Latest Odisha News

BREAKING NEWS

୩୪୯ ରିଚାର୍ଜ କରୁ କରୁ ଆକାଉଣ୍ଟରୁ ସଫା ହୋଇଗଲା ୪ ଲକ୍ଷ..

ଭୁବନେଶ୍ବର: କାଳ ହେଲା ମୋବାଇଲ ରିଚାର୍ଜ । ୩୪୯ ଫେରି ପାଇବାକୁ ଯାଇ ସାଇବର ଠକର ଶିକାର ହେଲେ ଯୁବତୀ । ଆଖି ପିଛୁଳାକେ ଆକାଉଣ୍ଟରୁ ଉଡିଗଲା ୪ ଲକ୍ଷ ଟଙ୍କା । ତେବେ ଏବେ ସାଇବର ଲୁଟେରା ଲୁଟିବା ପାଇଁ ନୂଆ ନୂଆ ପନ୍ଥା ଆପଣାଉଥିବା ବେଳେ ସବୁ ସାଇଟ ଉପରେ ଥୋପ ପକାଇ ବସିଛନ୍ତି ଲୁଟେରା । ଯେଉଁଠି ବି ହାତ ମାଇଲେ, ଟିକିଏ ଅସାବଧାନତା ଯୋଗୁଁ ଚାଲିଯାଉଛି ଲକ୍ଷ ଲକ୍ଷର ପରିଶ୍ରମ । ଏବେ ଏମିତି ନିଜର ମୋବାଇଲ ରିଚାର୍ଜ କରୁ କରୁ ସାଇବର ଠକଙ୍କ ହାବୁଡରେ ପଡିଯାଇଥିଲେ ଭୁବନେଶ୍ବର ଯୁବତୀ ଜଣଙ୍କ ।

ତେବେ ଯୁବତୀଙ୍କ ଅଭିଯୋଗ ଅନୁଯାୟୀ, ସେ ପ୍ରଥମେ ଫୋନ୍ ପେ ମାଧ୍ୟମରେ ନିଜ ମୋବାଇଲ ରିଚାର୍ଜ କରିଥିଲେ । ହେଲା ଭୁଲ୍ ବଶତଃ ସେ ଅନ୍ୟ କାହା ନମ୍ବରରେ ୩୪୯ ଟଙ୍କା ରିଚାର୍ଜ କରିଦେଇଥିଲେ । ଏହାପରେ ରିଚାର୍ଜ ଟଙ୍କା ଫେରି ପାଇବା ପାଇଁ ସେ ଉକ୍ତ ନମ୍ବରକୁ କଲ୍ କରି ପୁନଃ ତାଙ୍କ ନମ୍ବରରେ ରିଚାର୍ଜ କରିବାକୁ କହିଥିଲେ । ହେଲେ ବ୍ୟକ୍ତି ଜରଙ୍କ ମନା କରିବାରୁ ନିଜ ଟଙ୍କା ଫେରିପାଇବା ପାଇଁ ଗୁଗୁଲରେ ଫୋନ୍ ପେ ସହାୟତା କେନ୍ଦ୍ର ନମ୍ବର ସର୍ଚ୍ଚ କରିଥିଲେ । ସେହି ନମ୍ବରକୁ କଲ କରି ସହାୟତା ମାଗିଥିଲେ ।

ହେଲେ ସେ ଜାଣିନଥିଲେ ଯେ, ଗୁଗୁଲରୁ ଖୋଜିକି ଆଣିଥିବା ନମ୍ବରଟି ସାଇବର ମାଫିଆଙ୍କର ଥିଲା ।  ସାଇବର ଲୁଟେରା ଯୁବତୀଙ୍କୁ ତାଙ୍କ ଟଙ୍କା ଫେରି ପାଇବାର ପ୍ରତିଶ୍ରୁତି ଦେଇ ପ୍ରଥମେ ତାଙ୍କ ଆକାଉଣ୍ଟରୁ ଲକ୍ଷେ ଟଙ୍କା ଲୁଟି ନେଇଥିଲେ । ହେଲେ ଯୁବତୀ ଜଣଙ୍କ ଏହା ପରେ ସତର୍କତା ଦେଖାଇ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ କହି ଉକ୍ତ ବ୍ୟାଙ୍କ ଆକାଉଣ୍ଟକୁ ସ୍ଥଗିତ କରିଦେଇଥିଲେ । ତେବେ ସେ ଘଟଣାର ମାସେ ପରେ ଯେତେବେଳେ ପୁଣି ଏବେ ଯୁବତୀ ଜଣଙ୍କ ବ୍ୟାଙ୍କକୁ ଦରଖାସ୍ତ ଦେଇ ପୁଣି ଥରେ ଆକାଉଣ୍ଟଟି ଚାଲୁ କରିଥିଲେ, ସେତେବେଳେ ତାଙ୍କ ଆକାଛଣ୍ଟରୁ ପର୍ଯ୍ୟାୟ କ୍ରମେ ୩ ଲକ୍ଷ ଟଙ୍କା କଟିଯାଇଥିଲା । ଯାହାକୁ ନେଇ ଏବେ ସାଇବର ଥାନାରେ ଅଭିଯୋଗ କରିଛନ୍ତି ଯୁବତୀ ।

ତେବେ ବର୍ତ୍ତମାନ ଦୁନିଆରେ ସାଇବର ଠକେଇ ବଢିଯାଇଥିବା ବେଳେ ଏହାକୁ ନେଇ ଟିକିଏ ସତର୍କ ରହିବା ଆବଶ୍ୟକ । ସରକାର ଓ ବ୍ୟାଙ୍କ କ୍ଷେତ୍ରରୁ ବାରମ୍ବାର ସଚେତନ କରାଯାଇଥିଲେ ମଧ୍ୟ ସାଧାରଣ ଲୋକ ସାଇବର ମାଫିଆଙ୍କ ଜାଲରେ ପଡି ହିଁ ଯାଉଛନ୍ତି । ତେବେ ଏହି ନିକଟରେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ‘ମନ କି ବାତ୍’ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସାଇବର ଠକେଇ ନେଇ ସତର୍କ କରାଇଥିଲେ । ଏଥିରୁ ବଞ୍ଚିବା ପାଇଁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ୩ଟି ସୂତ୍ର ଆପଣାଇବାକୁ ପରାମର୍ଶ ଦେଇଥିଲେ । ଫ୍ରଡ୍‌ କଲ୍‌ ଆସିଲେ ଧୈର୍ଯ୍ୟ ଧରିବା ସହ ଚିନ୍ତା କରନ୍ତୁ ଏବଂ ଉପଯୁକ୍ତ ପଦକ୍ଷେପ ନେବାକୁ କହିଥିଲେ । ଏଥିସହିତ କୌଣସି ଏଜେନ୍ସି କିମ୍ବା ବ୍ୟାଙ୍କ କିମ୍ବା କୌଣସି ସରକାରୀ କାର୍ଯ୍ୟାଳୟ ଫୋନ କରି ଓଟିପି କିମ୍ବା ବ୍ୟକ୍ତିଙ୍କ ବ୍ୟକ୍ତିଗତ ତଥ୍ୟ ପଚରାଉଚରା କରେନାହିଁ । ତେଣୁ ଯଦି ଫ୍ରଡ୍‌ କଲ ଆସୁଛି ତାହାଲେ ୧୯୩୦କୁ କଲ୍‌ କରି ଜଣାନ୍ତୁ ବୋଲି ପରାମର୍ଶ ଦେଇଥିଲେ ମୋଦି ।

Comments are closed.