Latest Odisha News

BREAKING NEWS

ଖେଳନା ବନ୍ଧୁକ ଦେଖାଇ ବ୍ୟାଙ୍କରୁ ଲୁଟ୍, ଖସି ଯିବା ବେଳେ ମାଡି ବସିଲେ ଲୋକ

ଭୁବନେଶ୍ୱର: ଖେଳନା ବନ୍ଧୁକ ଦେଖାଇ ବ୍ୟାଙ୍କରୁ ଲୁଟ୍ ଉଦ୍ୟମ ପଣ୍ଡ । ଧରାପଡ଼ିଲା ଅଭିଯୁକ୍ତ । ଗୋଡ଼େଇ ଧରିଲେ ସ୍ଥାନୀୟ ଲୋକ । ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଅଟଳା ଷ୍ଟେଟ ବ୍ୟାଙ୍କରୁ ଗତକାଲି ଲୁଟ୍ ଉଦ୍ୟମ ହୋଇଥିଲା । ଏହି ଘଟଣାରେ ବାଲିଅନ୍ତା ଅଞ୍ଚଳର ଉମା ଶଙ୍କର ପରିଡ଼ାକୁ ଗିରଫ କରାଯାଇଛି ।

ଗତକାଲି ସନ୍ଧ୍ୟା ୫ଟାରେ ବ୍ୟାଙ୍କ ବନ୍ଦ ସମୟରେ ଲୁଟେରା ଉମାଶଙ୍କର ବ୍ୟାଙ୍କ ଭିତରେ ପଶିଥିଲା । ପିଅନଙ୍କୁ ଛୁରି ଦେଖାଇ ଭୟଭୀତ କରିଥିଲା । ଏହାପରେ ତାଙ୍କ ବେକରେ ଛୁରି ଲଗାଇ ଶାଖା ପରିଚାଳକ ଓ ଅନ୍ୟ କର୍ମଚାରୀଙ୍କୁ ‌ଭୟଭୀତ କରାଇ ରେକର୍ଡ ରୁମରେ ପୂରାଇ ବାହାର ପଟୁ ବନ୍ଦ କରି ଦେଇଥିଲା ।
କ୍ୟାସିୟରଙ୍କୁ ଭୟଭୀତ କରାଇ ଡ୍ରରେ ଥିବା ୮ ଲକ୍ଷ ଟଙ୍କା  ଓ ଲକରରେ ଥିବା ସମସ୍ତ ସୁନା ଗହଣାକୁ ବ୍ୟାଗରେ ପୂରାଇ ପାଚେରୀ ଡେଇଁ ଖସି ପଳାଉଥିଲା ଅଭିଯୁକ୍ତ । ଚୋରକୁ ଧରିବା ପାଇଁ କର୍ମଚାରୀଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକ ଗୋଡ଼ାଇଥିଲେ । କାଦୁଅ ବିଲ ଭିତରେ ଦୌଡ଼ି ଖସି ପଳାଇବାକୁ ଉଦ୍ୟମ କରିବା ବେଳେ କାବୁ ହୋଇଥିଲା ଲୁଟେରା ।
ପରେ ବାଲିଅନ୍ତା ପୋଲିସ ପହଞ୍ଚି ଅଭିଯୁକ୍ତ ଉମାଶଙ୍କର ପରିଡ଼ାକୁ ଗିରଫ କରିଥିଲା । ଲୁଟ୍ କରିଥିବା ଟଙ୍କା, ସୁନା ଅଳଙ୍କାର ଜବତ କରିଛି ପୋଲିସ । ସେ ସାଙ୍ଗରେ ଆଣିଥିବା ବାଇକ୍, ଛୁରୀ ଓ ଖେଳନା ବନ୍ଧୁକ ବି ଜବତ ହୋଇଛି । ବ୍ୟାଙ୍କ ଶାଖା ପରିଚାଳକଙ୍କ ସହ ଅନ୍ୟ କର୍ମଚାରୀଙ୍କୁ ପଚରାଉଚରା କରିଛି ପୋଲିସ ।

Leave A Reply

Your email address will not be published.