Latest Odisha News

BREAKING NEWS

କିସରେ ବିଶ୍ୱ ନୃତତ୍ତ୍ୱ କଂଗ୍ରେସ ଉଦ୍‍ଘାଟିତ

ଭୁବନେଶ୍ୱର: କିସ୍‍ ବିଶ୍ୱବିଦ୍ୟାଳୟରେ ଆଜି ବିଶ୍ୱ ନୃତତ୍ତ୍ୱ କଂଗ୍ରେସ ଉଦ୍‍ଘାଟିତ ହୋଇଛି । କିସ୍‍ ବିଶ୍ୱବିଦ୍ୟାଳୟ ପକ୍ଷରୁ ୟୁନାଇଟେଡ୍‍ ଇଣ୍ଡିଆ ଆନ୍‍ଥ୍ରୋପୋଲୋଜି ଫୋରମ, ଉତ୍କଳ ବିଶ୍ୱବିଦ୍ୟାଳୟ, ସମ୍ବଲପୁର ବିଶ୍ୱବିଦ୍ୟାଳୟ ଏବଂ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ସହଯୋଗରେ ଅନୁଷ୍ଠିତ ଏହି କଂଗ୍ରେସ ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି କଂଗ୍ରେସର ବିଷୟବସ୍ତୁ ‘ଆନ୍‍ଥ୍ରୋପୋଲୋଜି ଇନ୍‍ ପବ୍ଲିକ୍‍ ସ୍ପିଅର୍‍: ଇଣ୍ଡିଜେନିଟି, ସୋସିଆଲ୍‍ ଜଷ୍ଟିସ୍‍, ସଷ୍ଟେନେବିଲିଟି ଏବଂ ଗ୍ଲୋବାଲ୍‍ ପିସ୍‍’ ରଖାଯାଇଛି।

ଏହି ସମ୍ମିଳନୀରେ ଭାରତ ସମେତ ବିଶ୍ୱର ବିଭିନ୍ନ ଦେଶରୁ ୧୨ଶହରୁ ଊର୍ଦ୍ଧ୍ୱ ପ୍ରତିନିଧି ଯୋଗ ଦେଇଛନ୍ତି। ଏଥିରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଜାତୀୟ ସ୍ମାରକ କର୍ତ୍ତୃପକ୍ଷର ଅଧ୍ୟକ୍ଷ ତଥା ଭାରତର ନୃତତ୍ତ୍ୱ ସର୍ବେକ୍ଷଣ ନିର୍ଦ୍ଦେଶକ ପ୍ରଫେସର କିଶୋର କୁମାର ବାସା କହିଲେ, କିସ୍‍ ହେଉଛି ସମାଜର ଅବହେଳିତ ଓ ଦୁର୍ବଳ ବର୍ଗର ସଶକ୍ତିକରଣର ପ୍ରତୀକ। ଏହା ବିଶ୍ୱ ଶାନ୍ତି ଓ ମୈତ୍ରୀ ପାଇଁ ଦଣ୍ଡାୟମାନ ହୋଇଛି।

ସେ କହିଥିଲେ ନୃତତ୍ତ୍ୱ ଅବହେଳିତ ଓ ନିଷ୍ପେସିତ ବର୍ଗକୁ ସ୍ୱର ପ୍ରଦାନ କରିଥାଏ। ନୃତତ୍ତ୍ୱବିତ୍‍ମାନେ ବିକାଶର ବିରୋଧୀ ବୋଲି ସାଧାରଣରେ ଯେଉଁ ଧାରଣା ରହିଛି ତାହା ଭୁଲ୍‍ ବୋଲି ସେ କହିଥିଲେ। ପ୍ରକୃତି ଓ ପରିବେଶକୁ ସୁରକ୍ଷିତ ରଖି କିଭଳି ବିକାଶ କରାଯାଇପାରିବ, ତା ଉପରେ ନୃତତ୍ତ୍ୱବିତ୍‍ମାନେ ଗୁରୁତ୍ୱ ଦେଇଥାନ୍ତି ବୋଲି ପ୍ରଫେସର ବାସା କହିଥିଲେ।

ଜନଜାତି ସମ୍ପ୍ରଦାୟ ପ୍ରକୃତି ଓ ଦେଶୀୟ ସଂସ୍କୃତି ମଧ୍ୟରେ ସନ୍ତୁଳନ ରକ୍ଷାକରି ଜୀବନ ଜୀଇଁ ଆସୁଛନ୍ତି। ସେମାନଙ୍କଠାରୁ ଆମେ ସମସ୍ତେ ପ୍ରେରଣା ନେବା ଉଚିତ୍‍ ବୋଲି ସେ କହିଥିଲେ। ଏହି କଂଗ୍ରେସରେ ନୃତତ୍ତ୍ୱ ପାଇଁ ରହିଥିବା ବିଭିନ୍ନ ଚାଲେଞ୍ଜ ଉପରେ ଆଲୋଚନା ହେବା ସହ ନୀତି ନିର୍ଦ୍ଧାରଣ, ଶାସନ ଉପରେ ଯେଉଁସବୁ ପ୍ରଭାବ ରହିଛି ସେ ସମ୍ପର୍କରେ ବିସ୍ତୃତ ଆଲୋଚନ କରିବାକୁ ସେ ପରାମର୍ଶ ଦେଇଥିଲେ।

କିଟ୍‍ ଓ କିସ୍‍ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଏକ ବାର୍ତ୍ତାରେ କହିଥିଲେ, ଏକ ନ୍ୟାୟସଂଗତ ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ବୈଶ୍ୱିକ ସମାଜ ଗଠନରେ ପଥ ପ୍ରଶସ୍ତ କରିବାରେ ନୃତତ୍ତ୍ୱର କ୍ଷମତା ରହିଛି। ଏହା ଉପରେ ଦୃଢ ବିଶ୍ୱାସ ରଖି ଆମେ ସ୍ୱଦେଶୀ ସମ୍ପ୍ରଦାୟକୁ ଶିକ୍ଷା ଓ ଜ୍ଞାନ ପ୍ରଦାନ ମାଧ୍ୟମରେ ସଶକ୍ତ କରି ଚାଲିଛୁ। ଆମେ ଦୂରଦୃଷ୍ଟିପୂର୍ଣ୍ଣ ବ୍ୟକ୍ତି, ପ୍ରଫେସର ଅଫ୍‍ ପ୍ରାକ୍‍ଟିସ୍‍, ଜନଜାତି ପରାମର୍ଶଦାତା ପରିଷଦର ସହଯୋଗରେ ସ୍ୱଦେଶୀ ଜ୍ଞାନକୁ ସମ୍ମାନ ପ୍ରଦାନ ଓ ସଂରକ୍ଷଣ ପାଇଁ ପ୍ରତିବଦ୍ଧ ବୋଲି ସେ କହିଥିଲେ।

ଅପର ପକ୍ଷରେ ଆମେ କିସରେ ପରମ୍ପରାକୁ ଅକ୍ଷୂଣ୍ଣ ରଖି କିପରି ବିକାଶ କରାଯାଇପାରିବ ସେ ନେଇ ସାର୍ଥକ ଆଦାନ ପ୍ରଦାନ ନିମନ୍ତେ ସୁବିଧା କରିଛୁ ବୋଲି ସେ କହିଥିଲେ। ବିନମ୍ରତା ଓ ମାନବିକତାକୁ ଏକ ଅଭ୍ୟାସରେ ପରଣିତ କରିଥିବା କିସ୍‍ ପାଇଁ ଏହି କଂଗ୍ରେସ ଏକ ସମ୍ମିଳନୀଠାରୁ ବହୁତ କିଛି ଅଧିକ ବୋଲି କିସ୍‍ ବିଶ୍ୱବିଦ୍ୟାଳୟ କୁଳାଧିପତି ପ୍ରଫେସର ସତ୍ୟ ଏସ. ତ୍ରିପାଠୀ କହିଥିଲେ।

କିସ୍‍ ହେଉଛି ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସାମାଜିକ ପ୍ରୟୋଗ ଯାହାକି ୬୦ହଜାର ଜନଜାତି ଶିଶୁଙ୍କ ଆବାସସ୍ଥଳୀ ବୋଲି ସେ କହିଥିଲେ। କିସ୍‍ ହେଉଛି ଆଦିବାସୀଙ୍କ ମକ୍କା ବୋଲି ୱାକ-ନାକ୍‍ ଅଧ୍ୟକ୍ଷ ତଥା ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ପି.ସି. ଯୋଶୀ କହିଥିଲେ। ଆମେ ଏଠାରେ ନୃତତ୍ତ୍ୱ କଂଗ୍ରେସ କରୁଥିବାରୁ ଖୁବ୍‍ ଆନନ୍ଦିତ ବୋଲି ସେ କହିଥିଲେ। ଶିକ୍ଷା ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। କିସ୍‍ ହେଉଛି ସାମଗ୍ରିକ ବିକାଶର ଅନୁଷ୍ଠାନ ଯେଉଁଠାରେ ପିଲାମାନଙ୍କର ସର୍ବାଙ୍ଗୀନ ବିକାଶର ଯତ୍ନ ନିଆଯାଇଥାଏ ବୋଲି ପ୍ରଫେସର ଯୋଶୀ କହିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ୟୁଆଇଏଏଫ୍‍ ପୃଷ୍ଠପୋଷକ ପ୍ରଫେସର ପି.କେ.ମୁଟାଟକର୍‍, ପ୍ରଫେସର ପି. କେ. ମିଶ୍ର, ୟୁନିସେଫ୍‍ ପରାମର୍ଶଦାତା ପ୍ରଫେସର ଅଖିଳବିହାରୀ ଓତା, ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ, ସମ୍ବଲପୁର ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ବିଧୁ ଭୂଷଣ ମିଶ୍ର, ଗଙ୍ଗାଧର ମେହର ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଏନ.ନାଗରାଜୁ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ଏହି କାର୍ଯ୍ୟକ୍ରମରେ କିସ୍‍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଦୀପକ କୁମାର ବେହେରା ଅଧ୍ୟକ୍ଷତା କରିଥିବାବେଳେ ୟୁଆଇଏଏଫ୍‍ର ସଦସ୍ୟ ସଚିବ ପ୍ରଫେସର ଏସ. ଗ୍ରିଗୋରୀ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.