Latest Odisha News

BREAKING NEWS

ବିଶ୍ଵ ନଦୀ ଦିବସ: ଗଙ୍ଗାନଦୀ ପୂର୍ବରୁ ଭାରତରେ ବହୁଥିଲା ଏହି ବିଶାଳ ନଦୀ, ଜାଣନ୍ତୁ

ନୂଆଦିଲ୍ଲୀ: ଆଜି ସାରା ବିଶ୍ବ ପାଳୁଛି ନଦୀ ଦିବସ। ପ୍ରାକୃତିକ ଜଳ ଉତ୍ସର ନିରନ୍ତର ମାର୍ଗ ପ୍ରାଚୀନ ନଦୀନାଳ ଗୁଡ଼ିକର ସୁରକ୍ଷା ଓ ଅଧିକାର ପ୍ରତି ମଣିଷ ସମାଜ ସଚେତନ ହେବା ଏକ ଗୁରୁତ୍ଵପୂର୍ଣ୍ଣ ଆବଶ୍ୟକତା ବୋଲି ଉପଲବ୍ଧି କରାଯାଉଛି। ସମଗ୍ର ବିଶ୍ୱରେ ନଦୀଗୁଡିକର ସୁରକ୍ଷା ପାଇଁ ୨୦୦୫ରେ ନଦୀ ଦିବସ ପାଳନ ଆରମ୍ଭ ହୋଇଥିଲା। ସେବେଠାରୁ ପ୍ରତିବର୍ଷ ଭାରତ ସମେତ ବିଶ୍ୱର ଅନେକ ଦେଶରେ ସେପ୍ଟେମ୍ବର ଚତୁର୍ଥ ରବିବାର ଦିନ ନଦୀ ଦିବସ ପାଳନ କରାଯାଏ । ତେବେ ଚଳିତ ବର୍ଷ ନଦୀ ଦିବସର ଥିମ ରହିଛି  ‘ନଦୀର ଅଧିକାର’ । ଆପଣ ଜାଣିଛନ୍ତି କି ଗଙ୍ଗାନଦୀ ପୂର୍ବରୁ ଭାରତରେ ଏକ ବିଶାଳ ନଦୀ ବହୁଥିଲା । ତେବେ ଆସନ୍ତୁ ଜାଣିବା ଏହି ନଦୀ ବିଷୟରେ ।

ରାଜା ଭାଗିରଥଙ୍କ ତପସ୍ୟାରେ ପସନ୍ନ ହୋଇ ଗଙ୍ଗାମାତା ପୃଥିବୀରେ ପଦାର୍ପଣ କରିଥିଲେ ଏବଂ ରାଜାଙ୍କ ପିତୃ ପୁରୁଷଙ୍କୁ ମୋକ୍ଷ ପ୍ରାପ୍ତି ହୋଇଥିଲା । ପୁରାଣ ଅନୁସାରେ ଗଙ୍ଗାମାତା ପୃଥିବୀରେ ୧୪ ହଜାର ବର୍ଷ ପୂର୍ବରୁ ପଦାର୍ପଣ କରିଥିଲେ । ତେବେ ଗଙ୍ଗାନଦୀ ପୂର୍ବରୁ ଭାରତରେ ସରସ୍ୱତୀ ନଦୀର ଅସ୍ତିତ୍ୱ ଥିଲା । ବୈଦିକ ସଭ୍ୟତାରେ ସରସ୍ୱତୀ ହିଁ ସବୁଠାରୁ ବିଶାଳ ଏବଂ ମୁଖ୍ୟ ନଦୀ ଥିଲା । ଋକ ବେଦରେ ସରସ୍ୱତୀ ନଦୀ ବିଷୟରେ ବର୍ଣ୍ଣନା କରାଯାଇଛି ଏବଂ ଏହାର ମହତ୍ତ୍ୱକୁ ଦର୍ଶାଯାଇଛି । ମହାଭାରତରେ ମଧ୍ୟ ସରସ୍ୱତୀ ନଦୀ ବିଷୟରେ ଉଲ୍ଲେଖ କରାଯାଇଛି ଏବଂ ଏହା ନିଶ୍ଚିହ୍ନ ହୋଇଯାଇଥିବା ମଧ୍ୟ କୁହାଯାଇଛି । ଯେଉଁ ସ୍ଥାରେ ଏହା ନିଶ୍ଚହ୍ନ ହୋଇଥିଲା, ସେହି ସ୍ଥାନ କୁ ବିନାଶନା ନାମ ଦିଆଯାଇଛି । ଏହି ନଦୀ କୂଳରେ ବ୍ରହ୍ମାବର୍ତ୍ତ ଏବଂ କୁରୁକ୍ଷେତ୍ର ଥିଲା କିନ୍ତୁ ଏଠାରେ ବର୍ତ୍ତମାନ ଜଳାଶୟ ରହିଛି ।

ମିଳିଥିବା ସୂଚନା ଅନୁସାରେ ପ୍ରାଚୀନ କାଳରେ ସତଲେଜ ଏବଂ ଯମୁନା, ସରସ୍ୱତୀ ନଦୀ ଆକାରରେ ହିଁ ମିଳୁଥିଲା । ପ୍ରୟାଗରେ ଗଙ୍ଗା, ଯମୁନା ଏବଂ ସରସ୍ୱତୀର ମିଳନ ହୋଇଥାଏ ଏଥିପାଇଁ ଏହି ସ୍ଥାନକୁ ତ୍ରିବେଣୀ ସଙ୍ଗମ କୁହାଯାଏ । ବୈଦିକ ଧର୍ମଗ୍ରନ୍ଥ ଅନୁସାରେ ପୃଥିବୀରେ ସରସ୍ୱତୀ ନଦୀରୁ ହିଁ ନଦୀମାନଙ୍କର କାହାଣୀ ଆରମ୍ଭ ହୋଇଥିଲା । ସରସ୍ୱତୀ ସର୍ବପ୍ରଥମେ ପୁଷ୍କରରେ ଥିବା ବ୍ରହ୍ମ ସରୋବର ରୁ ହିଁ ଉତ୍ପନ୍ନ ହୋଇଥିଲା । ପ୍ରାଚୀନ କାଳରେ ହିମାଳୟ ରୁ ଜନ୍ମ ନେଇଥିବା ଏହି ବିଶାଳ ନଦୀ ହରିୟାଣା, ପଞ୍ଜାବ, ରାଜସ୍ଥାନ ଏବଂ ଗୁଜୁରାଟ ରୁ ପାକିସ୍ତାନର ସିନ୍ଧ ପ୍ରଦେଶରେ ପହଞ୍ଚି ସିନ୍ଧୁ ବା ଆରବ ସାଗରରେ ମିଶିଛି ।

ପୁରାଣ କଥା ଅନୁସାରେ ଭଗବାନ ବିଷ୍ଣୁଙ୍କ ନିକଟରେ ଲକ୍ଷ୍ମୀ, ସରସ୍ୱତୀ ଏବଂ ଗଙ୍ଗା ଏକା ସହିତ ରହୁଥିଲେ । ଏକଦା ଦେବୀ ଗଙ୍ଗା କହିଥିଲେ ଯେ, ଶ୍ରୀହରି ମା’ ଲକ୍ଷ୍ମୀ ଏବଂ ସରସ୍ୱତୀଙ୍କୁ ଅଧିକ ସ୍ନେହ କରୁଛନ୍ତି । ଏହା ଶୁଣିବା ପରେ ଦେବୀ ସରସ୍ୱତୀ ଏବଂ ମାତା ଗଙ୍ଗାଙ୍କ ମଧ୍ୟରେ ତର୍କ ହୋଇଥିଲା । ଦେବୀ ଲକ୍ଷ୍ମୀ ଦୁଇ ଜଣଙ୍କୁ ବୁଝେଇବା ପାଇଁ ଚେଷ୍ଟା କରିଥିଲେ କିନ୍ତୁ ବିଫଳ ହୋଇଥିଲେ । ସରସ୍ୱତୀ ଦେବୀ କ୍ରୋଧରେ ଭବିଷ୍ୟତରେ ଲକ୍ଷ୍ମୀଙ୍କୁ ଏକ ଗଛ ଏବଂ ଗଙ୍ଗାଙ୍କୁ ନଦୀ ହେବାର ଅଭିଶାପ ଦେଇଥିଲେ । ଗଙ୍ଗା ମଧ୍ୟ ସରସ୍ୱତୀଙ୍କୁ ନଦୀ ହେବାର ଅଭିଶାପ ଦେଇଥିଲେ ।

ବିଷ୍ଣୁ ସମସ୍ତ ଦେବୀଙ୍କ କ୍ରୋଧକୁ ଶାନ୍ତ କରିଥିଲେ । ଏହା ପରେ ଦେବୀ ଗଙ୍ଗା ଏବଂ ସରସ୍ୱତୀ ନିଜ ନିଜ ଭୁଲ ମାନିଥିଲେ । ଅଭିଶାପରୁ ମୁକ୍ତି ପାଇବା ପାଇଁ ବିଷ୍ଣୁଙ୍କ ଶରଣ ନେଇଥିଲେ ଉଭୟ ମାତା । ଅଭିଶାପର ଫଳ ଭୋଗିବାକୁ ହୋଇଥାଏ । କଳିଯୁଗ ର ୧୦ ହଜାର ବର୍ଷ ପୂର୍ଣ୍ଣ ହେବା ପରେ ସରସ୍ଵତୀ ନିଜ ସ୍ୱରୂପକୁ ଫେରି ଆସିବେ ବୋଲି ଭଗବାନ ବିଷ୍ଣୁ କହିଥିଲେ । ଦେବୀ ସରସ୍ୱତୀ ସ୍ୱର୍ଗକୁ ଫେରି ଯାଇଥିବା ବିଶ୍ୱାସ କରାଯାଉଛି ।

 

Leave A Reply

Your email address will not be published.