Latest Odisha News

BREAKING NEWS

ଆଇଆଇଏମ୍‍ସିରେ ‘ଗଣମାଧ୍ୟମରେ ଲିଙ୍ଗଗତ ପ୍ରସଙ୍ଗ ଓ ସମାନତା’ ଉପରେ କର୍ମଶାଳା

ଢେଙ୍କାନାଳ: ଝିଅଟିଏ କ’ଣ କରିବ? ଶେଷରେ ତ ସେ ରୋଷେଇ ଘରକୁ ଯିବ । ଝିଅଙ୍କ ପ୍ରତି ଏମିତି ମନୋଭାବ କେବଳ ଅଶିକ୍ଷିତ ନୁହେଁ, ବରଂ ଶିକ୍ଷିତ ପରିବାରରେ ମଧ୍ୟ ରହିଛି । ତେବେ ନାରୀର ଅଧିକାର ପାଇଁ ଆମର ଦୃଷ୍ଟିଭଙ୍ଗୀ ପ୍ରଥମେ ପରିବର୍ତ୍ତନ କରିବା ଜରୁରୀ ବୋଲି କହିଛନ୍ତି ଅକ୍ସଫାମ୍‍ ଇଣ୍ଡିଆର ଆଞ୍ଚଳିକ ମ୍ୟାନେଜର ଅକ୍ଷୟ କୁମାର ବିଶ୍ୱାଳ ।

ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମ୍‍ସି)ରେ ଓକ୍ସଫାମ୍‍ ଇଣ୍ଡିଆ ପକ୍ଷରୁ ଅନୁଷ୍ଠିତ ହୋଇଛି ‘ଗଣମାଧ୍ୟମରେ ଲିଙ୍ଗଗତ ପ୍ରସଙ୍ଗ ଓ ସମାନତା’ ଉପରେ ଏକ କର୍ମଶାଳା । ଏଥିରେ ଯୋଗଦେଇ ଶ୍ରୀ ବିଶ୍ୱାଳ କହିଛନ୍ତି, ଘରେ ଘରେ ମହିଳାଙ୍କ ପ୍ରତି ଅବହେଳା କରାଯାଉଛି । ପାଠପଢ଼ା ହେଉ କି ଉଚ୍ଚଶିକ୍ଷା କି ନିଯୁକ୍ତି କ୍ଷେତ୍ର, ସବୁଠି ଝିଅମାନଙ୍କ ଗୁରୁତ୍ୱ କମ୍‍ ।

ଦେଶରେ ଲକ୍ଷଲକ୍ଷ ଛାତ୍ରୀ ଉଚ୍ଚଶିକ୍ଷାରୁ ବଞ୍ଚିତ ହେଉଛନ୍ତି । ପୁଅ ଓ ଝି ଅଙ୍କୁ ସମାନ ସୁଯୋଗ ଦିଆଯାଉନି । ଦୁଃଖର କଥା ଅନେକ ଶିକ୍ଷିତ ପରିବାର ତଥା ରାଜନେତା, ସେଲିବ୍ରିଟିଙ୍କ ପରିବାରରେ ମଧ୍ୟ ନାରୀଙ୍କ ପ୍ରତି ଏମିତି ମନୋଭାବ ଆଜିର ଦିନରେ ରହିଛି । ତେଣୁ ଏହିସବୁ ସାମାଜିକ ପ୍ରଥା ବଦଳିଲେ ଯାଇ ମହିଳାମାନେ ଉପଯୁକ୍ତ ନ୍ୟାୟ ଓ ଅଧିକାର ପାଇପାରିବେ । କେବଳ ଏତିକି ନୁହେଁ, ଅର୍ଥନୈତିକ କ୍ଷେତ୍ରରେ ମଧ୍ୟ ମହିଳାମାନେ ପଛରେ ରହୁଛନ୍ତି । ଏକ ସର୍ବେକ୍ଷଣ ଅନୁସାରେ ମାତ୍ର ୯ ପ୍ରତିଶତ ମହିଳାଙ୍କ ନାମରେ ସମ୍ପତ୍ତି ରହିଛି ।

ଅନ୍ୟପକ୍ଷରେ ପୁରୁଷମାନେ ବଂଶଗତଭାବେ ସମ୍ପତ୍ତିର ମାଲିକାନା ଦଖଲ କରିଚାଲିଛନ୍ତି । ସେହିପରି ୬୦ ପ୍ରତିଶତ ମହିଳାଙ୍କର କୌଣସି ମୂଲ୍ୟବାନ ସମ୍ପଦ ମଧ୍ୟ ନାହିଁ । ଯଦି ରୋଜଗାର ଉପରେ ନଜର ଦେବା ତେବେ ମହିଳାମାନେ ଆୟ କରୁଥିବା ୯୦ ପ୍ରତିଶତ ଅର୍ଥ ନିଜ ପରିବାର ଓ ପିଲାଙ୍କ ପିଛାରେ ଖର୍ଚ୍ଚ କରୁଛନ୍ତି । ହେଲେ ପୁରୁଷମାନେ ନିଜ ଆୟରୁ ପରିବାର ଖର୍ଚ୍ଚ ସହ ଅନ୍ୟାନ୍ୟ ବାବଦକୁ ମଧ୍ୟ ଖର୍ଚ୍ଚ କରୁଛନ୍ତି ।

ବର୍ତ୍ତମାନ ସମୟରେ ମହିଳାମାନେ ଅନେକ ସମସ୍ୟା ଦେଇ ଗତି କରୁଛନ୍ତି । କୃଷି କ୍ଷେତ୍ରରେ ମହିଳାମାନେ ସେମାନଙ୍କର ନାଯ୍ୟ ପ୍ରାପ୍ତି ପାଇପାରୁନାହାନ୍ତି । ଅନେକ ମହିଳା କୃଷି କ୍ଷେତ୍ରରେ କାର୍ଯ୍ୟ କରୁଥିଲେ ମଧ୍ୟ ସେମାନେ କୃଷକର ମାନ୍ୟତା ପାଇପାରୁନାହାନ୍ତି ଏବଂ ସରକାରୀ ଯୋଜନା ଓ କାର୍ଯ୍ୟକ୍ରମରୁ ବଞ୍ଚିତ ହେଉଛନ୍ତି । ୟା’ଠାରୁ ବଳି ଦୁଃଖ କ’ଣ ଥାଇପାରେ । ତେଣୁ ଏ କ୍ଷେତ୍ରରେ ଗଣମାଧ୍ୟମର ଭୂମିକା ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ବିଭିନ୍ନ ଗଣମାଧ୍ୟମ ମହିଳାଙ୍କ ସମସ୍ୟାକୁ ଗୁରୁତ୍ୱ ଦେଇ ଅଧିକରୁ ଅଧିକ ଖବର ପରିବେଷଣ କରିବା ଆବଶ୍ୟକ ବୋଲି ସେ କହିଛନ୍ତି ।

ସେହିପରି ଅକ୍ସଫାମ୍‍ ଇଣ୍ଡିଆର ରୁକ୍ମଣୀ ପଣ୍ଡା କହିଛନ୍ତି, ଆଜିର ଦିନରେ ମଧ୍ୟ ପୁରୁଷ ଓ ମହିଳାଙ୍କ ମଧ୍ୟରେ ଅନେକ କ୍ଷେତ୍ରରେ ଅସମାନତା ରହୁଛି । ମହିଳାମାନେ ଅନେକ ସମୟରେ ସେମାନଙ୍କର ଅଧିକାର ପାଇପାରୁନାହାନ୍ତି । ଅନେକ ସମୟରେ ଅବେହଳା ଓ ନିର୍ଯାତନାର ଶିକାର ହେଉଛନ୍ତି । ତେବେ ଏମିତି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଗଣମାଧ୍ୟମ ଯେତିକି ଗୁରୁତ୍ୱ ଦେବା କଥା ସେତିକି ଦେଉନି । ଯଦ୍ଦ୍ୱାରା ଲୋକଙ୍କ ମନ ଭିତରେ ମହିଳାଙ୍କୁ ନେଇ କେଉଁଠି ନା କେଉଁଠି ଏକ ନୀଚ ମନୋଭାବ ରହୁଛି । ଏହା ଉପରେ ସଚେତନ କରିବା ସହ ମହିଳାଙ୍କ ଅଧିକାରକୁ ଅକ୍ଷୁଣ୍ଣ ରଖିବା ଦିଗରେ ଗଣମାଧ୍ୟମର ବେଶ୍‍ ଭୂମିକା ରହିଛି ବୋଲି ସେ ପ୍ରକାଶ କରିଛନ୍ତି ।

ଆରମ୍ଭରେ ସଂସ୍ଥାନର ଆଞ୍ଚଳିକ ନିର୍ଦ୍ଦେଶକ ଡ. ମୃଣାଳ ଚାଟାର୍ଜୀ କହିଛନ୍ତି, ଲିଙ୍ଗଗତ ପ୍ରସଙ୍ଗ ଉପରେ ଗଣମାଧ୍ୟମରେ ଖବର ପରିବେଷଣ କରିବା ବେଳେ ସାମ୍ବାଦିକମାନେ ବେଶ୍‍ ସଚେତନ ହେବା ଜରୁରୀ । କାରଣ ଲିଙ୍ଗଗତ ପ୍ରସଙ୍ଗରେ ଆମେ କେବଳ ମହିଳାମାନଙ୍କ ପ୍ରସଙ୍ଗ ଉପରେ ଆଲୋଚନା କରିବା ଉଚିତ ନୁହେଁ । ପୁରୁଷଙ୍କ କଥା ମଧ୍ୟ ଗୁରୁତ୍ୱ ଦେବା ଜରୁରୀ । ଖବର ପ୍ରସ୍ତୁତ ବେଳେ ଏହାକୁ ଆମ ମନ ଭିତରେ ରଖିବାକୁ ହେବ ।

ଏକ ଉଦାହରଣ ମାଧ୍ୟମରେ ଡ. ଚାଟାର୍ଜୀ କହିଛନ୍ତି, ଯଦି ଏଠାରେ ଆମେ ଯୌତୁକ ନିୟମକୁ ଉଲ୍ଲେଖ କରିବା, ତେବେ ପୁରୁଷଙ୍କ ବିରୋଧରେ ଏହି ନିୟମ ଯାଉଛି ବୋଲି କୁହାଯାଇପାରେ । ନିୟମ ଅନୁସାରେ ଯଦି ଜଣେ ମହିଳା ଯୌତୁକ ନିର୍ଯାତନା ଅଭିଯୋଗ କରେ, ତେବେ ପରିବାରର ସମସ୍ତ ପୁରୁଷ ସଦସ୍ୟଙ୍କୁ ବିନା ତଦନ୍ତ ବିନା ୱାରେଣ୍ଟରେ ପୁଲିସ୍‍ ଗିରଫ କରିପାରେ । ଏମିତିକି ପୁରୁଷ ସଦସ୍ୟ ନିଜ ପକ୍ଷ ରଖିବାର ସୁଯୋଗ ମଧ୍ୟ ନଥାଏ ।

ଏହା ମଧ୍ୟ ଏକପ୍ରକାର ଅସମାନତା । ଲିଙ୍ଗଗତ ପ୍ରସଙ୍ଗ କଥା ପଡ଼ିଲେ ଆମେ ସାଧାରଣତଃ ମହିଳାଙ୍କ ସମସ୍ୟା ବିଷୟରେ କଥା ହେଉ । ହେଲେ ଏହା ମଧ୍ୟ ଜାଣିବାକୁ ହେବ ଯେ, ପ୍ରାୟ ୪୦ ପ୍ରତିଶତ କେସ୍‍ ହେଉଛି ମିଛ । ତେଣୁ ସାମ୍ବାଦିକଭାବେ ଆମେ ଉଭୟ ଦିଗ ପ୍ରତି ଯତ୍ନଶୀଳ ହେବା ଜରୁରୀ ବୋଲି ସେ ମତବ୍ୟକ୍ତ କରିଛନ୍ତି ।

ପରେ ଛାତ୍ରଛାତ୍ରୀମାନେ ଏ ପ୍ରସଙ୍ଗ ଉପରେ କେତୋଟି କେସ୍‍ ଷ୍ଟଡିର ସମୀକ୍ଷା କରିବା ସହ ଏ ସମ୍ପର୍କିତ ରିପୋର୍ଟ ଲିଖନର ଶୈଳୀ ଉପରେ ଆଲୋଚନା କରାଯାଇଥିଲା ।

Leave A Reply

Your email address will not be published.