ଭୁବନେଶ୍ୱର: ବନ୍ଦଘରୁ ମିଳିଲା ଯୁବକଙ୍କ ମୃତଦେହ । ପ୍ରେମିକାଙ୍କୁ ଭିଡିଓ କଲ୍ କରି ଫ୍ୟାନ୍ରେ ବେଡଶିଟ୍ ବାନ୍ଧି ଆତ୍ମହତ୍ୟା କରିଛନ୍ତି ଯୁବକ ଜଣଙ୍କ । ମୃତକ ହେଲେ ଖୋର୍ଦ୍ଧା ଜିଲା ବୋଲଗଡ଼ ଅଞ୍ଚଳର ୨୪ ବର୍ଷୀୟ ପ୍ରଭୁପାଦ ମହାରଣା । ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ଡମଣା ଛକ ନିକଟରେ ଥିବା ଆତ୍ମାରାମ୍ ଆପାର୍ଟମେଣ୍ଟସ୍ଥିତ ଏକ ବନ୍ଦ ଘରୁ ପ୍ରଭୁପାଦଙ୍କ ମୃତଦେହକୁ ପୋଲିସ ଜବତ କରି କ୍ୟାପିଟାଲ ହସ୍ପିଟାଲରେ ବ୍ୟବଚ୍ଛେଦ କରାଇଛି। ପରେ ତାଙ୍କ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଏନେଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।
ଖବର ଅନୁଯାୟୀ, ପ୍ରଭୁପାଦ ଚନ୍ଦ୍ରଶେଖରପୁର ଅଞ୍ଚଳରେ ଏକ ରେଷ୍ଟୁରାଣ୍ଟରେ ରୋଷେୟା ଭାବେ କାମ କରୁଥିଲେ । ସେ ୫ ବର୍ଷ ହେଲା ଭଦ୍ରକ ଅଞ୍ଚଳର ଜଣେ ଯୁବତୀଙ୍କୁ ପ୍ରେମ କରୁଥିଲେ । କିଛିଦିନ ହେଲା ସେମାନଙ୍କ ସମ୍ପର୍କରେ ତିକ୍ତତା ସୃଷ୍ଟି ହୋଇଥିଲା। ତେଣୁ ପ୍ରଭୁପାଦ ଏହାକୁ ନେଇ ଚିନ୍ତାରେ ଥିଲେ । ଆଜି ସକାଳେ ତାଙ୍କ ପ୍ରେମିକାଙ୍କୁ ଭିଡିଓ କଲ୍ କରି ସେ ଆତ୍ମହତ୍ୟା କରିଥିବା କହିଥିଲେ । ଯୁବତୀ ଜଣକ ତୁରନ୍ତ ଏନେଇ ରେଷ୍ଟୁରାଣ୍ଟ ମ୍ୟାନେଜରଙ୍କୁ ଜଣାଇଥିଲେ । ମ୍ୟାନେଜର ଓ ସ୍ଥାନୀୟ ଲୋକେ ପୋଲିସକୁ ଏନେଇ ଖବର ଦେବା ପରେ ସମସ୍ତେ ତାଲା ଭାଙ୍ଗି ଘରେ ପଶିଥିଲେ । ହେଲେ ସେତେବେଳକୁ ପ୍ରଭୁପାଦଙ୍କ ମୃତ୍ୟୁ ହୋଇଯାଇଥିଲା । ମୃତଦେହ ସାମ୍ନାରେ ପ୍ରଭୁପାଦଙ୍କ ମୋବାଇଲ ଭିଡିଓ କଲ୍ ମୋଡ୍ରେ ରହିଥିବା ସମସ୍ତେ ଦେଖିବାକୁ ପାଇଥିଲେ । ତେବେ ପ୍ରେମିକାଙ୍କୁ ତଦନ୍ତ ପରିସରକୁ ଆଣିବାକୁ ପ୍ରଭୁପାଦଙ୍କ ଭାଇ ଦାବି କରିଛନ୍ତି । ପୋଲିସ ପ୍ରଭୁପାଦଙ୍କ ମୋବାଇଲ ଜବତ କରିଛି । ସେଥିରେ ଥିବା ମେସେଜ୍, କଲ୍ ଡିଟେଲ୍ସ ଓ ହ୍ବାଟ୍ସଆପ୍ ଚାଟ୍ ଆଦିରୁ ପୋଲିସ ଏହି ମାମଲାରେ ବଳିଷ୍ଠ ପ୍ରମାଣ ପାଇବାକୁ ଆଶା ରଖିଛି ।
Comments are closed.