ଝାରସୁଗୁଡ଼ା: ମଦରେ ନିଶାରେ ମାତାଲ ହୋଇ ଦୁଇ ସାଙ୍ଗ ତାଙ୍କର ଅତିପ୍ରିୟ ବନ୍ଧୁଙ୍କୁ ଛାତରୁ ଠେଲିଦେବା ଫଳରେ ଜଣେ ଯୁବକଙ୍କ ମର୍ମନ୍ତୁଦ ମୃତ୍ୟୁ ଘଟିଛି । ଏହି ଅଭାବନୀୟ ଘଟଣା ଘଟିଯାଇଛି ରବିବାର ରାତିରେ ଝାରସୁଗୁଡ଼ା ଦୁର୍ଲଗ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ।
ମୃତକ ଯୁବକ ଜଣକ ହେଲେ ତପନ ସାହୁ (୨୨) ।
ମିଳିଥିବା ସୂଚନାନୁଯାୟୀ, କାର୍ଯ୍ୟାଳୟ ଛାତ ଉପରେ ତପନଙ୍କ ସହିତ ତାଙ୍କର ଦୁଇ ବନ୍ଧୁ ଦେବରାଜ ସିଂହ ଏବଂ ଦେବେନ୍ଦ୍ର କହାଲିଙ୍କ ସହିତ ମଦ୍ୟପାନ ଯୋଗୁଁ ଉଚ୍ଚବାଚ ହୋଇଥିଲା ।
ମାତ୍ର ଏହା ଝିମିଟି ଖେଳରୁ ମହାଭାରତ ପରି ସାମାନ୍ୟ ବଚସା ଉଗ୍ର ରୂପ ଧାରଣ କରିଥିଲା । ଦୁଇ ବନ୍ଧୁ ଦେବରାଜ ଓ ଦେବେନ୍ଦ୍ର ତପନଙ୍କୁ ଛାତରୁ ତଳକୁ ଠେଲି ଦେଇଥିଲେ, ଏହାଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା ।
ଘଟଣା ସମ୍ପର୍କରେ ଜାଣି ପୋଲିସ ତୁରନ୍ତ ସେଠାକୁ ଆସି ତପନକୁ ଡ଼ାକ୍ତରଖାନାକୁ ନେଇଥିଲେ, ମାତ୍ର ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଥିବା ଡ଼ାକ୍ତର ସୂଚନା ଦେଇଥିଲେ ।
ପୋଲିସ ଦୁଇ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ଯୁବକଙ୍କୁ ଥାନାରେ ଅଟକ ରଖିଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତ ଫେରାର ଅଛନ୍ତି ।
ଏହି ଘଟଣାକୁ ନେଇ ପୋଲିସ ତଦନ୍ତ ଜାରି ରଖିଛି ।
Comments are closed.