ଭୁବନେଶ୍ୱର: ନନ୍ଦନକାନନରେ ଶୋକ, ଆଖି ବୁଜିଲା ମହାବଳ ବାଘ ‘ସେଫ୍’। ଏବେ ପ୍ରାଣୀଉଦ୍ୟାନରେ ବାଘ ସଂଖ୍ୟା ୨୫କୁ ହ୍ରାସ ପାଇଛି। ପ୍ରାଣୀଉଦ୍ୟାନ ନନ୍ଦନକାନନର ୩୧-ଡି ଖୁଆଡ଼ରେ ରହୁଥିବା ସାଧାରଣ ରଙ୍ଗର ଅଣ୍ଡିରା ମହାବଳ ବାଘ ‘ସେଫ୍’ର ମୃତ୍ୟୁ ହୋଇଛି । ପ୍ରାୟ ୧୬ ବର୍ଷ ବୟସରେ ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ଯୋଗୁଁ ମୃତ୍ୟୁ ଘଟିଛି। ‘ସେଫ୍’ ଗତ କିଛିଦିନ ହେବ ବାର୍ଦ୍ଧକ୍ୟଜନିତ ଅସୁସ୍ଥତା କାରଣରୁ ଚିକିତ୍ସାଧୀନ ଥିଲା। ଗତ ସେପ୍ଟେମ୍ବର ୧୮ରୁ ଖାଦ୍ୟ ଗ୍ରହଣ ଧିରେ ଧିରେ କମାଇ ଦେଇଥିଲା ।
ନନ୍ଦନକାନନରେ ବାଘ ବଂଶବୃଦ୍ଧିରେ ମଧ୍ୟ ରହିଥିଲା ସେଫ୍ର ଗୁରୁତ୍ୱପୂର୍ଣ୍ଣ ଅବଦାନ। ବୟସ ବଢ଼ିବା ସହ ଦୁର୍ବଳ ହୋଇପଡ଼ିଥିଲା ସେଫ୍ର ସ୍ୱାସ୍ଥ୍ୟ । ଦାନ୍ତ ଦୁର୍ବଳ ହୋଇଯିବାରୁ ମାଂସ ଚୋବାଇ ଖାଇବା ତା ପାଇଁ କଷ୍ଟକର ହୋଇପଡ଼ିଥିଲା । ଏଥିପାଇଁ ତାକୁ ଖାଦ୍ୟ ଭାବେ ଅଣ୍ଡା ଦିଆଯାଉଥିଲା । ଗତ ଦୁଇ ଦିନ ହେବ ସେ ଖାଇବା ପିଇବା ସମ୍ପୂର୍ଣ୍ଣ ବନ୍ଦ କରିଦେଇଥିଲା । ଧୀରେ ଧୀରେ ଅତ୍ୟନ୍ତ ଦୁର୍ବଳ ହୋଇପଡ଼ିଥିଲା ।
ପ୍ରାଣୀ ଚିକିତ୍ସକମାନେ ତାକୁ ଆଣ୍ଟି-ଷ୍ଟ୍ରେସ୍ ଔଷଧ, ଭିଟାମିନ୍ ଓ ସାଲାଇନ୍ ଦେଇ ଚିକିତ୍ସା କରୁଥିଲେ । କିନ୍ତୁ ସମସ୍ତ ଚେଷ୍ଟା ସତ୍ତ୍ୱେ ସେଫ୍ର ଜୀବନ ବଞ୍ଚାଇବା ସମ୍ଭବ ହୋଇନଥିଲା । ମୃତ୍ୟୁ ପରେ ତାର ଶବ ବ୍ୟବଚ୍ଛେଦ କରାଯାଇ ଅନ୍ତିମ ସଂସ୍କାର କରାଯାଇଛି । ୨୦୧୧ ମସିହା ସେପ୍ଟେମ୍ବର ୨୪ ତାରିଖରେ ହାଇଦ୍ରାବାଦର ନେହେରୁ ଜୁଲୋଜିକାଲ ପାର୍କରେ ଭୀମା ଓ ଅପନ୍ନାଙ୍କ ଔରସରୁ ଜନ୍ମ ନେଇଥିଲା ସେଫ୍ । ପରେ ୨୦୧୬ ଡିସେମ୍ବର ୭ ତାରିଖରେ ତାକୁ ନନ୍ଦନକାନନକୁ ଅଣାଯାଇଥିଲା । ନନ୍ଦନକାନନରେ ରହିବା ସମୟରେ ଧଳା ବାଘୁଣୀ ସ୍ନେହା ଓ ବିଜୟାଙ୍କ ସହ ମିଳନ କରି ବାଘ ବଂଶବୃଦ୍ଧିରେ ଭୂମିକା ନେଇଥିଲା ସେଫ୍ ।
