Latest Odisha News

BREAKING NEWS

କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲରେ ‘ଇନସ୍ପିରୋନ୍ ପ୍ରଦର୍ଶନୀ ଓ ଫନ୍ ବିଙ୍ଗ୍‌’ କାର୍ଯ୍ୟକ୍ରମ

ଭୁବନେଶ୍ୱର: କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲ ପକ୍ଷରୁ ଶୁକ୍ରବାର “ଇନ୍‌ସ୍ପିରୋନ ପ୍ରଦର୍ଶନୀ ଏବଂ ଫନ୍ ବିଙ୍ଗ୍‌’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଉପାଧ୍ୟକ୍ଷ ପ୍ରିୟା ବାଧୱା ଓ ଅନ୍ତର୍ଜାତୀୟ ପାଠ୍ୟକ୍ରମ ମୁଖ୍ୟ ରୋରି ମ୍ୟାକନାମାରା ପ୍ରମୁଖଙ୍କ ଉପସ୍ଥିତିରେ ଇଣ୍ଟରନ୍ୟାସ୍‌ନାଲ୍ ସ୍କୁଲ ଅଧ୍ୟକ୍ଷ ଡ. ସଞ୍ଜୟ ସୁଆର ଉଦ୍‌ଘାଟନ କରିଥିଲେ । ଏହି ପ୍ରଦର୍ଶନୀ ସ୍କୁଲ୍‌ର କ୍ଲବ୍‌ଗୁଡ଼ିକୁ ନେଇ ଆୟୋଜନ କରାଯାଇଥିଲା । ଏଥିରେ ଛାତ୍ରଛାତ୍ରୀମାନେ ଖାଦ୍ୟ ଷ୍ଟଲ, କୌତୁକ କ୍ରୀଡ଼ା ସମେତ ବିଜ୍ଞାନ ଭିତ୍ତିକ ପ୍ରକଳ୍ପ ପ୍ରଦର୍ଶନ କରିଥିଲେ । ଚନ୍ଦ୍ରାୟନ- ୩ଠାରୁ ଆରମ୍ଭ କରି ଲେଖକ ଜୟନ୍ତ ମହାପାତ୍ରଙ୍କୁ ଜନ୍ମଦିନର ଶ୍ରଦ୍ଧାଞ୍ଜଳି, ବୁକ୍ ଫ୍ଲେକ୍ସ, ଜି-୨୦ ଇଣ୍ଡିଆ ଆଦି ବିଷୟକୁ ନେଇ ଛାତ୍ରଛାତ୍ରୀମାନେ ନିଜ ନିଜ ପ୍ରକଳ୍ପ ଉପସ୍ଥାପନ କରିଥିଲେ ।

ଏହି ପ୍ରଦର୍ଶନୀରେ ବିଦ୍ୟାଳୟର ପ୍ରତିଭାବାନ ଛାତ୍ରଛାତ୍ରୀଙ୍କ ଦ୍ୱାରା ନିର୍ମିତ ଅଭିନବ ପ୍ରକଳ୍ପ ସବୁ ପ୍ରଦର୍ଶିତ ହୋଇଥିଲା । ଏଥିରେ ଅତ୍ୟାଧୁନିକ ଜ୍ଞାନକୈଶଳଠାରୁ ଆରମ୍ଭ କରି ବୈଷୟିକ ଉଦ୍ଭାବନ, ଆକର୍ଷଣୀୟ କଳାକୃତି ଏବଂ ସାମାଜିକ ପଦକ୍ଷେପକୁ ଆଧାର କରି ପ୍ରତିଭା ଏବଂ ସର୍ଜନଶୀଳତା ପ୍ରତିଫଳିତ ହୋଇଥିଲା । ଏଥିରେ ବିଚାରକ ଭାବେ ଡିଏଭି କଟକର ପୂର୍ବତନ ଅଧ୍ୟକ୍ଷା ମୌସୁମୀ ଦାସ, କେଭି-୬ ସିନିୟର ପିଜିଟି ଏଚ୍ ସି ମୁର୍ମୁ ଓ ଜୀବବିଜ୍ଞାନ ପ୍ରଶିକ୍ଷଣ ବିଶେଷଜ୍ଞ ସୌମ୍ୟ ରଞ୍ଜନ ପଟ୍ଟନାୟକ ଯୋଗ ଦେଇଥିଲେ । ଶିକ୍ଷା ଏବଂ ମନୋରଞ୍ଜନର ଏହି ଉତ୍ସବରେ ଶତାଧିକ ଛାତ୍ରଛାତ୍ରୀମାନେ ବହୁ ଆଗ୍ରହର ସହ ଅଂଶ ଗ୍ରହଣ କରିଥିଲେ ।

ସୂଚନାଯୋଗ୍ୟ, କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ପ୍ରୟାସ ଓ କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲ ଚେୟାରପର୍ସନ ଡ.ମୋନାଲିସା ବଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱ୍ୱାବଧାନ କ୍ରମେ ପ୍ରତିବର୍ଷ ପିଲାମାନଙ୍କ ବୌଦ୍ଧିକ ଓ ସର୍ଜନାତ୍ମକ ବିକାଶ ପାଇଁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଆସୁଛି । ଏଥିରେ ରାଜ୍ୟର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ସେମାନଙ୍କ ପ୍ରତିଭା ପ୍ରଦର୍ଶନର ସୁଯୋଗ ପାଇଆସୁଛନ୍ତି ।

Leave A Reply

Your email address will not be published.