ଭଦ୍ରକ: ଦମ୍ପତ୍ତିଙ୍କ ଝଗଡାରେ ମହିଳା କନେଷ୍ଟବଳଙ୍କ ଏଣ୍ଟ୍ରି କାରଣରୁ ତୁମୁଳକାଣ୍ଡ । ମହିଳା କନେଷ୍ଟବଳଙ୍କୁ ମଦ୍ୟପ ଯୁବକ ମାଡ଼ ମାରିଥିବା ଅଭିଯୋଗ । ଏହାପରେ ସଂପୃକ୍ତ ଯୁବକଙ୍କୁ ଥାନାକୁ ଆଣି ପୋଲିସ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ କରିଛନ୍ତି ମାଡ଼ ଖାଇଥିବା ଯୁବକଙ୍କ ସ୍ତ୍ରୀ। । ଭଦ୍ରକ ଜିଲ୍ଲା ପୋଲିସ ନାଁରେ ଆସିଛି ଏମିତି ଅଭିଯୋଗ । ଭଦ୍ରକ ଟାଉନ ଥାନାରେ ଯୁବକଙ୍କୁ ଥାର୍ଡ଼ ଡିଗ୍ରୀ ହୋଇଥିବା ନେଇ ଅଭିଯୋଗ ହୋଇଛି ।
ମିଳିଥିବା ସୂଚନା ଅନୁସାରେ, ଗତ ୫ ତାରିଖ ମଧ୍ୟାହ୍ନ ୨ଟାରେ ଭଦ୍ରକ ସହରାଞ୍ଚଳ ଥାନା ଅଧୀନ ମୋଟେଲ ଛକ ନିକଟରେ ଜୀବନ ଜେନା ମାତ୍ରାଧିକ ମଦ୍ୟପାନ କରି ସ୍ତ୍ରୀ ସହ ବିଚ୍ ରାସ୍ତାରେ ପାଟିତୁଣ୍ଡ କରୁଥିଲେ । ଏହି ସମୟରେ ଜଣେ ମହିଳା କନେଷ୍ଟବଳ ଝଗଡା ସମାଧାନ କରିବାକୁ ଚେଷ୍ଟା କଲା ବେଳେ ଜୀବନ ତାଙ୍କୁ ଧକ୍କା ଦେବା ସହ ମାଡ ମାରିଥିଲେ। ପରେ ପିସିଆର ଘଟଣା ସ୍ଥଳରେ ପହଞ୍ଚି ଜୀବନଙ୍କୁ ଥାନାକୁ ଆଣିଥିଲା। ତେବେ ଥାନାରେ ଜୀବନଙ୍କୁ ପୋଲିସ ଥାର୍ଡ଼ ଡିଗ୍ରୀ ଦେଇଥିବା ତାଙ୍କ ସ୍ତ୍ରୀ ଅଭିଯୋଗ କରିଛନ୍ତି। ଜୀବନଙ୍କ ଦେହ ସାରା ମାଡ ମରାଯିବାର ଦାଗ ଦେଖିବାକୁ ମିଳିଛି। ପୋଲିସ ଜୀବନଙ୍କୁ ଥାନାକୁ ଆଣିଥିବା ବେଳେ ପର ଦିନ ଭଦ୍ରକ ମେଡିକାଲରେ ଭର୍ତ୍ତି କରିଥିଲା । ତାଙ୍କ ସମ୍ପର୍କୀୟ ମାନେ ମେଡିକାଲରେ ଜୀବନଙ୍କୁ ଦେଖା କରିବା ପାଇଁ ଆସିଥିବା ବେଳେ ଦେହ ସାରା ମାଡ ଚିହ୍ନ ଥିବା ଦେଖିଥିଲେ ।
ପରେ ତରବରିଆ ଭାବେ ଭଦ୍ରକ ସହରାଞ୍ଚଳ ପୋଲିସ ଜୀବନଙ୍କୁ ମେଡିକାଲରୁ ରାତି ଅଧରେ କୋର୍ଟ ଚାଲାଣ କରିଥିଲା । ଜୀବନଙ୍କ ସ୍ତ୍ରୀ ପୋଲିସ ଷ୍ଟେସନରେ ସ୍ବାମୀଙ୍କୁ ଥାର୍ଡ ଡିଗ୍ରୀ ଦେବା ନେଇ ଅଭିଯୋଗ ଆଣିଛନ୍ତି । କିନ୍ତୁ ଘଟଣାକୁ ନେଇ ପୋଲିସ ତରଫରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ। । ଅନ୍ୟପଟେ ଜୀବନ ଥାନାରେ ଥିବା ସମୟରେ ପ୍ରଥମେ ପରିବାର ଲୋକ ତାଙ୍କୁ ଭେଟିବାକୁ ଯାଇଥିଲେ । ପ୍ରଥମ ଥର ଭେଟିବାକୁ ଦିଆଯାଇଥିଲେ ମଧ୍ୟ ଦ୍ବିତୀୟ ଥର ଭେଟିବାକୁ ପୋଲିସ ଅନୁମତି ଦେଇ ନ ଥିଲା ବୋଲି ଜୀବନଙ୍କ ସ୍ତ୍ରୀ ଅଭିଯୋଗ କରିଛନ୍ତି ।
Comments are closed.