Latest Odisha News

BREAKING NEWS

ସାଇକେଲରେ ୫୨୭ ଦିନରେ ୧୪ ଦେଶ ବୁଲିଲେ ଯୁବକ

ୱାଶିଂଟନ: ଇଛା ଥିଲେ ଉପାୟ ଆପେ ଆପେ ଆସେ । ଆଉ ଯଦି ଥରେ କିଛି କରିବା ପାଇଁ ଦୃଢମନା ହୋଇ ନିଷ୍ପତ୍ତି ନିଆଯାଏ, ତେବେ ଲକ୍ଷ୍ୟ ପୂରଣ ହେବା ନିଶ୍ଚିତ । ଏଭଳି ଏକ ଘଟଣା ଘଟିଛି ଜଣେ ଯୁବକଙ୍କ କ୍ଷେତ୍ରରେ । ଏହି ଯୁବକ ଜଣକ ସାଇକେଲରେ ୧୪ଟି ଦେଶ ଭ୍ରମଣ କରିଛନ୍ତି ଓ ଏଥିପାଇଁ ତାଙ୍କୁ ପାଖାପାଖି ଦେଢ ବର୍ଷ ସମୟ ଲାଗିଛି ।

ଆମେରିକାର କାଲିଫର୍ଣ୍ଣିଆ ବାସିନ୍ଦା ଲିଆମ୍ ଗାର୍ନରଙ୍କ ସଉକ ବିଭିନ୍ନ ଦେଶ ପରିଭ୍ରମଣ କରିବା ସହିତ ବିଭିନ୍ନ ଦେଶର ଲୋକଙ୍କୁ ଭେଟିବା ଓ ସେମାନଙ୍କ ପରମ୍ପରା, ଚଳଣି ଉପରେ ଜାଣିବା । ଏଥିପାଇଁ ସେ ବିଶ୍ୱ ବୁଲିବାକୁ ଦୃଢମନା ହୋଇ ଉଦ୍ୟମ ଆରମ୍ଭ କଲେ । ତାଙ୍କର ଏହି ଉଦ୍ୟମ ସଫଳ ବି ହେଲା । ଏହି ୧୯ ବର୍ଷୀୟ ଯୁବକ ଲିଆମ୍ କେବଳ ସାଇକେଲରେ ୧୪ଟି ଦେଶ ଭ୍ରମଣ କରିପାରିଛନ୍ତି । ଏହି ସମୟ ଭିତରେ ତାଙ୍କୁ ୩୨ ହଜାର କିମିରୁ ଅଧିକ ଦୂରତା ଅତିକ୍ରମ କରିବାକୁ ପଡ଼ିଛି ଓ ଏଥିପାଇଁ ସେ ମୋଟ ଦେଢବର୍ଷ ବା ୫୨୭ ଦିନ ସମୟ ଲାଗିଛି ।
ସ୍କୁଲ ପାଠ ସରିବା ପରେ ଲିଆମ୍ ନିଜ ରୁଚି ଅନୁସାରେ ବିଭିନ୍ନ ଦେଶ ଭ୍ରମଣରେ ବାହାରି ପଡିଥିଲେ । ଏଥିଲାଗି ତାଙ୍କ ଘର ଲୋକଙ୍କ ସହଯୋଗ ଥିଲା । ୨୦୨୧ ମସିହା ଅଗଷ୍ଟ ପହିଲାରୁ ତାଙ୍କର ଏହି ଯାତ୍ରା ଆମେରିକାର ଆଲାସ୍କାରୁ ଆରମ୍ଭ ହେଲା । ନିରବଚ୍ଛିନ୍ନ ଭାବେ ସାଇକେଲରେ ବିଶ୍ୱ ବୁଲିବା ଅଭିଯାନ ଜାରି ରଖିଲେ । ଲିଆମ୍ କୁହନ୍ତି, ସେ ଯେଡିଡିୟା ଜେନିକିନ୍ସଙ୍କ ଏକ ପୁସ୍ତକ ପଢିଥିଲେ । ସେଥିରେ ସେ ଆର୍ଗନରୁ ବାହାରି ଆର୍ଜେଣ୍ଟିନା ପର୍ଯ୍ୟନ୍ତ ଯାତ୍ରା କରିଥିଲେ । ଏହି ପୁସ୍ତକ ହିଁ ତାଙ୍କୁ ବିଶ୍ୱ ଭ୍ରମଣ କରିବାକୁ ପ୍ରେରଣା ଯୋଗାଇଥିଲା । କେବଳ ତାଙ୍କ ସହ ଟେଣ୍ଟ, ସ୍ଲିପିଂ ବ୍ୟାଗ୍‌, ପୋର୍ଟେବଲ ବ୍ୟାଟେରି, ମେଡିକାଲ କିଟ୍‌, ପାଣି ବୋତଲ ଆଦି ନେଇ ଯାତ୍ରାରେ ବାହାରିଥିଲେ । ଏହି ରୋମାଞ୍ଚକର ଯାତ୍ରାରେ ସେ ମେକ୍ସିକୋ, ଗ୍ୱାଟେମାଲା, ନିକାରାଗୁଆ, କଲମ୍ବିଆ, ପେରୁ, ଚିଲି, ଆର୍ଜେଣ୍ଟିନା ସମେତ ୧୪ଟି ଦେଶ ଭ୍ରମଣ କରିସାରିଲେଣି ।

Leave A Reply

Your email address will not be published.