟିଛି ବାରିପଦା । ବାରିପଦାକୁ ବାଦ ଦେଲେ ୮ଟି ସ୍ଥାନରେ ପାରଦ ଆଜି ୪୨ ଡିଗ୍ରୀ ଉପରେ ରହିଛି । ଦିନ ୧୦ଟା ପରେ ପଦାକୁ ବାହାରିବା ସମ୍ଭବ ହେଉ ନଥିବା ବେଳେ ସୂର୍ଯ୍ୟାସ୍ତ ପରେ ବି ଲାଗି ରହୁଛି ଝାଞ୍ଜି ପବନ ।

ଆଜି ଅନୁଗୁଳ, ବୌଦ୍ଧ ଓ ସୋନପୁରର ସର୍ବୋଚ୍ଚ ତାପମାତ୍ରା ୪୨.୫ ଡିଗ୍ରୀ ଥିବା ବେଳେ ଟିଟିଲାଗଡ଼ରେ ୪୨.୨ ଡିଗ୍ରୀ ଏବଂ ତାଳଚେର, ଭବାନୀପାଟଣା ଓ ବଲାଙ୍ଗିରରେ ପାରଦ ୪୨ ଡିଗ୍ରୀ ରେକର୍ଡ ହୋଇଛି । ଚାନ୍ଦବାଲିରେ ପାରଦ ୪୧.୩ ଡିଗ୍ରୀ, କଟକରେ ୪୧.୪ ଡିଗ୍ରୀ, ଝାରସୁଗୁଡ଼ାରେ ୪୧.୮ ଡିଗ୍ରୀ, ସମ୍ବଲପୁରରେ ୪୧.୬ ଡିଗ୍ରୀ, ସୁନ୍ଦରଗଡ଼ରେ, ଭଦ୍ରକ ଓ ରାଉରକେଲାରେ ୪୧ ଡିଗ୍ରୀ ରହିଛି ।

ଭୁବନେଶ୍ୱରର ତାପମାତ୍ରା ୪୦.୮ ଡିଗ୍ରୀ ରେକର୍ଡ ହୋଇଛି । ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଆଉ ୨ ଦିନ ଅସହ୍ୟ ଗ୍ରୀଷ୍ମ ପ୍ରବାହ ହେବ । ୨ ଦିନ ମଧ୍ୟରେ ସର୍ବୋଚ୍ଚ ତାପମାତ୍ରା ୩ ଡିଗ୍ରୀ ଯାଏ ବଢ଼ିବା ସହ ବିଭିନ୍ନ ସ୍ଥାନର ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିବ ।

ହିଟ୍ ୱେଭ ନେଇ ୧୪ ତାରିଖ ପାଇଁ ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ସମ୍ବଲପୁର, ଦେବଗଡ଼, ଅନୁଗୁଳକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ସେହିଭଳି ୧୫ ତାରିଖରେ ହିଟ୍ ୱେଭ୍ ନେଇ ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ସୋନପୁର ଓ ବୌଦ୍ଧ ଜିଲ୍ଲାକୁ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ ।

୧୬ ତାରିଖରୁ କିଛି ଜିଲ୍ଲାରେ ଘଡ଼ଘଡ଼ି ବର୍ଷା ସମ୍ଭାବନା ଥିବାରୁ ତାପମାତ୍ରା କିଛିଟା କମିବାର ସମ୍ଭାବନା ରହିଛି ।

Leave A Reply

Your email address will not be published.