Latest Odisha News

ମହଙ୍ଗା ପଡିଲା ମାଛଧରା, ଝାମ୍ପିନେଲା କୁମ୍ଭୀର

କେନ୍ଦ୍ରାପଡା: ରାଜନଗରର ଭିତରକନିକା ଜାତୀୟ ଉଦ୍ୟାନ ନଦୀରେ କୁମ୍ଭୀର ଆତଙ୍କ । ମହିଷାମୁଣ୍ଡା ଫରେଷ୍ଟ ବ୍ଲକ ନଦୀରେ ଜଣେ ମହିଳାଙ୍କୁ କୁମ୍ଭୀର ଟାଣିନେଇଥିବା ସୂଚନା ମିଳିଛି । ମାଛ ଧରିବାକୁ ଯାଇଥିବା ମହିଳାଙ୍କ ଖଣ୍ଡବିଖଣ୍ଡିତ ଶରୀର ଉଦ୍ଧାର ହୋଇଛି ।

ମିଳିଥିବା ରିପୋର୍ଟ ଅନୁଯାୟୀ ସ୍ଥାନୀୟ ଭେକ୍ଟା ଗାଁର ଉମାରାଣୀ ପରିଡା ମାଛ ଧରିବାକୁ ନଦୀ ପାର ହେଉଥିବାବେଳେ ତାଙ୍କୁ ଏକ କୁମ୍ଭୀର ପାଣି ଭିତରକୁ ଟାଣିନେଇଥିଲା । ଖବର ପାଇ ଗାଁ ଲୋକେ ଓ ବନବିଭାଗ ମିଳିତ ଭାବେ ମହିଳାଙ୍କୁ ଖୋଜାଖୋଜି କରିଥିଲେ । ହେଲେ ଜୀବିତ ନୁହେଁ ବରଂ ମହିଳାଙ୍କ ମେରୁଦଣ୍ଡ, ଖଣ୍ଡବିଖଣ୍ଡିତ ମାଂସ ଓ ପିନ୍ଧିଥିବା ଲୁଗା ବନବିଭାଗକୁ ମିଳିଥିଲା ।

ଭିତରକନିକା ଜାତୀୟ ଉଦ୍ୟାନ ବଉଳା କୁମ୍ଭୀରଙ୍କ ଏନ୍ତୁଡିଶାଳ ବୋଲି କୁହାଯାଇଥାଏ । ଖାସ କରି ମେ’ ମାସରେ କୁମ୍ଭୀରମାନେ ପ୍ରଜନନ କରିଥାନ୍ତି । ଏହି ସମୟରେ ମାଇ କୁମ୍ଭୀରମାନେ ଅଧିକ ହିଂସ୍ର ପାଲଟିଥାନ୍ତି । ସେଥିପାଇଁ ନଦୀ ଆଖପାଖରେ ଥିବା ଗାଁଗୁଡିକରେ ଏଭଳି ଅଭାବନୀୟ ଘଟଣା ଅନେକଥର ସାମ୍ନାକୁ ଆସିଥାଏ । ଅନ୍ୟପଟେ ବନବିଭାଗର ପେଟ୍ରୋଲିଂକୁ ଦୋଷ ଦେଇଛନ୍ତି ସ୍ଥାନୀୟ ଲୋକେ । ବିପଦଜନକ ଅଂଚଳରେ ପେଟ୍ରୋଲିଂ ହେଉନଥିବାରୁ ଏଭଳି ଘଟଣାକୁ ରୋକାଯାଇପାରୁନଥିବା ଅଭିଯୋଗ ହୋଇଛି ।

Leave A Reply

Your email address will not be published.