ଫୁଲବାଣୀ: ପାରିବାରିକ କଳହର କୁପରିଣତି । ରାଗରେ ଦୁଇ ଛୁଆଙ୍କୁ କୂଅକୁ ଠେଲି ମାଆର ଆତ୍ମହତ୍ୟା ଉଦ୍ୟମ । ଏଥିରେ ପୁଅ ଓ ଝିଅର ମୃତ୍ୟୁ ହୋଇଛି । ଗୁରୁତର ଅବସ୍ଥାରେ ମାଆକୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କନ୍ଧମାଳ ଜିଲ୍ଲା ରାଇକିଆ ଖ୍ରୀଷ୍ଟିଆନ୍ ସାହିରେ ଏହି ଅଭାବନୀୟ ଘଟଣା ଘଟିଛି ।
ପାରିବାରିକ କଳହରୁ ମହିଳା ଏଭଳି କାମ କରିଥିବା କୁହାଯାଉଛି । ମହିଳାଙ୍କ ନାଁ ଭାଗ୍ୟଲକ୍ଣୀ ପାତ୍ର । ତାଙ୍କ ସ୍ୱାମୀ ରାଜେନ୍ଦ୍ର ପାତ୍ର । ସ୍ୱାମୀ ଓ ଦୁଇ ପିଲାଙ୍କ ସହ ଖ୍ରୀଷ୍ଟିଆନ ସାହିରେ ରହୁଥିଲେ ଭାଗ୍ୟଲକ୍ଷ୍ମୀ । ମିଳିଥିବା ସୂଚନା ଅନୁସାରେ, ଗତକାଲି ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା ।
ଏହି ଘଟଣାକୁ ନେଇ ଦୁଇ ପିଲାଙ୍କୁ ଧରି ଘରୁ ପଳାଇ ଯାଇଥିଲେ ଭାଗ୍ୟଲକ୍ଷ୍ମୀ । ଆଲିମା ନିକଟସ୍ଥ ଏକ କୂଅକୁ ପୁଅ ଓ ଝିଅକୁ ଠେଲି ଦେବା ସହ ନିଜେ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ସ୍ଥାନୀୟ ଲୋକଙ୍କ ସହାୟତରେ ଭାଗ୍ୟଲକ୍ଷ୍ମୀଙ୍କୁ ଉଦ୍ଧାରକରି ରାଇକିଆ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।
ଅଗ୍ନିଶମ ବାହିନୀ ଟିମ୍ ପହଞ୍ଚି ଦୁଇ ପିଲାଙ୍କୁ ଉଦ୍ଧାର କରିଥିଲେ । ତେବେ ରାଇକିଆ ଡାକ୍ତରଖାନାରେ ସେମାନଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ମାର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । କ୍ଷଣିକ ରାଗର ବଶବର୍ତ୍ତୀ ହୋଇ ମାଆ ନିଜ ଜନ୍ମକଲା ପିଲାଙ୍କ ପ୍ରତି ଏମିତି କେମିତି ନିର୍ଦ୍ଦୟୀ ହୋଇଗଲା, ତାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଚାଲିଛି ।
Comments are closed.