Latest Odisha News

BREAKING NEWS

କଟକରେ ପଡି ରହିଥିଲା ମୃତଦେହ, ସହାୟତାର ହାତ ବଢାଇଲେ ମାଲକାନଗିରି ଯୁବ ନେତା

ମାଲକାନଗିରି: ପ୍ରକୃତିର ସର୍ବଶ୍ର୍ରେଷ୍ଠ ଜୀବ ମଣିଷ ଆଜି ଖୋଦ ନିଜ ଜାତିକୁ ତୁଚ୍ଛ ମନେ କରୁଛି । କଟକରେ ଚିକିତ୍ସାଧୀନ ଅବସ୍ଥାରେ ମାଲକାନଗିରିର ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ପଡି ରହିଥିଲା ତାଙ୍କ ମୃତଦେହ । ଏହି ଘଟଣାକୁ ନେଇ ସଂପୃକ୍ତ ହସ୍ପିଟାଲ ଅଣଦେଖା କରିବା ପରେ ମାଲକାନଗିରିର ଜଣେ ଯୁବ ନେତା ବୁଝାଇଥିଲେ ମାନବିକତାର ଅସଲ ସଂଜ୍ଞା ।

ମାଲକାନଗିରି ଜିଲ୍ଲାର ଏମ୍‌ଭି-୭୨ ଗାଁର ହରନ ସରକାର ଦୀର୍ଘ ବର୍ଷ ଧରି କ୍ୟାନ୍ସରରେ ପୀଡିତ ହୋଇ କଟକର ଆଚାର୍ଯ୍ୟ ହରିହର କର୍କଟ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଏଥିପାଇଁ ପରିବାର ଲୋକେ ସୁନାଗହଣାଠୁ ଆରମ୍ଭ କରି ଘରବାଡି ମଧ୍ୟ ବନ୍ଧା ପକାଇଥିଲେ । ତେବେ ଗତକାଲି ହରନଙ୍କର ମୃତ୍ୟୁ ଘଟିଥିଲା । ତାଙ୍କ ମୃତଦେହକୁ ମାଲକାନଗିରି ନେବା ପାଇଁ ପରିବାର ଲୋକଙ୍କ ପାଖରେ ଆବଶ୍ୟକୀୟ ଅର୍ଥ ନଥିଲା । ଏଥିପାଇଁ ସେମାନେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ନିକଟରେ ଗୁହାରୀ କରିଥିଲେ ହେଁ ହସ୍ପିଟାଲ କର୍ତ୍ତୃପକ୍ଷ କିନ୍ତୁ ଭ୍ରୁକ୍ଷେପ କରିନଥିଲେ ।

ନିରୁପାୟ ହୋଇ ମୃତ ହରନଙ୍କ ସ୍ତ୍ରୀ ଅନୀତା ଦୀର୍ଘ ସମୟ ଧରି ନିଜ ଦୁଇବର୍ଷର ଛୁଆକୁ ଧରି ସହାୟତା ଆଶାରେ ପଡି ରହିଥିଲେ । ଅନୀତାଙ୍କୁ ଦେଖି ତାଙ୍କଠୁ ସମସ୍ତ ଘଟଣା ବୁଝି କିଛି ସ୍ଥାନୀୟ ସହୃଦୟ ବ୍ୟକ୍ତି ସୋସିଆଲ ମିଡିଆରେ ସମସ୍ତ ଘଟଣାକୁ ବିସ୍ତୃତ ଭାବେ ପୋଷ୍ଟ କରିଥିଲେ । କିଛି ସମୟର ବ୍ୟବଧାନ ପରେ ସୋସିଆଲ ମିଡିଆ ପୋଷ୍ଟ ଉପରେ ମାଲକାନଗିରି ବିଜେଡି ଯୁବନେତା ରାହୁଲ ରାଓଙ୍କର ନଜର ପଡିଥିଲା । ଏହି ଘଟଣାକୁ ନେଇ ରାହୁଲ ରାଓ ତୁରନ୍ତ ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକାଙ୍କ ଦୃଷ୍ଟିି ଆକର୍ଷଣ କରିଥିଲେ । ପରେ ଚିତ୍ରକୋଣ୍ଡା ବିଧାୟକ କଟକ ସଦର ବିଧାୟକ ଚନ୍ଦ୍ର ସାରଥୀ ବେହେରାଙ୍କ ସହାୟତାରେ ହରନ ସରକାରଙ୍କ ମୃତଦେହକୁ ତାଙ୍କ ଗ୍ରାମକୁ ଆଣିବା ଲାଗି ଏକ ଆମ୍ବୁଲାନ୍ସର ବ୍ୟବସ୍ଥା କରିଥିଲେ ।

Leave A Reply

Your email address will not be published.