Latest Odisha News

BREAKING NEWS

ଶର୍ମିଳାଙ୍କ ହାତ ଧରିଲେନି ରାହୁଲ, ଏବେ ଏକା ଲଢ଼ିବେ

ଭୁବନେଶ୍ୱର: ଉଦ୍ୟମ ବ୍ୟର୍ଥ ହେଲା। ଆଶା ଭାଙ୍ଗିଗଲା। ଆଉ କଂଗ୍ରେସ ସହ ନୁହେଁ ବରଂ ଏକାକୀ ତେଲେଙ୍ଗାନାର ସମସ୍ତ ୧୧୯ ଟି ବିଧାନସଭା ସିଟରେ ପ୍ରାର୍ଥୀ ଦେବାକୁ ଘୋଷଣା କରିଛନ୍ତି ୱାଇଏସଆର ତେଲେଙ୍ଗାନା ପାର୍ଟି ମୁଖ୍ୟ ୱାଇଏସ ଶର୍ମିଳା।

ହାଇଦ୍ରାବାଦରେ ଆୟୋଜିତ ଏକ ଦଳୀୟ ବୈଠକରେ ସେ ଏହି ନିଷ୍ପତ୍ତି ଶୁଣାଇଛନ୍ତି। କଂଗ୍ରେସ ସହ ମେଣ୍ଟ କିମ୍ବା ମିଶ୍ରଣକୁ ନେଇ କେବେଠୁ ସେ ଉଦ୍ୟମ କରୁଥିଲେ।

କଂଗ୍ରେସର ପ୍ରମୁଖ ଆଗ ଧାଡ଼ିର ନେତାଙ୍କ ସମେତ ଖୋଦ ରାହୁଲ ଓ ସୋନିଆ ଗାନ୍ଧୀଙ୍କ ସହ ଦିଲ୍ଲୀରେ ସାକ୍ଷାତ ଆଲୋଚନା ମଧ୍ୟ ହୋଇଥିଲା। ମିଶ୍ରଣ ନେଇ ତାରିଖ ପରେ ତାରିଖ ଗଡି ଚାଲିଥିଲା। କିନ୍ତୁ ଶେଷରେ ଏହା ବିଫଳ ହୋଇଛି।

ଏବେ ନିଜ ଦମରେ ତାଙ୍କ ଦଳ ସବୁ ସିଟରେ ଲଢ଼ିବ ବୋଲି କହିଛନ୍ତି ଶର୍ମିଳା। ସେ ନିଜେ ଖମ୍ମମ ଜିଲ୍ଲାର ପାଲାଇର ଆସନରୁ ଲଢ଼ିବେ ବୋଲି କହିଥିବା ବେଳେ ତାଙ୍କ ମା ୱାଇ ଏସ ବିଜୟଲକ୍ଷ୍ମୀ ତଥା ସମ୍ପର୍କୀୟ ଅନିଲ କୁମାର ମଧ୍ୟ ନିର୍ବାଚନ ଲଢ଼ିବେ।

ବିଆରଏସ ବିରୋଧରେ ଥିବା ଆଣ୍ଟି ଇନକମ୍ବାନସି ଭୋଟକୁ ଭାଗ ଭାଗ ନ କରିବା ପାଇଁ ସେ ନିଜ ଦଳକୁ କଂଗ୍ରେସ ସହ ମିସାଇବାକୁ ଚାହୁଁଥିବା କହିଛନ୍ତି। କିନ୍ତୁ କଂଗ୍ରେସ ପକ୍ଷରୁ କିଛି ଚୂଡାନ୍ତ ନିଷ୍ପତ୍ତି ନିଆ ନ ଯିବାରୁ ତାଙ୍କ ଦଳ ଏକା ଲଢ଼ିବାକୁ ନିଷ୍ପତ୍ତି ନେଇଛି।

ସୂଚନା ଅନୁଯାୟୀ ଶର୍ମିଳା ତେଲେଙ୍ଗାନା ରାଜନୀତିରେ ଆଗ୍ରହ ରଖିବା ସହ ପାଲାଇର ଆସନରୁ ଲଢ଼ିବାକୁ ଚାହୁଁଥିବାବେଳେ କଂଗ୍ରେସ ନେତୃତ୍ୱ ତାଙ୍କୁ ଖମ୍ମମ ଲୋକସଭା ସିଟରୁ ଲଢ଼ିବାକୁ କହିଥିଲା।

ଏପରିକି ଆନ୍ଧ୍ରପ୍ରଦେଶରେ ଦଳୀୟ କଥା ବୁଝିବାକୁ କୁହାଯାଇଥିଲା। ଯାହାକୁ ନେଇ ସହମତି ହୋଇପାରି ନ ଥିବା କୁହାଯାଉଛି । ତେଲେଙ୍ଗାନା ନିର୍ବାଚନ ଘୋଷଣା ହୋଇସାରିଥିଲେ ମଧ୍ୟ କଂଗ୍ରେସ କିଛି ସ୍ପଷ୍ଟ ନ କରିବାରୁ ସେ ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡିଛି।

Comments are closed.