Latest Odisha News

BREAKING NEWS

ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ପାରାଦୀପ ବନ୍ଦର ଆଗରେ ଶ୍ରମିକଙ୍କ ଧାରଣା

ପାରାଦୀପ: ଦରମା ନମିଳିବା, ଚାକିରୀରୁ ଛଟେଇ ହୋଇଥିବା କର୍ମଚାରୀଙ୍କୁ ପୁନଃନିଯୁକ୍ତି, ଅନ୍ୟାନ୍ୟ ରିହାତି ଦାବିରେ ଶନିବାର ଶତାଧିକ ଶ୍ରମିକ ପାରାଦୀପ ଅନ୍ତର୍ଜାତୀୟ କାର୍ଗୋ ଟର୍ମିନାଲ (ପିଆଇସିଟି) ଫାଟକ ସମ୍ମୁଖରେ ଧାରଣା ଦେଇଛନ୍ତି।

ପାରାଦୀପ ବନ୍ଦର ଶ୍ରମିକ ସଂଘ ପକ୍ଷରୁ ଆୟୋଜିତ ଏହି ବିକ୍ଷୋଭରେ ଶ୍ରମିକ ଓ ସେମାନଙ୍କ ପିଲାମାନେ ପିଆଇସିଟି ଫାଟକ ସମ୍ମୁଖରେ ଧାରଣାରେ ବସିଛନ୍ତି। ରବିବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପାରାଦୀପ ଗସ୍ତ ପୂର୍ବରୁ ଏହି ଆନ୍ଦୋଳନ ପୁଲିସ ବିଭାଗ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି।

ଶ୍ରମିକମାନେ ଗତ ତିନି ଦିନ ଧରି ରାସ୍ତା କଡ଼ରେ ବସି ଧାରଣାରେ ବସିଛନ୍ତି। ବନ୍ଦର କର୍ତ୍ତୃପକ୍ଷ ସେମାନଙ୍କ ଦାବିକୁ ଅଣଦେଖା କରିଥିବା ଅଭିଯୋଗ ହେବା ପରେ ସେମାନେ ଶନିବାର ପିଆଇସିଟି ଫାଟକ ସମ୍ମୁଖରେ ଧାରଣାରେ ବସି ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି।

ଶ୍ରମିକମାନେ ୧୦ ଦଫା ଦାବି ରଖିଛନ୍ତି। ବନ୍ଦର କର୍ତ୍ତୃପକ୍ଷ ସେମାନଙ୍କୁ ପୂରଣ ନକରିବା ଯାଏଁ ଆମେ ଆନ୍ଦୋଳନରୁ ଓହରିବୁ ନାହିଁ ବୋଲି ଆନ୍ଦୋଳନରତ ଶ୍ରମିକ କହିଛନ୍ତି। ଡ୍ରାଇଭର ଆସୋସିଏସନ ସମେତ ଅନ୍ୟ ଆସୋସିଏସନ ମଧ୍ୟ ସମର୍ଥନ ଜଣାଇଛନ୍ତି ବୋଲି କହିଛନ୍ତି। ଆଗାମୀ ଦିନରେ ସେମାନେ ଆମ ଆନ୍ଦୋଳନରେ ସାମିଲ ହେବେ ବୋଲି ଆନ୍ଦୋଳନକାରୀ ବିକ୍ରମ କୁମାର ସିଂ କହିଛନ୍ତି।

ଦାବି ପୂରଣ ନହେବା ଯାଏଁ ଆନ୍ଦୋଳନ ଜାରି ରଖିବାକୁ ଶ୍ରମିକମାନେ ଚେତାବନୀ ଦେଇଛନ୍ତି। ଶେଷ ଖବର ସୁଦ୍ଧା ଅତିରିକ୍ତ ଜିଲ୍ଲାପାଳ (ଏଡିଏମ) ତାଙ୍କ ଅଫିସରେ ବନ୍ଦର କର୍ତ୍ତୃପକ୍ଷ ଓ ଶ୍ରମିକ ସଂଗଠନର ପ୍ରତିନିଧିଙ୍କୁ ଡାକି ଆଲୋଚନା କରି ଏକ ରାଜିନାମାରେ ପହଞ୍ଚିଥିଲେ।

ସେପଟେ ଆସନ୍ତାକାଲି ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ପୋଲିସ ଫୋର୍ସ ମୁତୟନ କରାଯାଇଛି।

Leave A Reply

Your email address will not be published.