Latest Odisha News

BREAKING NEWS

ପାକିସ୍ତାନର ବିଶାଳ ୩୧୫ ରନ, ବାଂଲାଦେଶକୁ ୭ ରନରେ ଅଲଆଉଟ୍ କଲେ ଯିବ ସେମିଫାଇନାଲ୍ !

ଲଣ୍ଡନ: କ୍ରିକେଟର ମକ୍କା କୁହାଯାଇଥିବା ଲଣ୍ଡନର ଲର୍ଡସଠାରେ ଆଜି ବାଂଲାଦେଶ ଓ ପାକିସ୍ତାନ ମଧ୍ୟରେ ଅନୁଷ୍ଠିତ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ । ଏହି ମ୍ୟାଚ ପାକିସ୍ତାନ ଜିତିବାର ଯଥେଷ୍ଟ ସମ୍ଭାବନା ରହିଥିଲେ ମଧ୍ୟ ସେମିଫାଇନାଲ୍ ଯିବା ଅସମ୍ଭବ ହୋଇପଡ଼ିଛି । ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ କରିଛି ୩୧୫ ରନ । ତେବେ ସେମିଫାଇନାଲକୁ ଯିବାକୁୁ ହେଲେ ପାକିସ୍ତାନ ବିପକ୍ଷ ବାଂଲାଦେଶ ଦଳକୁ ୭ ରନରେ ଅଲଆଉଟ୍ କରି ବିଜୟ ହାସଲ କରିବାକୁ ପଡ଼ିବ । ଯାହାକି କ୍ରିକେଟ ଇତିହାସରେ କେବେ ଘଟିନାହିଁ ଏବଂ ଏହା ଏକ ଅସମ୍ଭବ ଟାର୍ଗେଟ । ତେଣୁ ପାକିସ୍ତାନର ସେମିଫାଇନାଲରେ ପ୍ରବେଶ କରିବା ଏକରକମ ମଉଳି ଯାଇଛି କହିଲେ ଚଳେ ।

ଐତିହାସିକ ଲର୍ଡସ୍ ଗ୍ରାଉଣ୍ଡରେ ଅନୁଷ୍ଠିତ ହେଉଥିବା ଏହି ମ୍ୟାଚରେ ଟସ୍ ଜିତି ପାକିସ୍ତାନ କପ୍ତାନ ସର୍ଫରାଜ ଅହମ୍ମଦ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ । ଓପନିଂ ବ୍ୟାଟ୍ସମ୍ୟାନ ଇମାମ ଉଲ୍ ହକଙ୍କ ୧୦୦ ବଲରୁ ୧୦୦ ରନ ଏବଂ ବାବର ଆଜମଙ୍କ ୯୬ ରନ ବଳରେ ପାକିସ୍ତାନ ଏକ ବିଶାଳ ସ୍କୋର ଆଡ଼କୁ ଗତି କରୁଥିଲା । ସେହିପରି ୨୬ଟି ବଲରୁ ଇମାଦ ୱାସିମ୍ ଆକର୍ଷଣୀୟ ୪୩ ରନ ସଂଗ୍ରହ କରିଥିଲେ । ପାକିସ୍ତାନ ୪୦୦ ରନ କରିବା ଲକ୍ଷ୍ୟରେ ରହିଥିଲେ ମଧ୍ୟ ବାଂଲା ବୋଲରଙ୍କ ଚମତ୍କାର ବୋଲିଂ ଯୋଗୁଁ ଅବଶିଷ୍ଟ ଖେଳାଳି ୱିକେଟ ହରାଇ ପ୍ୟାଭିଲିୟନ ରାସ୍ତା ଦେଖିଥିଲେ ।

ବାଂଲାଦେଶ ବୋଲର୍ ମୁସ୍ତାଫିଜୁର୍ ରେହମାନ ଅନ୍ତିମ ଓଭରରେ ଲଗାତର ୨ଟି ୱିକେଟ ନେଇ ହ୍ୟାଟ୍ରିକ ଲାଗି ଚେଷ୍ଟା କରିଥିଲେ । ସେ ୫ଟି ମୂଲ୍ୟବାନ ପାକିସ୍ତାନୀ ୱିକେଟ ଅକ୍ତିଆର କରିଛନ୍ତି । ସେହିପରି ମହମ୍ମଦ ସଫିଉଦ୍ଦିନ୍ ୩ଟି ଏବଂ ହାସନ ମିରାଜ୍ ଗୋଟିଏ ୱିକେଟ ହାସଲ କରିଛନ୍ତି ।

ତେବେ ପାକିସ୍ତାନ ଦଳ ବାଂଲାଦେଶ ଦଳକୁ ୭ ରନ ମଧ୍ୟରେ ଅଲଆଉଟ୍ କରି ସେମିଫାଇନାଲ୍ ଯାଇପାରୁଛି କି ନାହିଁ ତାହା ଦେଖିବାକୁ କେବଳ ବାକି ରହିଲା ।

Leave A Reply

Your email address will not be published.