Latest Odisha News

BREAKING NEWS

କର୍ଣ୍ଣାଟକ ନିର୍ବାଚନ, ବିଜେପିକୁ ହରାଇବେ ବିଜେପି ନେତା !

ଭୁବନେଶ୍ୱର: କର୍ଣ୍ଣାଟକ ବିଜେପିରେ ବିଦ୍ରୋହ ବ୍ୟାପକ ହେବାରେ ଲାଗିଛି। ଜଣଙ୍କ ପରେ ଜଣେ ନେତା ଦଳ ବିରୋଧରେ ଖୋଲାଖୋଲି ମନ୍ତବ୍ୟ ଦେବା ସହ ଦଳ ଛାଡୁଥିବା ଦେଖାଯାଇଛି।

BjdElectrycity

ବହୁ ବିଚାରବିମର୍ଶ ପରେ ଦଳ ପ୍ରଥମ ପର୍ଯ୍ୟାୟ ଟିକେଟ ଘୋଷଣା କରିଛି। ଏପରିକି ବହୁ ନୂଆ ଚେହେରାକୁ ଏଥର ନିର୍ବାଚନରେ ଦଳ ରଣାଙ୍ଗନକୁ ଓଲ୍ହାଇଛି। ବହୁ ବରିଷ୍ଠଙ୍କୁ ସକ୍ରିୟ ରାଜନୀତିରୁ ଓହରିବାକୁ କୁହାଯିବା ସହ କିଛି ବରିଷ୍ଠ କଥା ମାନିଛନ୍ତି। କିନ୍ତୁ ବହୁ ବରିଷ୍ଠ ଦଳର ଏହି ନିଷ୍ପତ୍ତିକୁ ଜୋରଦାର ବିରୋଧ କରୁଛନ୍ତି।

ଖୋଦ ବିଜେପିର ହେଭିୱେଟ ୟେଦୁରପ୍ପାଙ୍କୁ ସକ୍ରିୟ ରାଜନୀତିରୁ ଦୁରେଇ ରଖାଯାଇଥିବାବେଳେ ତାଙ୍କୁ ଦଳ ଉଚିତ ସମ୍ମାନ ମଧ୍ୟ ଦେଉନାହିଁ ବୋଲି ଆଲୋଚନା ହେଉଛି। ଏପରିକି ୟେଦୁରପ୍ପାଙ୍କ ବହୁ ସମର୍ଥକଙ୍କୁ ମଧ୍ୟ ଟିକେଟ ମିଳିନାହିଁ। ଯାହାକୁ ନେଇ ଦଳର ବରିଷ୍ଠ ନେତା ଲକ୍ଷ୍ମଣ ସାବାଡି ଦଳ ଛାଡିଛନ୍ତି। ଲକ୍ଷ୍ମଣ ହେଉଛନ୍ତି ପୂର୍ବତନ ବିଏସ୍‌ ୟେଦୁରପ୍ପାଙ୍କ ଅତ୍ୟନ୍ତ ବିଶ୍ୱସ୍ତ।

କର୍ଣ୍ଣାଟକର ଉପମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିବା ଲକ୍ଷ୍ମଣ ଏଥର ପୁଣି ସମାନ ଆସନରୁ ଦଳର ଟିକେଟ ପାଇବେ ବୋଲି ଆଶା କରିଥିଲେ। କିନ୍ତୁ ତାଙ୍କୁ ନିରାଶ ହେବାକୁ ପଡ଼ିଛି। ସେପଟେ ବହୁ ବରିଷ୍ଠ ନେତାଙ୍କ ଇଚ୍ଛା ବିରୋଧରେ ଦଳ ଚାପ ପ୍ରୟୋଗ କରି ସେମାନଙ୍କୁ ଅବସର ନେବାକୁ କହିବା ଓ ଟିକେଟ ନ ଦେବା ଅସମ୍ମାନ ବୋଲି ଖୋଲାଖୋଲି ଭାବେ ବରିଷ୍ଠ ନେତାମାନେ କହିଛନ୍ତି।

ଏପରିକି ବିଜେପିର ଦକ୍ଷିଣ ବେଙ୍ଗାଲୁରୁ ସଭାପତି ଏନ ଆର ରମେଶଙ୍କୁ ଟିକେଟ ନ ମିଳିବାରୁ ତାଙ୍କର ୧୨୦୦ ରୁ ଅଧିକ ସମର୍ଥକ ସମୂହ ଇସ୍ତଫା ଦେଇଛନ୍ତି। ଏପରିକି ଟିକେଟ ପାଇ ନ ଥିବା କିଛି ନେତାଙ୍କ ସମର୍ଥକ ମାନେ ଖୋଲା ବିଦ୍ରୋହ କରୁଥିବା ଦେଖିବାକୁ ମିଳିଛି। ଯାହାକୁ ନେଇ ଅଡୁଆରେ ପଡିଛି ଦଳ। ଏପରିକି କଂଗ୍ରେସ ଓ ଜେଡିଏସ ମଧ୍ୟ ଏଭଳି ସ୍ଥିତିର ଭରପୁର ଫାଇଦା ନେବାକୁ ଯୋଜନା କରିଛନ୍ତି।

ବିଦ୍ରୋହର ସମ୍ମୁଖୀନ ହେଉଥିବା ବିଜେପି କିନ୍ତୁ ଆଉ ଏକ ବଡ଼ ଚାଲ ଖେଳିଛି। କଂଗ୍ରେସ ସପକ୍ଷରେ ହାୱା ବହୁଥିବା କୁହାଯାଉଥିବାରୁ ଦଳର ହେଭିୱେଟ ଡି କେ ଶିବକୁମାର ଓ ସିଦ୍ଧରମେୟାଙ୍କ ବିରୋଧରେ ବିଜେପି ଦମଦାର ନେତାଙ୍କୁ ପ୍ରାର୍ଥୀ କରିଛି। କଂଗ୍ରେସର ଉଭୟ ନେତା ଯେପରିକି ନିଜ ନିର୍ବାଚନମଣ୍ଡଳୀ ଛାଡି ଅନ୍ୟଆଡ଼େ ଫୋକସ ନ କରିପାରିବେ ସେ ନେଇ ବିଜେପି ଏଭଳି ଯୋଜନା କରିଥିବା କୁହାଯାଉଛି।

କିନ୍ତୁ କର୍ଣ୍ଣାଟକ ନିର୍ବାଚନ ବିଜେପି ପାଇଁ ଯେତିକି ମୁଣ୍ଡବିନ୍ଧାର କାରଣ ହୋଇଛି ଅନ୍ୟ ରାଜ୍ୟରେ ବିଜେପିକୁ ଏତେ ବ୍ୟସ୍ତବିବ୍ରତ ହେବା ଦେଖିବାକୁ ମିଳି ନ ଥିଲା। ଏପରିକି ଏତେ ସଂଖ୍ୟକ ନେତା ଦଳ ଛାଡିବା ଦଳ ବିରୋଧରେ ବିଦ୍ରୋହ କରିବା ଦେଖିବାକୁ ମିଳି ନ ଥିଲା। ଯାହାକି ଏବେ ହେଉଛି। ତେଣୁ ଆଗକୁ ଏହା ବିଜେପି ଉପରେ କିଭଳି ପ୍ରତିକୂଳ ପ୍ରଭାବ ପକାଉଛି ଓ କଂଗ୍ରେସ ଏହାର କେତେ ଫାଇଦା ନେଇପାରୁଛି ତା ଉପରେ ନଜର।

Leave A Reply

Your email address will not be published.