ରାୟଗଡ଼ା: ଠିକା କାମ ବେଳେ ଶ୍ରମିକଙ୍କ ସୁରକ୍ଷାକୁ ଗୁରୁତ୍ୱ ଦିଆଯାଉନି । ଫଳରେ ଶ୍ରମିକଙ୍କ ଜୀବନ ଯାଉଛି । କଲ୍ୟାଣସିଂହପୁର ସଦର କଲ୍ୟାଣୀ ନଦୀର ସୁରକ୍ଷା କାନ୍ଥର ସଟର ପ୍ଲେଟ ବାହାର କରିବା ବେଳେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ମୃତ ଶ୍ରମିକ କାଶୀପୁର ବ୍ଲକ ସିଙ୍ଗାରୀ ଖଡ଼କା ଗାଁର କାଶରୀ ମାଝୀ ।
ଆଜି ସକାଳେ କଲ୍ୟାଣୀ ନଦୀ ନିକଟରେ ପୋଲ ଓ ରାସ୍ତାକୁ ସୁରକ୍ଷା କାନ୍ଥ ନିର୍ମାଣରେ ଲାଗିଥିବା ସଟର ପ୍ଲେଟ ବାହାର କରୁଥିଲେ । ସେହି ସମୟରେ ଗାର୍ଡୱାଲ ସଟର ପ୍ଲେଟ ତଳେ ଚାପି ହୋଇ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି । ଅଗ୍ନିଶମ ବାହିନୀ ମୃତଦେହକୁ ଉଦ୍ଧାର କରିଛନ୍ତି ।
ମୃତକଙ୍କ ପରିବାର କ୍ଷତିପୂରଣ ଦାବି କରିଛନ୍ତି । ହେଲେ ସରକାରଙ୍କ ନିୟମ ଅନୁଯାୟୀ କାମରେ ନିୟୋଜିତ ଠିକା ସଂସ୍ଥା ଶ୍ରମିକଙ୍କୁ ସୁରକ୍ଷା ଉପକରଣ ଦେଉ ନାହିଁ । ହେଲମେଟ, ଗ୍ଲୋବସ ସହ ଜୋତା ଦେବାକୁ ନିୟମ ରହିଥିଲେ ମଧ୍ୟ ଠିକା ସଂସ୍ଥା ଦେଉ ନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା । ଏନେଇ ଠିକା ସଂସ୍ଥାର ପ୍ରତିକ୍ରିୟା ମିଳିପାରି ନାହିଁ ।
Comments are closed.