Latest Odisha News

BREAKING NEWS

ଭିଡିଓ ମିଟିଂ ପାଇଁ ବ୍ୟବହାର ହେଉଥିବା ଜୁମ୍ ଆପ୍ ସୁରକ୍ଷିତ ନୁହେଁ : ଗୃହ ମନ୍ତ୍ରଣାଳୟ

ନୂଆଦିଲ୍ଲୀ : ଭାରତରେ ଭିଡିଓ କଲିଂ ଓ ମିଟିଂ ପାଇଁ ବହୁଳ ଭାବରେ ବ୍ୟବହାର ହେଉଥିବା ଜୁମ୍ ଆପ୍ ସୁରକ୍ଷିତ ନୁହେଁ ବୋଲି ଗୃହ ମନ୍ତ୍ରଣାଳୟ ପକ୍ଷରୁ ସତର୍କ କରାଯାଇଛି । ଏଥି ସହିତ କେନ୍ଦ୍ର ସରକାରଙ୍କ ପକ୍ଷରୁ ସରକାରୀ କାର୍ଯ୍ୟ ପାଇଁ କର୍ମଚାରୀ ଓ ଅଫିସରେ ଏହି ଜୁମ୍ ଆପ୍ ବ୍ୟବହାର ନେଇ କଟକଣା ଲଗାଯାଇଛି ।

ତେବେ ଯଦି କୌଣସି ବ୍ୟକ୍ତି ଘରୋଇ କାମ ପାଇଁ ଜୁମ୍ ଆପ୍ ବ୍ୟବହାର କରିବାକୁ ଚାହୁଁଛନ୍ତି ତେବେ ସେମାନଙ୍କ ପାଇଁ କେତେକ ସତର୍କତା ନିୟମାବଳୀ ଭାରତ ସରକାରଙ୍କ ସାଇବର କୋଅଡିନେସନ ସେଂଟର ପକ୍ଷରୁ ଜାରି କରାଯାଇଛି । ଏଥି ମଧ୍ୟରେ ରହିଛି ଭିଡିଓ କନଫରେନ୍ସ ମଧ୍ୟକୁ ଅନଧିିକୃତ ପ୍ରବେଶକୁ ରୋକିବା, କୌଣସି ଅଣସ୍ୱୀକୃତ ଅଂଶଗ୍ରହଣକାରୀଙ୍କୁ ଅନ୍ୟମାନଙ୍କର ମୋବାଇଲ କିମ୍ବା କମ୍ପ୍ୟୁଟରର ଅପବ୍ୟବହାର କରିବାରୁ ରୋକିବା । ଏଥି ସହିତ ସମସ୍ତ ବ୍ୟବହାରକାରୀଙ୍କୁ ପାସ୍ ୱାର୍ଡ ଓ ପ୍ରବେଶ ଅନୁମତି କଟକଣା ଦ୍ୱାରା ଡିଓଏସ୍ (ଡିନାଏଲ୍ ଅଫ୍ ସର୍ଭିସେସ୍‌) ଆଟାକ୍ ରୋକିବା ପାଇଁ ପରାମର୍ଶ ଦିଆଯାଇଛି ।

ସୁରକ୍ଷା ଦୃଷ୍ଟିରୁ ଏସବୁ ପ୍ରତି ଧ୍ୟାନ ଦେବାକୁ ନିଷ୍ପତ୍ତି ହୋଇଛି । ପ୍ରତି ମିଟିଂ ପାଇଁ ନୂଆ ଆଇଡି ଓ ପାସ୍ ୱାର୍ଡ ରଖିବାକୁ କୁହାଯାଇଛି । ୱେଟିଙ୍ଗ ରୁମର ବ୍ୟବସ୍ଥା ରହିବ । ମିଟିଂ ବେଳେ ହୋଷ୍ଟ ଚାହିଁଲେ ହିଁ ବ୍ୟବହାରକାରୀ ଏଥିରେ ପ୍ରବେଶ କରିପାରିବେ । ହୋଷ୍ଟ ବା ଆୟୋଜକ ଯୋଗ ଦେବା ପୂର୍ବରୁ ଅନ୍ୟ କେହି ଯୋଗ ଦେବା ବ୍ୟବସ୍ଥା ରଖାଯିବ ନାହିଁ । ଅଂଶଗ୍ରହଣକାରୀଙ୍କୁ ମିଟିଂରେ ପ୍ରବେଶ କରାଇବା କିମ୍ବା ସେଥିରୁ ବାହାର କରିବାର ବ୍ୟବସ୍ଥା ରହିଥିବା ଦରକାର । ଯଦି ଦରକାର ନାହିଁ ତେବେ ଫାଇଲ ଟ୍ରାନ୍ସଫର ଉପରେ ରୋକ ଲଗାଯିବ । ଥରେ ସବୁ ଅଂଶଗ୍ରହଣକାରୀ ଆସିବା ପରେ ମିଟିଂକୁ ଲକ୍ କରିଦିଆଯିବା ଆବଶ୍ୟକ ବୋଲି ପରାମର୍ଶ ଦିଆଯାଇଛି । ହୋଷ୍ଟ ହିଁ କେ୍‌ବଳ ସ୍କ୍ରିନ ସେୟାରିଂ ବ୍ୟବସ୍ଥା ରଖିବାକୁ ଏଥିରେ କୁହାଯାଇଛି । ଅନେକ ସମୟରେ ଖଳ ପ୍ରକୃତିର ଲୋକ ଏହାକୁ ବ୍ୟବହାର କରି ଆପତ୍ତି ଜନକ ଫଟୋ ଓ ଭିଡିଓ ପୋଷ୍ଟ କରୁଥିବା ଦେଖାଯାଇଛି ।


ସୂଚନାଯୋଗ୍ୟ ଯେ, କରୋନା ସଂକ୍ରମଣ ପରେ ଜାରି ହୋଇଥିବା ଲକ୍ ଡାଉନ ଯୋଗୁଁ ଜୁମ୍ ଆପ୍‌ର ବ୍ୟବହାର ହଠାତ୍ ବୃଦ୍ଧି ପାଇଥିବା ଦେଖାଦେଇଥିଲା । ଏଥି ସହିତ ଗୁଗୁଲ ଓ ଷ୍ଟାଣ୍ଡାର୍ଡ ଚାଟର୍ଡ ଭଳି ଅନେକ ସଂସ୍ଥା ସେମାନଙ୍କ କର୍ମଚାରୀଙ୍କୁ ଜୁମ୍ ଆପ ବ୍ୟବହାରରୁ ଦୂରେଇ ରହିବାକୁ କହିଥିବା ଜଣାପଡିଛି ।

Leave A Reply

Your email address will not be published.