ମହିଳାଙ୍କ ପାଇଁ ଅଧିକ ବିପଜ୍ଜନକ ଗ୍ରୀଷ୍ମପ୍ରବାହ: ଜାଣନ୍ତୁ କାହିଁକି ପୁରୁଷଙ୍କ ତୁଳନାରେ ମହିଳାଙ୍କୁ ବାଧେ ଅଧିକ ଖରା?
ନୂଆଦିଲ୍ଲୀ: ପ୍ରବଳ ଗ୍ରୀଷ୍ମପ୍ରବାହ ଏବଂ ୪୫ ଡିଗ୍ରୀ ଅତିକ୍ରମ କରୁଥିବା ତାପମାତ୍ରା ସମସ୍ତଙ୍କ ପାଇଁ ଅସହ୍ୟ ହୋଇପଡ଼ିଛି। ତେବେ ଆପଣ ଜାଣନ୍ତି କି, ଏହି ପ୍ରଚଣ୍ଡ ରୌଦ୍ରତାପ ଏବଂ ହିଟ୍ୱେଭ୍ ପୁରୁଷଙ୍କ ତୁଳନାରେ ମହିଳାଙ୍କ ପାଇଁ ଅଧିକ ବିପଜ୍ଜନକ ସାବ୍ୟସ୍ତ ହୋଇଥାଏ। ଥଣ୍ଡା ପାଣି, ଏସି କିମ୍ବା କୁଲର ସାମ୍ନାରେ ବସି ଗରମରୁ ରକ୍ଷା ପାଇବାକୁ ଆମେ ଚେଷ୍ଟା କରୁଥିଲେ ମଧ୍ୟ, ଜୈବିକ ଦୃଷ୍ଟିକୋଣରୁ ମହିଳାଙ୍କ ଶରୀର ଗରମ ସହ ମୁକାବିଲା କରିବା ପାଇଁ ଅଲଗା ପ୍ରତିକ୍ରିୟା ପ୍ରକାଶ କରେ।
ଝାଳ ବୋହିବା ହେଉଛି ଆମ ଶରୀରର ଏକ ପ୍ରାକୃତିକ ‘କୁଲିଂ ସିଷ୍ଟମ୍’ ବା ଶୀତଳୀକରଣ ପ୍ରକ୍ରିୟା। ବାହାରେ ଗରମ ବଢ଼ିଲେ ଶରୀରରୁ ଝାଳ ବାହାରି ପବନରେ ମିଶିବା ଦ୍ୱାରା ଆମକୁ ଥଣ୍ଡା ଅନୁଭବ ହୁଏ। କିନ୍ତୁ ଗବେଷଣାରୁ ଜଣାପଡିଛି ଯେ, ପୁରୁଷଙ୍କ ତୁଳନାରେ ମହିଳାଙ୍କ ଶରୀରରେ କମ୍ ଝାଳ ଉତ୍ପନ୍ନ ହୁଏ। ଏହାବ୍ୟତୀତ, ଝାଳ ବାହାର କରିବା ପାଇଁ ମହିଳାଙ୍କ ଶରୀରକୁ ପୁରୁଷଙ୍କ ତୁଳନାରେ ଅଧିକ ଆଭ୍ୟନ୍ତରୀଣ ତାପମାତ୍ରାର ଆବଶ୍ୟକତା ପଡେ। ଅର୍ଥାତ୍, ଗରମ ହେଲେ ମହିଳାଙ୍କ ଶରୀରର ‘କୁଲିଂ ସିଷ୍ଟମ୍’ ବିଳମ୍ବରେ ଏବଂ ଧୀର ଗତିରେ କାମ କରିବା ଆରମ୍ଭ କରେ। ତେଣୁ ସେମାନଙ୍କ ଶରୀର ନିଜକୁ ଥଣ୍ଡା ରଖିବାରେ ଅଧିକ ସମୟ ନିଏ।
ମହିଳାଙ୍କ ଶରୀରର ଆଭ୍ୟନ୍ତରୀଣ ତାପମାତ୍ରା ସବୁବେଳେ ସମାନ ରହେ ନାହିଁ। ମାସିକ ଋତୁସ୍ରାବର ଦ୍ୱିତୀୟ ଭାଗରେ, ଅର୍ଥାତ୍ ଓଭ୍ୟୁଲେସନ୍ ପରେ, ମହିଳାଙ୍କ ଶରୀରର ତାପମାତ୍ରା ପ୍ରାୟ ଅଧା ଡିଗ୍ରୀ ସେଲସିୟସ୍ ବୃଦ୍ଧି ପାଇଥାଏ। ସାଧାରଣ ଦିନରେ ଏହି ଛୋଟ ପରିବର୍ତ୍ତନ ଜଣାପଡେ ନାହିଁ, କିନ୍ତୁ ଯେତେବେଳେ ବାହାରର ତାପମାତ୍ରା ୪୨-୪୩ ଡିଗ୍ରୀ ଥାଏ, ସେତେବେଳେ ଏହି ଅତିରିକ୍ତ ଆଭ୍ୟନ୍ତରୀଣ ଗରମ ମହିଳାଙ୍କ ସମସ୍ୟାକୁ ଦ୍ୱିଗୁଣିତ କରିଦିଏ। ଏହି ସମୟରେ ସେମାନେ ଅଧିକ ଗରମ ଓ ଅସ୍ୱସ୍ତି ଅନୁଭବ କରନ୍ତି।
ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ, ଅତ୍ୟଧିକ ଗରମରେ ଡିହାଇଡ୍ରେସନ୍ କାରଣରୁ ମହିଳାଙ୍କ ଶରୀରରୁ ଇଲେକ୍ଟ୍ରୋଲାଇଟ୍ ହ୍ରାସ ପାଇଥାଏ, ଯାହା ମୁଣ୍ଡବିନ୍ଧା, କ୍ଳାନ୍ତି ଓ ମୁଡ୍ ସୁଇଙ୍ଗ୍ ବଢ଼ାଇଦିଏ। ଏଥିସହ, ଅତ୍ୟଧିକ ଗରମ କାରଣରୁ ‘କର୍ଟିସୋଲ୍’ ନାମକ ଷ୍ଟ୍ରେସ୍ ହରମୋନ୍ ସୃଷ୍ଟି ହୁଏ, ଯାହା ଇଷ୍ଟ୍ରୋଜେନ୍ ଓ ପ୍ରୋଜେଷ୍ଟେରନ୍ ହରମୋନ୍ ଉପରେ ପ୍ରଭାବ ପକାଇ ଋତୁସ୍ରାବରେ ବିଳମ୍ବ ବା ଅନିୟମିତତା ସୃଷ୍ଟି କରିପାରେ।
ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି ଯେ, ଏଭଳି ପ୍ରବଳ ଗ୍ରୀଷ୍ମ ପ୍ରବାହରେ ମହିଳାମାନେ, ବିଶେଷ କରି ଗର୍ଭବତୀ ଓ ବୟସ୍କ ମହିଳାମାନେ ଅଧିକ ସତର୍କତା ଅବଲମ୍ବନ କରିବା ଦରକାର। ପ୍ରଚୁର ପରିମାଣରେ ପାଣି ପିଇବା ସହ ତରଳ ପଦାର୍ଥ ଗ୍ରହଣ କରିବା, ହାଲୁକା ସୁତା ବସ୍ତ୍ର ପିନ୍ଧିବା ଏବଂ ପ୍ରଖର ଖରା ବେଳେ ବାହାରକୁ ନବାହାରିବା ଆଦି ପଦକ୍ଷେପ ଦ୍ୱାରା ହିଟ୍ୱେଭ୍ର କୁପ୍ରଭାବରୁ ବର୍ତ୍ତିହେବ।
