ମୁମ୍ବାଇ: କଥାରେ ଅଛି ବୟସ ଏକ ସଂଖ୍ୟା । ଏହାକୁ ପ୍ରମାଣ କରି ଦେଖାଇଛନ୍ତି ଜଣେ ମହିଳା । ଯିଏ କି ୫୮ ବର୍ଷ ବୟସରେ ସୁପର ମଡ଼େଲ ସାଜି ଚର୍ଚ୍ଚାକୁ ଆସିଛନ୍ତି ।
ସାଧାରଣତଃ ୬୦ ବର୍ଷ ବୟସ ହୋଇଗଲେ ଅଧିକାଂଶ ଲୋକ ବୃଦ୍ଧାବସ୍ଥାକୁ ଚାଲିଯାଇଥାନ୍ତି । କୌଣସି କାର୍ଯ୍ୟ କରିବାକୁ ସେମାନେ ଆଗ୍ରହ ରଖନ୍ତି ନାହିଁ । କିନ୍ତୁ ମୁକ୍ତା ସିଂ ନାମକ ଜଣେ ମହିଳା ୫୮ ବର୍ଷ ବୟସରେ ନିଜକୁ ଫିଟ୍ ରଖିବା ଏବଂ ଅଧିକ ଷ୍ଟାଇଲିସ୍ ହେବା ଉପରେ ଧ୍ୟାନ ଦେଲେ । ଯେଉଁ ସ୍ୱପ୍ନ ପୂରଣ କରିପାରି ନ ଥିଲେ, ୫୮ ବର୍ଷ ବୟସରେ ସେ ତାଙ୍କ ସ୍ୱପ୍ନକୁ ସାକାର କରି ପାରିଛନ୍ତିି । ମୁକ୍ତା ସିଂ ଆଜି ଏକ ସଫଳ ମଡେଲ ସାଜିଛନ୍ତି । ଆଉ ପ୍ରମାଣ କରି ଦେଖାଇଛନ୍ତି ଯେ, ସ୍ୱପ୍ନ ଦେଖିବା ଏବଂ ଏହାକୁ ପୂରଣ କରିବା ପାଇଁ କୌଣସି ବୟସ ନ ଥାଏ ।
ମୁକ୍ତା କହିଛନ୍ତି ଯେ, ବୟସ ବଢିବାରୁ ତାଙ୍କର କେଶ ପାଚିବାକୁ ଲାଗିଲା । ତେଣୁ ସେ କେଶକୁ ରଙ୍ଗ କରିଲେ । କିନ୍ତୁ ପରେ ସେ ରଙ୍ଗ କରିବା ବନ୍ଦ କରିଦେଲେ । କାରଣ ତାଙ୍କର ଧୂସର କେଶକୁ ଏକ ସୁନ୍ଦର ଏବଂ ଷ୍ଟାଇଲିସ୍ କରିବା ଆରମ୍ଭ କଲେ । ଦିନେ ଏକ ବିବାହ ଉତ୍ସବରେ ସେ ଧୂସର ରଙ୍ଗ ଶାଢ଼ି ପିନ୍ଧିିଥିଲେ, ଯାହା ତାଙ୍କ କେଶକୁ ମ୍ୟାଚ କରୁଥିଲା ଓ ନୂଆ ଲୁକ୍ ଦେଇଥିଲା । ପରେ ସେହି ଫଟୋକୁ ମୁକ୍ତା ସୋସିଆଲ ମିଡିଆରେ ସେୟାର କରିଦେଲେ । ସେହି ପୋଷ୍ଟରେ ଶାଢି କିଣିଥିବା ଉକ୍ତ ଡିଜାଇନରଙ୍କୁ ଟ୍ୟାଗ୍ କରିଥିଲେ । ଡିଜାଇନର୍ ମୁକ୍ତାଙ୍କ ଫଟୋକୁ ଏତେ ପସନ୍ଦ କଲେ ଯେ ସେ ମଡେଲିଂ କରିବାକୁ ଅଫର୍ ଦେଲେ । ମୁକ୍ତା ଆଗପଛ ନ ଭାବି ହଁ ମାରିଦେଲେ । ଗୋଟିଏ ପ୍ରୋଜେକ୍ଟ ପରେ, ମୁକ୍ତାଙ୍କୁ ଆହୁରି ଅନେକ ମଡେଲିଂ ଅଫର ମିଳିବା ଆରମ୍ଭ ହେଲା । ଧୀରେ ଧୀରେ ସେ ସାଜିଗଲେ ଜଣାଶୁଣା ମଡ଼େଲ ।
ପଢ଼ା ସାରିବା ସଙ୍ଗେ ସଙ୍ଗେ ମୁକ୍ତା ଜଣେ ପାଇଲଟଙ୍କୁ ବିବାହ କରିଥିଲେ । ବିବାହ ପରେ ସ୍ୱାମୀଙ୍କ ବିଭିନ୍ନ ସହରକୁ ବଦଳି ହେତୁ ନିଜ ସ୍ୱପ୍ନ ବିଷୟରେ ଚିନ୍ତା କରିପାରି ନ ଥିଲେ । ସେ ଅଧିକାଂଶ ସମୟ ପିଲା ଏବଂ ଘରର ଦାୟିତ୍ୱକୁ ଗୁରୁତ୍ୱ ଦେଇ ଆସୁଥିଲେ । ଖାଲି ସମୟରେ ଚିତ୍ର ଆଙ୍କୁଥିଲେ । ଏ ବୟସରେ ସେ ମଡେଲିଂ କରିବେ ବୋଲି ସ୍ୱପ୍ନରେ ଭାବି ନ ଥିଲେ ।
Comments are closed.