Latest Odisha News

BREAKING NEWS

୪ ଦିନିଆ ମହିଳା ଶିଳ୍ପୀ ଶିବିର ଉଦ୍‌ଯାପିତ

ଭୁବନେଶ୍ୱର : ଓଡ଼ିଶା ଲଳିତ କଳା ଏକାଡ଼େମୀ,ଓଡିଆ ଭାଷା ,ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ଵାରା ନୀଳାଦ୍ରୀ ବିହାର ସ୍ଥିତ ବୁଦ୍ଧ ଆର୍ଟ ଗ୍ୟାଲେରୀ ପରିସରରେ ଚାଲିଥିବା ୪ ଦିନିଆ ପାରମ୍ପରିକ କାଗଜ ମୁଖା ଓ କଣ୍ଢେଇ ପ୍ରସ୍ତୁତ ଶିବିର ଉଦ୍‌ଯାପିତ ହୋଇଯାଇଛି । ଏହି ଶିବିରରେ ଶିଳ୍ପୀମାନଙ୍କ ଦ୍ୱାରା ପ୍ରସ୍ତୁତ କାଗଜ ମୁଖାରେ ୬ ଫୁଟର ଗଣେଶ , ୪ ଫୁଟର ଜଗନ୍ନାଥ, ୫ଫୁଟର ବାଘମୁଖା ସହ ଜଟାୟୁ ପକ୍ଷୀ , ନୃସିଂହ ,ହାତୀ ,ହରିଣ ,ଦେବୀ ମୁଖା ଆଦି ବେଶ  ମନମୁଗ୍ଧକର ହୋଇଥିଲା ।  ପାରମ୍ପରିକ ଗୋବର କଣ୍ଢେଇରେ ଶିଳ୍ପୀମାନେ କୃଷ୍ଣ, ମନ୍ଦିର, ଗ୍ରାମୀଣ ଦୃଶ୍ୟ ଓ ଗାନ୍ଧୀଜୀଙ୍କ ତିନି ମାଙ୍କଡ ଓ ଅନ୍ୟାନ ପଶୁ ପକ୍ଷୀ  ନିର୍ମାଣ କରିଥିଲେ ।  ସେହିପରି ପାରମ୍ପରିକ କାଠ କଣ୍ଢେଇର ସୁନ୍ଦର କାମ ଦେଖିବାକୁ ମିଳିଥିଲା, ଯାହା ଶିବିରର ତାତ୍ପର୍ଯ୍ୟକୁ ବହୁଗୁଣିତ କରିଥିଲା ।

ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ସମ୍ମାନିତ ଅତିଥି ଭାବେ ବରିଷ୍ଠ ଚିତ୍ରଶିଳ୍ପୀ ବିନୋଦ ମହାରଣା, ମହେନ୍ଦ୍ର ପ୍ରସାଦ ମହାପାତ୍ର ଓ ସଂସ୍କୃତି ବିଭାଗର ଯୁଗ୍ମ ନିର୍ଦ୍ଦେଶକ ସୁବୋଧ କୁମାର ଆଚାର୍ଯ୍ୟ ପ୍ରମୁଖ ଯୋଗଦେଇ ଏକାଡେମୀର ଏଭଳି ପ୍ରୟାସକୁ ପ୍ରଶଂସା କରିବା ସହ ଶିଳ୍ପୀମାନଙ୍କ ନିଖୁଣ କଳାକୃତିଗୁଡିକ ଆଗାମୀ ଦିନରେ ଯୁବ ଶିଳ୍ପୀମାନଙ୍କୁ ପ୍ରେରଣା ଯୋଗାଇବ ବୋଲି କହିଥିଲେ । ଏହି ଅବସରରେ ଅତିଥିମାନେ ସମସ୍ତ କଳାକୃତିଗୁଡିକ ବୁଲି ଦେଖିବା ସହ ଶିଳ୍ପୀମାନେ ପାରମ୍ପରିକତା ଏବଂ  ମୌଳିକତା ରକ୍ଷା କରି ସୁବୃହତ ମୁଖା ଗୁଡିକ ତିଆରି କରିଥିବାରୁ ତାଙ୍କର ଭୂୟସୀ ପ୍ରଶଂସା କରିଥିଲେ ।  ବିଭିନ୍ନ ବର୍ଜ୍ୟଵସ୍ତୁରୁ ପ୍ରସ୍ତୁତ କଳାକୃତି ଉଚ୍ଚକୋଟୀର ହୋଇଥିବାରୁ ସେମାନଙ୍କର କଳାନୈପୁଣ୍ୟକୁ ପ୍ରଶଂସା କରିଥିଲେ । ଏହି ପ୍ରଦର୍ଶନୀରେ ରଘୁରାଜପୁର, ଗଞ୍ଜାମ, ଆଦି ବିଭିନ୍ନ ଜିଲ୍ଲାରୁ ରାଜ୍ୟର ୩୧  ଜଣ ମହିଳା ଶିଳ୍ପୀ ଅଂଶ ଗ୍ରହଣ କରିଥିଲେ l ସମସ୍ତ ଶିଳ୍ପୀମାନଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ପ୍ରତ୍ୟେକଙ୍କୁ ମାନପତ୍ର, ଅଙ୍ଗବସ୍ତ୍ର ଓ  ୧୦ ହଜାର ଟଙ୍କାର ଅର୍ଥ ରାଶି ପ୍ରଦାନ କରାଯାଇଥିଲା ।

 

Leave A Reply

Your email address will not be published.