ଖୋର୍ଦ୍ଧା: ମୁଖ୍ୟମନ୍ତ୍ରୀଙ୍କୁ ଗାଳିଦେବା ପଡିଲା ମହଙ୍ଗା । ଜଣେ ଯୁବକଙ୍କୁ ଶନିବାର ଗିରଫ କରିଛି ଖୋର୍ଦ୍ଧା ଶିଳ୍ପାଞ୍ଚଳ ପୋଲିସ । ଗିରଫ ଅଭିଯୁକ୍ତ ହେଲା କେନ୍ଦୁଝର ସଦର ଓଲ୍ଡଟାଉନ ଅଞ୍ଚଳର ସାଫିୱାଲ୍ଲା ଖାନ୍ । ସେ ସୋସିଆଲ ମିଡିଆରେ ମୁଖ୍ୟମନ୍ତ୍ରୀଙ୍କୁ ଗାଳି ଦେଇଥିବା ସୂଚନା ରହିଛି ।
ଖୋର୍ଦ୍ଧା ଶିଳ୍ପାଞ୍ଚଳ ଥାନା ଆଇଆଇସି ଉମେଶ ସାହୁଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ଅଭିଯୁକ୍ତ ସାଫିୱାଲ୍ଲା ଖାନ୍ ତାଙ୍କ ବାପାଙ୍କ ସହ ୫ ବର୍ଷ ହେବ ଖୋର୍ଦ୍ଧା ପୌରାଞ୍ଚଳ ମୁକୁନ୍ଦପ୍ରସାଦରେ ରହିଆସୁଛି । କେନ୍ଦୁଝର ସଦର ଥାନା ଅଞ୍ଚଳରେ ବିପ୍ଲବୀ ଧରଣୀଧର ନାୟକଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନର ଫଟୋ ବିଜେପି କର୍ମୀ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଥିଲେ । ଏଥିରେ ପ୍ରତିକ୍ରିୟାଶୀଳ ହୋଇ ଅଭିଯୁକ୍ତ ଯୁବକ ଫେସବୁକ୍ ରେ ମୁଖ୍ୟମନ୍ତ୍ରୀଙ୍କୁ ଏତେ ଦିନପରେ ମନେ ପଡିଲା କି ବୋଲି ପ୍ରଶ୍ନ କରିବା ସହ ଅଶ୍ଳୀଳ ଭାଷାରେ ଇଙ୍ଗିତ କରିଥିଲା ।
ଏହି ଭିଡିଓ ସାମ୍ନାକୁ ଆସିବା ପରେ ଜଟଣୀ ନୂଆଗାଁ ଗ୍ରାମର ସବ୍ୟସାଚୀ ଦାସ ଖୋର୍ଦ୍ଧା ଶିଳ୍ପାଞ୍ଚଳ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଏକ ମାମଲା ରୁଜୁ କରି ସାଫିୱାଲ୍ଲାକୁ ଗିରଫ କରି କୋର୍ଟଚାଲାଣ କରିଛି ।