Latest Odisha News

BREAKING NEWS

ବଢିଲା ଅଡୁଆ, ବ୍ରିଜଭୂଷଣଙ୍କୁ ହୋଇପାରେ ଜେଲଦଣ୍ଡ: କୋର୍ଟରେ ହାଜର ହେବାକୁ ସମନ

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ସଂଘର ପୂର୍ବତନ ସଭାପତି ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ ଦିଲ୍ଲୀ ପୋଲିସ ଚାର୍ଜସିଟ୍ ଦାଖଲ କରିଛି। କୋର୍ଟରେ ଦାଖଲ ହୋଇଥିବା ଚାର୍ଜସିଟରେ ଦିଲ୍ଲୀ ପୋଲିସ କହିଛି ଯେ ବ୍ରିଜଭୂଷଣଙ୍କ ବିରୋଧରେ ଯୌନ ଶୋଷଣ, ନିର୍ଯାତନା ଏବଂ ଦୁଷ୍କର୍ମ ଭଳି ସାଂଘାତିକ ଅଭିଯୋଗରେ ଦଣ୍ଡ ମଧ୍ୟ ହୋଇପାରେ। ଏହି ପ୍ରସଙ୍ଗ ସାମ୍ନାକୁ ଆସିବା ପରେ ବିବାଦ ଆହୁରି ତୀବ୍ର ହୋଇଛି। ଜୁନ୍ ୧୩ ରେ ଦିଲ୍ଲୀ ପୋଲିସ ଦାଖଲ କରିଥିବା ଚାର୍ଜସିଟ ଅନୁଯାୟୀ ୬ ଜଣ ମହିଳା ରେସ୍ଲର ରେସ୍ଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆର ପୂର୍ବତନ ସଭାପତି ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ ଅଭିଯୋଗ କରିଥିଲେ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଦିଲ୍ଲୀ ପୋଲିସ ଏହି ଘଟଣାରେ ଏକ ମାମଲା ରୁଜୁ କରିଥିଲା। ଏବେ ଏହି ପ୍ରସଙ୍ଗ ବ୍ରିଜ ଭୂଷଣ ଶରଣଙ୍କ ରାଜନୀତିରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଏହି ଘଟଣାକୁ ନେଇ ବ୍ରିଜଭୂଷଣଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଛି ଦିଲ୍ଲୀ ପୋଲିସ। ଆଇପିସି ଧାରା ୩୫୪, ଧାରା ୩୫୪(ଏ) ଏବଂ ୩୫୪(ଡି) ଅନ୍ତର୍ଗତ ମାମଲା ରୁଜୁ ହୋଇଛି। ଧାରା ୩୫୪ ରେ ବ୍ରିଜଭୂଷଣଙ୍କୁ ୫ ବର୍ଷ ଜେଲଦଣ୍ଡର ପ୍ରାବଧାନ ରହିଥିବାବେଳେ ଏହା ଏକ ଜାମିନ ବିହୀନ ଧାରା। ସେହିଭଳି ୩୫୪ (ଏ) ମୁତାବକ ସର୍ବାଧିକ ୧ ବର୍ଷ ଜେଲଦଣ୍ଡ ଓ ଏଥିରେ ଅଭିଯୁକ୍ତ ଜାମିନ ଆବେଦନ କରିପାରିବେ। ଏହା ସହ ଧାରା ୩୫୪ (ଡି) ଅନ୍ତର୍ଗତ ସର୍ବାଧିକ ୫ବର୍ଷ ଜେଲଦଣ୍ଡ ଓ ଏହି ଧାରାରେ ଅଭିଯୁକ୍ତ ଜାମିନ ଆବେଦନ କରିପାରିବେ। ମହିଳା କୁସ୍ତି ଖେଳାଳି ଯୌନ ନିର୍ଯାତନା ମାମଲାରେ ଆସନ୍ତା ଜୁଲାଇ ୧୮ ତାରିଖରେ କୋର୍ଟରେ ହାଜର ହେବାକୁ ବ୍ରିଜଭୂଷଣଙ୍କୁ ନିର୍ଦେଶ ଦିଆଯାଇଛି।

୬ ଜଣ ମହିଳା କୁସ୍ତିଯୋଦ୍ଧାଙ୍କ ଦ୍ୱାରା ଦାଖଲ ହୋଇଥିବା ଅଭିଯୋଗରେ ଯୌନ ଉତ୍ପୀଡ଼ନର ୧୫ ଟି ଘଟଣା ତାଲିକାଭୁକ୍ତ ହୋଇଛି। ଦିଲ୍ଲୀ ପୋଲିସ ଚାର୍ଜସିଟରେ କହିଛି ଯେ ତଦନ୍ତକାରୀ ଦଳ ୧୦୮ ଜଣ ସାକ୍ଷୀଙ୍କ ସହ କଥାବାର୍ତ୍ତା କରିଛନ୍ତି। ସାକ୍ଷୀମାନଙ୍କ ମଧ୍ୟରେ କୁସ୍ତି, କୋଚ୍, ରେଫରିଙ୍କ ସମେତ ୧୫ ଜଣ ବ୍ୟକ୍ତି ବ୍ରିଜଭୂଷଣଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଯଥାର୍ଥ କହିଛନ୍ତି।

ଯେତେବେଳେ ଏହି ଅଭିଯୋଗ ସମ୍ପର୍କରେ ଦିଲ୍ଲୀ ପୋଲିସ ବ୍ରିଜଭୂଷଣ ଶରଣ ସିଂଙ୍କୁ ପଚରାଉଚରା କରିଥିଲା, ସେତେବେଳେ ସେ ସମସ୍ତ ଅଭିଯୋଗକୁ ଅସ୍ୱୀକାର କରିଥିଲେ। ସେ ଦାବି କରିଛନ୍ତି ଯେ ସେ ଅଭିଯୋଗ କରିଥିବା କୁସ୍ତିମାନଙ୍କୁ କେବେ ଭେଟିନାହାଁନ୍ତି। ଏପରିକି ଏହି କୁସ୍ତିମାନଙ୍କ ଫୋନ୍ ନମ୍ବର ମଧ୍ୟ ତାଙ୍କ ନିକଟରେ ନଥିଲା। ଏବେ ଦିଲ୍ଲୀ ପୋଲିସ ବିଜେପି ସାଂସଦ ଏବଂ ସମସ୍ତ ସାକ୍ଷୀଙ୍କୁ ସମନ ପଠାଇବା ପାଇଁ କୋର୍ଟରେ ନିବେଦନ କରିଛି। ତେବେ ଜୁଲାଇ ୭ ରେ ଦିଲ୍ଲୀର ରାଉଜ ଏଭେନ୍ୟୁ କୋର୍ଟରେ ଏହି ମାମଲାର ଶୁଣାଣି ହୋଇଥିଲା। କୋର୍ଟ ବ୍ରିଜଭୂଷଣ ଶରଣ ସିଂ ଏବଂ ତାଙ୍କ ସଚିବ ବିନୋଦ ତୋମାରଙ୍କୁ ଡକାଇଛନ୍ତି। ଜୁଲାଇ ୧୮ ରେ ଉଭୟଙ୍କୁ କୋର୍ଟରେ ହାଜର ହେବାକୁ ସମନ ଜାରି କରାଯାଇଛି।

Leave A Reply

Your email address will not be published.