Latest Odisha News

BREAKING NEWS

ଥାନା ସମ୍ମୁଖରେ କୀଟନାଶକ ପିଇଦେଲେ ମହିଳା

ବ୍ରହ୍ମପୁର: ଥାନାକୁ ଘରୋଇ ହିଂସା ନେଇ ଅଭିଯୋଗ କରିବାକୁ ଆସିଥିବା ଜଣେ ମହିଳା ଥାନା ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଗଞ୍ଜାମ ଜିଲାର ଗୋପାଳପୁର ଥାନା ସମ୍ମୁଖରେ ଶୁକ୍ରବାର ସନ୍ଧ୍ୟାରେ ଏଭଳି ଅଭାବନୀୟ ଘଟଣା ଘଟିଛି । ସଂପୃକ୍ତ ମହିଳାଙ୍କୁ ଉଦ୍ଧାର ପରେ ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଏବଂ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ମହିଳା ଜଣକ ମାଣ୍ଡିଆପଲ୍ଲୀ ଜ୍ୟୋତି ନଗରର ସୁକାନ୍ତ ଦାସଙ୍କ ସ୍ତ୍ରୀ ଟିକିନା ଦାସ ବୋଲି ପୁଲିସ ସୂଚନା ଦେଇଛି। ସୁକାନ୍ତ ଏବଂ ଟିକିନାଙ୍କ ମଧ୍ୟରେ ଗତ କିଛି ମାସ ହେଲା ଝଗଡ଼ା ଲାଗି ରହିଥିଲା । ଘର ଛାଡ଼ି ଟିକିନା ଦୁଇ ପୁଅଙ୍କ ସହିତ ଅନ୍ୟତ୍ର ରହୁଥିଲେ । ହେଲେ ପ୍ରାୟ ଗତ ୮ ଦିନ ପୂର୍ବେ ପୁଣି ଥରେ ନିଜ ଘରକୁ ଫେରିଥିଲେ ।

କିନ୍ତୁ ସେ ଘରକୁ ଆସିବା ପରେ ସ୍ୱାମୀ ସୁକାନ୍ତ ଘର ଛାଡ଼ି ଦେଇ ଆଉ ଏକ ଭଡ଼ା ଘରେ ରହୁଥିଲେ । ଫଳରେ ଟିକିନା ମାନସିକ ଅଶାନ୍ତି ଦେଇ ଗତି କରୁଥିଲେ । ଶୁକ୍ରବାର ସନ୍ଧ୍ୟା ପ୍ରାୟ ସାଢ଼େ ୬ଟା ବେଳେ ଟିକିନା ଗୋପାଳପୁର ଥାନାକୁ ଆସିଥିଲେ । ଥାନା ସମ୍ମୁଖରେ ଥିବା ତ୍ରିନାଥ ମନ୍ଦିରରେ ବସିଥିଲେ ।

ଟିକିନା ସ୍ୱାମୀଙ୍କୁ ଡାକିବା ପାଇଁ ବାରମ୍ବାର କହୁଥିଲେ । କିନ୍ତୁ ହଠାତ କିଏ କିଛି ବୁଝିବା ପୂର୍ବରୁ ଟିକିନା ନିଜେ ଆଣିଥିବା କୀଟନାଶକ(କ୍ୱିକ ଫସ)କୁ ଖାଇ ଦେଇଥିଲେ। ଏହା ଦେଖି ନିକଟରେ ଥିବା କିଛି ପୁଲିସ କର୍ମଚାରୀ ତୁରନ୍ତ ଟିକିନା ହାତରୁ କୀଟନାଶକକୁ ଛଡାଇ ଥିଲେ। ହେଲେ ସେତେବେଳକୁ ଟିକିନା କୀଟନାଶକର କିଛି ଅଂଶ ଖାଇ ଦେଇଥିବା ସହ ବାନ୍ତି କରିଥିଲେ ।

ସଙ୍ଗେ ସଙ୍ଗେ ଥାନା ଅଧିକାରୀ ଶ୍ରୀକାନ୍ତ ଖମାରୀ ଏବଂ ଅନ୍ୟ କର୍ମଚାରୀମାନେ ଟିକିନାଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ନେଇଥିଲେ । ପୋଲିସ ପକ୍ଷରୁ ଘଟଣା ନେଇ ୧୪୫ /୨୨ରେ ଏକ ମାମଲା ରୁଜୁ ହେବା ସହ କୀଟନାଶକ ଡବାକୁ ଜବତ କରାଯାଇଛି । ମେଡ଼ିକାଲରେ ସଦର ଏସଡିପିଓ ଶିବ ଶଙ୍କର ମହାପାତ୍ର, ଥାନା ଅଧିକାରୀ ଶ୍ରୀକାନ୍ତ ଖମାରୀ, ଏସଆଇ ସଫିଆ ମିଶ୍ର ଉପସ୍ଥିତ ଅଛନ୍ତି।

Comments are closed.