Latest Odisha News

BREAKING NEWS

ହତ୍ୟା ଘଟଣାର ପର୍ଦ୍ଦାଫାଶ;ମଙ୍ଗଳସୂତ୍ର ବନ୍ଧା ପକାଇ କିଣିଲେ ବନ୍ଧୁକ… ପ୍ରେମିକ ସହ ମିଶି ସ୍ୱାମୀକୁ ଗୁଳି କରିଦେଲେ

ବିନିକା:ମଙ୍ଗଳସୂତ୍ର ବନ୍ଧା ପକାଇ ବନ୍ଧୁକ କିଣିଲେ, ଆଉ ପ୍ରେମିକ ସାହାଯ୍ୟରେ ରାସ୍ତାରୁ ସ୍ୱାମୀକୁ ସଫା କରିଦେଲେ । ଦୁଇଦିନ ତଳେ ସୁବର୍ଣ୍ଣପୁର ସାଲେପାଲି-ଆଇଁଲାସାରୀ ରାସ୍ତାର ପଙ୍କେଲ ଛକ ନିକଟବର୍ତ୍ତୀ ଅଞ୍ଚଳରେ ଜଣେ ଯୁବକଙ୍କୁ ଗୁଳି ମାରି ହତ୍ୟା ଘଟଣାର ଆଜି ପୋଲିସ ପର୍ଦ୍ଦାଫାଶ କରିଛି । ଏହି ମାମଲାରେ ସୁବର୍ଣ୍ଣପୁର ପୋଲିସ ସ୍ତ୍ରୀ ସମେତ ତିନିଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଏବଂ ସେମାନଙ୍କଠାରୁ ଘଟଣାରେ ବ୍ୟବହୃତ ହୋଇଥିବା ଗୋଟିଏ ଦେଶୀ ପିସ୍ତଲ ଓ ମୃତକଙ୍କ ମୋବାଇଲ ଫୋନ ସହ ୫ଟି ମୋବାଇଲ ଫୋନ ଏବଂ ଦୁଇଟି ମୋଟରସାଇକେଲ ଜବତ କରାଯାଇଛି ।

ଖବରମୁତାବକ, ବ୍ରାହ୍ମଣୀପାଲି ଗାଁର ସୁଦାମ ନାଗଙ୍କୁ ବିଚ୍ ରାସ୍ତାରେ ଗୁଳି କରି କରାଯାଇଥିଲା ହତ୍ୟା । ଗତ ୧୭ ତାରିଖ ରାତିରେ ଘଟିଥିବା ଏହି ହତ୍ୟା ଘଟଣାର ପର୍ଦ୍ଦାଫାଶ କରିଛି ସୁବର୍ଣ୍ଣପୁର ପୋଲିସ। ହତ୍ୟାକାଣ୍ଡ ପରେ ନିଜକୁ ଆଇନଗତ ଦଣ୍ଡରୁ ବଞ୍ଚାଇବା ଉଦ୍ଦେଶ୍ୟରେ ମୃତକଙ୍କ ସ୍ତ୍ରୀ କବିତା ନାଗ ଥାନାରେ ଏକ ମିଥ୍ୟା ଅଭିଯୋଗ ଦାଖଲ କରି ଜଣେ ଅଜଣା ବ୍ୟକ୍ତି ତାଙ୍କ ସ୍ୱାମୀଙ୍କୁ ହତ୍ୟା କରିଥିବା ଦର୍ଶାଇଥିବା ତଦନ୍ତରୁ ଜଣାପଡ଼ିଛି ।

ପୋଲିସର ସୂଚନା ମୁତାବକ ୧୭ ତାରିଖରେ ଅଭିଯୋଗକାରିଣୀ କବିତା ନାଗ ଅଭିଯୋଗ କରିଥିଲେ ଯେ ତାଙ୍କ ସ୍ୱାମୀଙ୍କୁ ଜଣେ ଅଜଣା ବ୍ୟକ୍ତି ହତ୍ୟା କରିଛନ୍ତି | ଏହାପରେ ପୋଲିସ ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ତଦନ୍ତ କରିଥିଲା। ତଦନ୍ତ ସମୟରେ ସାକ୍ଷୀମାନଙ୍କ ବୟାନ, ବୈଷୟିକ ତଥ୍ୟର ବିଶ୍ଳେଷଣ ଏବଂ ନିର୍ଭରଯୋଗ୍ୟ ଗୁଇନ୍ଦା ସୂଚନା ଆଧାରରେ ଅଭିଯୁକ୍ତ ତ୍ରିଲୋଚନ ଓରଫ୍ ଟିଙ୍କୁ ଓରଫ୍ ଟିକେଚାନ୍ଦ ବାଗଙ୍କ ସମ୍ପୃକ୍ତି ସାମ୍ନାକୁ ଆସିଥିଲା। ଏହାପରେ ପୋଲିସ ଚଢ଼ାଉ କରି ତାଙ୍କୁ ଗିରଫ କରିଥିଲା । ତଦନ୍ତରୁ ଜଣାପଡ଼ିଥିଲା ଯେ, ତ୍ରିଲୋଚନ ବାଗଙ୍କ ସହିତ ମୃତକ ସୁଦାମ ନାଗଙ୍କ ପତ୍ନୀ କବିତା ନାଗଙ୍କର ପ୍ରାୟ ଏକ ବର୍ଷ ଧରି ଅନୈତିକ ସମ୍ପର୍କ ରହିଥିଲା। ଏଥିସହିତ ସହ ଅଭିଯୁକ୍ତ ଯୁବରାଜ ସାହୁଙ୍କ ସହିତ ମଧ୍ୟ କବିତା ନାଗଙ୍କର ପ୍ରାୟ ୧୨ ବର୍ଷ ଧରି ସମ୍ପର୍କ ରହିଥିବା ଜଣାପଡ଼ିଥିଲା।

ସୁଦାମ ନାଗ ତ୍ରିଲୋଚନଙ୍କ ସହିତ ତାଙ୍କ ପତ୍ନୀଙ୍କ ସମ୍ପର୍କ ବିଷୟରେ ଜାଣିବା ପରେ ତ୍ରିଲୋଚନଙ୍କୁ ତାଙ୍କ ଘରକୁ ଆସିବା ଓ ତାଙ୍କ ସହିତ ଯୋଗାଯୋଗ କରିବାକୁ କଡ଼ା ଭାବେ ବାରଣ କରିଥିଲେ । ଏହାକୁ କେନ୍ଦ୍ର କରି ସୁଦାମ ନାଗଙ୍କୁ ହତ୍ୟା କରିବା ପାଇଁ ତ୍ରିଲୋଚନ ବାଗ, ଯୁବରାଜ ସାହୁ ଏବଂ କବିତା ନାଗ ମିଳିତ ଭାବେ ଏକ ଅପରାଧିକ ଷଡ଼ଯନ୍ତ୍ର ରଚିଥିବା ତଦନ୍ତରୁ ଜଣାପଡ଼ିଛି। ଉକ୍ତ ଷଡ଼ଯନ୍ତ୍ରକୁ କାର୍ଯ୍ୟକାରୀ କରିବା ନିମନ୍ତେ କବିତା ନାଗ ନିଜର ସୁନା ମଙ୍ଗଳସୂତ୍ର ତ୍ରିଲୋଚନ ବାଗଙ୍କୁ ଦେଇଥିଲେ। ତ୍ରିଲୋଚନ ଏହାକୁ ଜୈନିକ ବଣିଆଙ୍କ ନିକଟରେ ୪୫,୦୦୦/- ଟଙ୍କାରେ ବନ୍ଧକ ରଖିଥିଲେ। ପରବର୍ତ୍ତୀ ସମୟରେ ତ୍ରିଲୋଚନ ନାଗ ରାଉରକେଲାର ଜଣେ ବ୍ୟକ୍ତିଙ୍କ ଠାରୁ ଏକ ଦେଶୀ ପିସ୍ତଲ ଏବଂ କିଛି ଗୁଳି କ୍ରୟ କରିଥିଲେ। ଏଥିପାଇଁ ଫୋନ୍ ପେ ଓ ନଗଦ ଟଙ୍କା ମାଧ୍ୟମରେ ଅତିରିକ୍ତ ଅର୍ଥ ପୈଠ କରିଥିଲେ ।

ଏହାପରେ ୧୭ ତାରିଖ ସୁଦାମ ନାଗ ନିଜର ମରାମତି ହୋଇଥିବା ମୋଟରସାଇକେଲ ଆଣିବା ପାଇଁ ଡୁଙ୍ଗୁରିପାଲିସ୍ଥିତ ପଠାନ ଗ୍ୟାରେଜକୁ ଯାଇଥିଲେ। ସେହି ସମୟରେ ଯୁବରାଜ ସାହୁ ଫୋନ୍ କଲ୍ ମାଧ୍ୟମରେ ସୁଦାମଙ୍କ ଅବସ୍ଥିତି ସମ୍ପର୍କରେ ତଥ୍ୟ ସଂଗ୍ରହ କରି କବିତା ନାଗଙ୍କୁ ଜଣାଉଥିଲେ । କବିତା ନାଗ ହ୍ୱାଟ୍ସଆପ୍ କଲ୍ ମାଧ୍ୟମରେ ତ୍ରିଲୋଚନ ବାଗଙ୍କ ସହିତ ନିରନ୍ତର ଯୋଗାଯୋଗରେ ରହି ସୁଦାମଙ୍କ ଅବସ୍ଥିତି ସମ୍ପର୍କିତ ସୂଚନା ତାଙ୍କୁ ପ୍ରଦାନ କରୁଥିଲେ । ଏହି ସୂଚନା ଆଧାରରେ ତ୍ରିଲୋଚନ ବାଗ ସାଲେପାଲି-ଆଇଁଲାସାରୀ ରାସ୍ତାର ପଙ୍କେଲ ଛକ ନିକଟରେ ସୁଦାମ ନାଗଙ୍କୁ ତାଙ୍କ ମୋଟରସାଇକେଲରେ ଯାଉଥିବା ସମୟରେ ଅଟକାଇ ଦେଶୀ ପିସ୍ତଲରୁ ପ୍ରଥମ ୨ ରାଉଣ୍ଡ ଗୁଳି ଚଳାଇଥିଲେ । ପ୍ରଥମେ ଦୁଇ ରାଉଣ୍ଡ ଏବଂ ସୁଦାମ ତଳେ ପଡ଼ିଯିବା ପରେ ଅତି ନିକଟରୁ ଆଉ ଦୁଇ ରାଉଣ୍ଡ ଗୁଳି ଚଳାଇଥିଲେ । ଫଳରେ ସୁଦାମ ନାଗଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା ।

Leave A Reply

Your email address will not be published.