Latest Odisha News

ତିନି ଲକ୍ଷ ପାଇଁ ନିଜ ଅପହରଣର ନାଟକ ରଚିଥିଲା ଅଭିଯୁକ୍ତ

ନୂଆପଡା: ନିଜ କାହାଣୀର ନିଜେ ନାୟକ ଏବଂ ନିଜେ ହିଁ ଖଳନାୟକ । ଟଙ୍କା ପାଇଁ ନିଜେ ରଚିଥିଲେ ନିଜର ଅପହରଣ । ବାପାଙ୍କ ପାଖକୁ ୩ ଲକ୍ଷ ଟଙ୍କା ଆଦାୟ କରିବା ପାଇଁ ନିଜେ ନିଜର ଅପହରଣ ନାଟକ ରଚିଥିଲେ ଅଭିଯୁକ୍ତ । ଶେଷରେ ପଡିଲେ ପୋଲିସ ହାତରେ । ଏପରି ଘଟଣା ଦେଖିବାକୁ ମିଳିଛି ନୂଆପଡା ଜିଲ୍ଲା ଜୋଙ୍କ ଥାନା ବୁଏରଭାଡ଼ି ଗାଁରେ ।

ସୂଚନା ଅନୁସାରେ, ବୁଏରଭାଡ଼ି ଗାଁର ବୈକୁଣ୍ଠ ନାୟକ ନାମକ ଜଣେ ବ୍ୟକ୍ତି ଅନ୍ୟ ଜାତିରେ ବିବାହ କରିଥିବାରୁ ତାଙ୍କ ବାପା ତାଙ୍କୁ ଘରେ ପୁରଉ ନଥିଲେ । ଫଳରେ ପୁଅ ବୋହୁ ଅନ୍ୟତ୍ର ଘର ଭଡା ନେଇ ରହୁଥିଲେ । କିନ୍ତୁ କିଛି ଦିନ ପରେ ପାଖରେ ଟଙ୍କା ପଇସାର ଅଭାବ ହେବାରୁ କିପରି ଦୁହେଁ ଚଳିବେ ବୋଲି ବୈକୁଣ୍ଠ ଅନେକ ଚିନ୍ତାରେ ରହୁଥିଲେ । ଶେଷରେ ଦିନ ତାମିଲନାଡୁରେ ଥିବା ତାଙ୍କ ସାଙ୍ଗ ପାଖକୁ ପଳେଇଥିଲେ । ସେଠାରେ ତାଙ୍କ ସାଙ୍ଗ ମାନଙ୍କ ସହ ମିଶି ଅପହରଣର ନାଟକ ରଚି ଏକ ଭିଡିଓ ତାଙ୍କ ବାପାଙ୍କ ପାଖକୁ ପଠାଇଥିଲେ । ସେଥିରେ ୩ଲକ୍ଷ ଟଙ୍କା ଦେଲେ ଯାଇ ପୁଅକୁ ଛାଡିବେ ବୋଲି ମଧ୍ୟ କୁହାଯାଇଥିଲା । ଯାହାକୁ ଦେଖି ବାପାଙ୍କ ମୁଣ୍ଡରେ ଚଡକ ପଡିଥିଲା ।

ଶେଷରେ ଭିଡିଓ କୁ ନେଇ ପୋଲିସକୁ ଦେଖାଇବା ସହ ଏକ ଅପହରଣ ମାମଲା ରୁଜୁ କରିଥିଲେ ବାପା । ଅଭିଯୋଗ ପରେ ପୋଲିସ ଏକ ସ୍ଵତନ୍ତ ଟିମ୍ ଗଠନ କରି ଯେଉଁ ନମ୍ବରରୁ ଭିଡିଓ ପଠାଯାଇଥିଲା ସେହି ନମ୍ବରକୁ ଟ୍ରାକ କରି ପୋଲିସ ଶେଷରେ ଅଭିଯୁକ୍ତ ପାଖରେ ପହଞ୍ଚିଥିଲା । ଏବଂ ସମସ୍ତ ମିଛ ନାଟକରୁ ପରଦା ଉଠାଇଥିଲା । ଆଜି ଅଭିଯୁକ୍ତ ବୈକୁଣ୍ଠକୁ କୋର୍ଟ ଚାଲାଣ କରିଛି ପୋଲିସ । ତେବେ ଏମିତି ନାଟକ କରି ପୋଲିସର ମୂଲ୍ୟବାନ ସମୟ ନଷ୍ଟ ନକରିବା ପାଇଁ ସମସ୍ତଙ୍କୁ ଅପିଲ୍‌ କରିଛନ୍ତି ନୁଆପଡା ଏସପି ଜିଆର ରାଘବେନ୍ଦ୍ର।

 

 

Comments are closed.