Latest Odisha News

BREAKING NEWS

ଲେଖକ ସୁଧୀର ଧଙ୍ଗଡ଼ାମାଝୀଙ୍କୁ କଳାହାଣ୍ଡି ଯୁବ ପ୍ରତିଭା ସମ୍ମାନ

ଭବାନୀପାଟଣା : ଯୁବ ଲେଖକ, ସମ୍ପାଦକ, ଉପସ୍ଥାପକ, ଅଭିନେତା ତଥା ସଂଗଠକ ସୁଧୀର କୁମାର ଧଙ୍ଗଡ଼ାମାଝୀଙ୍କୁ ପ୍ରଦାନ କରାଯିବ ୨୦୨୧ ମସିହା ପାଇଁ କଳାହାଣ୍ଡି ଯୁବ ପ୍ରତିଭା ସମ୍ମାନ । ମହାବୀର ସାଂସ୍କୃତିକ ଅନୁଷ୍ଠାନର ପ୍ରତିଭା ମନୋନୟନ ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି । କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ଅନ୍ତର୍ଗତ ବୁଢ଼ୀପଦର ଗ୍ରାମର ପ୍ରତିମା ଧଙ୍ଗଡ଼ାମାଝୀ ଓ ଯଦୁମଣି ଧଙ୍ଗଡ଼ାମାଝୀଙ୍କ ପୁତ୍ର ହେଉଛନ୍ତି ସୁଧୀର ।

ଗଳ୍ପ, କବିତା, ପ୍ରବନ୍ଧ, ଫିଚର୍‌, ଲଳିତ ନିବନ୍ଧ, ଅନୁବାଦ ଆଦି ସାହିତ୍ୟର ବିଭିନ୍ନ ବିଭାଗରେ ଲେଖନୀ ଚାଳନା କରୁଥିବା ବେଳେ, ତାଙ୍କର ଗଳ୍ପ ସଙ୍କଳନ ‘ଖଙ୍ଗାର୍‌’ କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର-୨୦୨୦ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିଲା । ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ ପ୍ରସାରିତ ଯୁବବାଣୀର ଉପସ୍ଥାପକ ଭାବେ ସେ ଲୋକପ୍ରିୟ ଥିବା ବେଳେ, ଆକାଶବାଣୀର ଗ୍ରେଡ୍‌-ବି ନାଟକ କଳାକାର ଭାବେ ଜଣାଶୁଣା । ଦୂରଦର୍ଶନର ବିଭିନ୍ନ କାର୍ଯ୍ୟକ୍ରମରେ ମଧ୍ୟ ଉପସ୍ଥାପନା କରିବା ସହ ବିଭିନ୍ନ ସ୍ଥାନରେ ମଞ୍ଚସ୍ଥ ନାଟକରେ ଅଭିନୟ କରିଛନ୍ତି ସୁଧୀର ।

ତାରକ୍ ମେହ୍‌ତା କା ଉଲ୍‌ଟା ଚଷ୍‌ମା ଫେମ୍ ପ୍ରଯୋଜକ ଅସିତ୍ ମୋଦୀ ଓ ପ୍ରଖ୍ୟାତ ନିର୍ଦ୍ଦେଶକ ସିଦ୍ଧାର୍ଥ ତ୍ରିପାଠୀଙ୍କ ମୁକ୍ତିଲାଭ ଅପେକ୍ଷାରେ ଥିବା ବଲିଉଡ୍ ଫିଲ୍ମ ‘ଏ ରେଡ୍ ସାର୍ଟ’ରେ ବରିଷ୍ଠ ଅଭିନେତା ରଘୁବୀର ଯାଦବଙ୍କ ସହ ଅଭିନୟ କରିଛନ୍ତି ସୁଧୀର । ନିକଟରେ ତାଙ୍କ ରଚିତ ଓ ନିର୍ଦ୍ଦେଶିତ କ୍ଷୁଦ୍ର ଚଳଚ୍ଚିତ୍ର ‘ଇସ୍କୁଲ୍ ଡାକୁଛେ ଆ’ ବେଶ୍ ଲୋକପ୍ରିୟ ହୋଇଥିଲା । ଶିକ୍ଷା ବିଭାଗରେ ସିଆର୍‌ସିସି ଭାବେ କାର୍ଯ୍ୟରତ ସୁଧୀର ଗ୍ଲୋବାଲ୍ ଲାଇଫ୍‌ରେଚର୍ ଫାଉଣ୍ଡେସନ୍‌ର ଆବାହକ, ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ଯୁଗ୍ମ ସଂପାଦକ, କଳାହାଣ୍ଡି ଯୁବ ଲେଖକ ସମାବେଶର ସାଧାରଣ ସଂପାଦକ, ସାହିତ୍ୟ-ସମ୍ବାଦ ପତ୍ରିକା ‘ସାହିତ୍ୟ କଥା’ର ସହ-ସଂପାଦକ ଭାବେ ମଧ୍ୟ କାର୍ଯ୍ୟରତ ଅଛନ୍ତି ।

ପୂର୍ବରୁ ସମ୍ବାଦପତ୍ର ‘ମସିହା’ର ବାର୍ତ୍ତା ସମ୍ପାଦକ ଓ ସାହିତ୍ୟ ପତ୍ରିକା ‘ମହୁରି’ର ସହ-ସମ୍ପାଦକ ଭାବେ କାର୍ଯ୍ୟ କରିବାର ଅଭିଜ୍ଞତା ରହିଛି । ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସେ ସମ୍ବର୍ଦ୍ଧିତ ହୋଇଥିବା ବେଳେ, ୱାର୍ଲ୍ଡ ଆସୋସିଏସନ୍ ଫର୍ ଆର୍ଟ୍ ଏଣ୍ଡ୍ କଲ୍‌ଚର୍ ପକ୍ଷରୁ ଆୟୋଜିତ ୩୯ତମ ବିଶ୍ବ କବି ମହାକୁମ୍ଭ ଓ କେନ୍ଦ୍ର ସାହିତ୍ୟ ଏକାଡେମୀର ମୁଲାକାତ୍ କାର୍ଯ୍ୟକ୍ରମରେ ଅତିଥି ଲେଖକ ଭାବେ ଆମନ୍ତ୍ରିତ ହୋଇ ଜିଲ୍ଲାର ଗୌରବ ବଢ଼ାଇଛନ୍ତି । ଆସନ୍ତା ନଭେମ୍ବର ମାସରେ ୫୭ତମ ମହାବୀର ମହୋତ୍ସବ ଅବସରରେ ତାଙ୍କୁ ସମ୍ବର୍ଦ୍ଧିତ କରାଯିବ ।

Leave A Reply

Your email address will not be published.