Latest Odisha News

BREAKING NEWS

ଅର୍ଥନୀତିର ଅର୍ଥାନ୍ତର…

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ: ଶବ୍ଦ ତୂଣୀର…

ଦୁନିଆ ଦୋହଲା ଦୁଃଖ କଷ୍ଟ ବେଦନା ଆଉ ଯାତନାର ଜୂପକାଠରେ ବଳିପଡିବାକୁ ଯାଉଥିବା ଅର୍ଥନୀତି ଏବେ ବଦଳାଇଦେବ ତା’ର ଚିର ପରିଚିତ ସଂଜ୍ଞା । ଜୀବନଶୈଳୀର ଅଦ୍ଭୁତପୂର୍ବ ପରିବର୍ତ୍ତନ ଆଜି ଅର୍ଥନୀତିକୁ ତା’ର ସଂଜ୍ଞା ପରିବର୍ତ୍ତନ ପାଇଁ ବାଧ୍ୟ କରିବା ଆଶଙ୍କା ଐଶ୍ୱର୍ଯ୍ୟଶାଳୀ ଆମେରିକା ଠାରୁ ଆରମ୍ଭ କରି ଇଥିଓପିଆ ପର୍ଯ୍ୟନ୍ତ ପ୍ରକାଣ୍ଡକାୟ ଅଶୁଭ ସକୁନର କରାଳ ପକ୍ଷଛାୟା ପରି ଆସନ୍ନ । ଏଥିସହିତ ଏ ଦେଶର କରୁଣ ଆକାଶକୁ ବଡ ଦାରୁଣ ଭାବରେ ଆତଙ୍କିତ କରିବାକୁ ବସିଲାଣି ଅସଲ ଲୁଟେରା ପଙ୍ଗପାଳବାହିନୀର ଅବାଂଛନୀୟ ଆଗମନ । ଏଣିକି ଆମ ଆଖିଦେଖା ଦୁନିଆର ଦିନସବୁ ରାତି ପାଲଟିଯିବାକୁ ଡେରି ହେବନାହିଁ । ଆଜି ଆମ ଗାଁ ଗଡଜାତର ମାଆମାନେ ବୋଧହୁଏ, ଏ ପଙ୍ଗପାଳବାହିନୀର କରାଳ ପାଖରେ ଆଛାଦିତ ଏକର ଏକର ବ୍ୟାପି ଫସଲ କ୍ଷେତ ଉପରେ ଦିଶୁଥିବା ଆକାଶ ଆଡକୁ ନିଜ ନିଜ କଅଁଳା ଛୁଆମାନଙ୍କୁ ଦେଖାଇ ତାଙ୍କ କାନ୍ଦ ବନ୍ଦ କରିବାକୁ ଛୁଟାଇ ସାରିଲେଣି ଗୀତର ଲହର – ଆ ଜହ୍ନମାମୁଁ ସରଗ ଶଶି ।ଆଜି ଏ ବିଶ୍ୱର ବର୍ତ୍ତମାନଟା କି ବିକୃତ, କି ବିଭତ୍ସ, କି ବିକଳାଙ୍ଗ! ବିଶାଳ ବିରଧା ଭାଷଟାଏ ଏ ବିଶ୍ୱ……. ଯାହାକୁ ଆମେ ପୃଥିବୀ କହିଲେ ଉପହାସ କରିବ ଇତିହାସ – ଲଜ୍ଜା ଆଉ ସଂକୋଚରେ ମୁହଁ ଘୋଡାଇବେ ଆମ ପୂର୍ବପୁରୁଷ । ଏ ବିଶ୍ୱ ଗୋଟିଏ ବିକଳ ଭଗ୍ନସ୍ତୁପ । ନଂପୁଶକ ନାୟକହୀନ ରାଜନୀତି ଉତ୍କଟ ଉପଧ୍ୱଂସ ପରି ଆକ୍ରାନ୍ତ କରିସାରିଛି ସମଗ୍ର ବିଶ୍ୱକୁ । ନେତୃତ୍ୱର ସଂକଟ ସହିତ ମୂଲ୍ୟବୋଧର ମୃତ୍ୟୁ ଆଜି ବିଶ୍ୱ ରାଜନୀତିକୁ ପରିଣତ କରିଛି କେବଳ କଂସେଇମାନଙ୍କ କାରଖାନାରେ ।

ଅଧିକ ପଢନ୍ତୁ: ବିଷାଦ ବ୍ୟାଧିର ବଳୟରେ ବିଶ୍ୱ…

ବର୍ତ୍ତମାନର ରାଜନୀତି କ୍ଷେତ୍ରରେ ଶୋଷକ ହିଁ ସାଜିଛନ୍ତି ଶାସକଶ୍ରେଣୀ । ଦୁର୍ବୃତ୍ତମାନେ ହିଁ ପାଲଟିଛନ୍ତି ଦ୍ୱାରପାଳ । ମାଫିଆ ବନିଛି ମୁଖିଆ । ଗୁଣ୍ଡା ପାଲଟିଛି ଭେଣ୍ଡା, ଜିରୋ ହୋଇଛି ହିରୋ! ଚଂଚକ ରାଜନୀତି ଚଳୁ କରିବାକୁ ବସିଛି ସମଗ୍ର ବିଶ୍ୱକୁ । ରାଜନୈତିକ ଦୁର୍ନିତୀ ଏ ଭ୍ରଷ୍ଟାଚାର ସହିତ ଅର୍ଥନୈତିକ ଶୋଷଣ ସହିତ ଗଢିଉଠିଛି ଖୋଲାଖୋଲି ସଂପର୍କ । ଭିନ୍ନ ଭିନ୍ନ ନାଁ ଓ ଦଳ ଦଖଲ କରିନେଇଛନ୍ତି ଭିନ୍ନ ଭିନ୍ନ କିଆରି । ଜନସ୍ୱାର୍ଥ ନୁହେଁ – ଆତ୍ମସ୍ୱାର୍ଥ ଓ ନ୍ୟସ୍ତସ୍ୱାର୍ଥ ହିଁ ଆଜି ଏକମାତ୍ର ଆଭିମୁଖ୍ୟ ।ସମ୍ପ୍ରତି ବିଶ୍ୱ ଅର୍ଥନୈତିକ ସଂକଟ ଭୟଙ୍କର ରୂପ ପ୍ରଦର୍ଶନ କରିସାରିଲାଣି । ବିଶ୍ୱର ଏକନମ୍ବର ଧନୀରାଷ୍ଟ୍ର ଆମେରିକା, ଦୁଇନମ୍ବର ଚିନ୍‌, ଜାପାନ୍‌ର ଆର୍ଥିକ ସ୍ଥିତି ସୁଦ୍ଧା ଶୌଚନୀୟ ସ୍ତରକୁ ଗତିକରୁଛି । ଏସିଆ ମହାଦେଶର ତୃତୀୟ ବୃହତମ ଧନୀରାଷ୍ଟ୍ର ଭାରତର ଅର୍ଥନୀତି ମଧ୍ୟ ଉଦ୍‌ବେଗଜନକ ଅବସ୍ଥାରେ ପହଂଚିଛି । ଏବେ କିନ୍ତୁ ରାଜନୀତିକୁ ପୋଷା ମନାଇ ଆହୁରି ପାଶବୀୟ ପରିବେଶ ସୃଷ୍ଟିକରିଛି ଏକ ଧୃତ, ଧୂସର ଅର୍ଥନୀତି । ବିଶ୍ୱର ସର୍ବବୃହତ ଧନୀରାଷ୍ଟ୍ର ଆମେରିକାର ଅତିକାୟ ଅହଂକାର ଅଦୂର ଭବିଷ୍ୟତରେ କିନ୍ତୁ ଧୂଳିସାତ୍ ହେବାକୁ ଯାଉଛି । ବିଶ୍ୱର କୋଟିକୋଟି ସାଧାରଣ ନିରୀହ ଲୋକଙ୍କ ତାଜା ରକ୍ତରେ ଆମେରିକାର ଅର୍ଥନୀତି ସମୃଦ୍ଧ ହୋଇଥିଲା । ଚିନ୍‌, ଋଷିଆ, ଜାପାନ୍ । ଏବେ ଭାରତର ପାଳି – ଆମେରିକାର ପରୀକ୍ଷାଗାରରେ ବଳିପଡିବାପାଇଁ । ସରକାରୀ ଜର୍ସି ପିନ୍ଧି ବସିଥିବା ଆମ ଶାସକ ଓ ଜର୍ଜରିତ ଶୋଷକଶ୍ରେଣୀ ଶତ୍ରୁ ପ୍ରଶାସକବର୍ଗ ଆମେରିକାର ଆଭିମୂଖ୍ୟକୁ କାଏମ ରଖି ବର୍ଷ ବର୍ଷ ବିଶ୍ୱାସଘାତକର ବର୍ବର ପର୍ବ ପାଳିଚାଲିଛନ୍ତି ଆମ ବିଶ୍ୱାସ ଓ ବିବେକକୁ ତୀବ୍ର କୁଠାରଘାତ କରି କରି ।

ଭାରତବର୍ଷ ଆମେରିକାର ଜାଲିଆତି ଜାଲରେ ଛନ୍ଦି ହୋଇଯାଇଛି । ୧୯୯୧ରେ ଦେଶର ଅର୍ଥନୈତିକ ଦୂରାବସ୍ଥା ଯୋଗୁ ଆମେ ବାଧ୍ୟହୋଇ ବିଶ୍ୱବ୍ୟାଙ୍କର ଦ୍ୱାରସ୍ଥ ହେଲେ । ବିଶ୍ୱବ୍ୟାଙ୍କ ଆମ ଅର୍ଥନୀତିକୁ ସଂସ୍କାର ଆଣିବାପାଇଁ ଉଦାରିକାରଣ ରାସ୍ତାରେ ଯିବାକୁ ବାଧ୍ୟ କଲେ ।

ଅଧିକ ପଢନ୍ତୁ: କରୋନାର କରାଳ କାଳ ବଳୟ ପରର ପୃଥିବୀ

ଏବେ ୨୦୨୦ ମସିହାରେ ଭୟଙ୍କର ଅର୍ଥନୈତିକ ଦୂରାବସ୍ଥାରୁ ମୁକୁଳିବା ପାଇଁ ପୁନଃଶ୍ଚ ବିଶ୍ୱବ୍ୟାଙ୍କ, ଆର୍ନ୍ତଜାତିକ ମୁଦ୍ରାପାଣ୍ଠିର ଶରଣ ପଶିବାକୁ ହେବ । ତାଙ୍କ ସର୍ତରେ ଆମେ ବାଧ୍ୟହୋଇ ସ୍ୱାକ୍ଷର କରିବା । ଯାହାଫଳରେ ସବୁକ୍ଷେତ୍ରରେ ଆମେ ଆମେରିକାର ଶରଣ ପଶିବା ଯେଭଳି ୧୯୬୨ରେ ଚିନ୍‌-ଭାରତ ଯୁଦ୍ଧବେଳେ ଆମେରିକା ଶରଣ ପଶି ଖାଦ୍ୟପାଇଁ ଆକୁଳ ନିବେଦନ କରିଥିଲେ । ସବୁବେଳେ ଆମ ସରକାରମାନେ ଆମେରିକାର ବୋଲକରା ହୋଇ ରହିଥିବାରୁ ଆଜି ଦେଶରେ ଏଇ ଦାରୁଣ ଦୁର୍ଦ୍ଦଶା । ଭାରତବାସୀଙ୍କ ସ୍ୱାର୍ଥ ଅପେକ୍ଷା ଆମେରିକାର ବ୍ୟାଙ୍କ ସୁଧର ସୁରକ୍ଷା ଉପରେ ଆମ ସରକାର ବେଶି ଆଗ୍ରହୀ ହୋଇପଡିଥିବା ଭଳି ମନେହେଲାଣି ।

ଆମ ଦେଶକୁ ଚଳାଇବା ପାଇଁ ଆମେ ବିଦେଶୀ ଋଣ ଉପରେ ନିର୍ଭରଶୀଳ । ସୁଧ ଦେବାପାଇଁ ମଧ୍ୟ ଆମେ ଋଣ କରୁଛୁ । ଋଣଦାତାମାନଙ୍କ ମନମୁଖୀ ସର୍ତରେ ଆମେ ବାଧ୍ୟହୋଇ ରାଜି ହେଉଛେ । ଯାହାଫଳରେ ଆମ ଦେଶର ଖଣିଜ ସମ୍ପଦ, ଅନ୍ୟାନ୍ୟ ପଦାର୍ଥ ଆମେ କମ୍ ଦାମ୍‌ରେ ବିଦେଶକୁ ରତ୍ପାନୀ କରୁଛେ । ମନେରଖିବେ – ଯେଉଁ ଦେଶରେ ଖଣିଜ ସମ୍ପଦ ବିଦେଶରୁ ରତ୍ପାନୀ ହୁଏ, ସେ ଦେଶ ଦୁର୍ଭାଗା, ସେ ଦେଶର ସରକାର ନିକମା । ପ୍ରାଚୁର୍ଯ୍ୟର ପାହାଡ ଉପରେ ଠିଆହୋଇ ସେ ସମ୍ପତିକୁ ଆମେ ଭୋଗ କରିପାରୁନୁ । ଏଥିପାଇଁ ଆମେ ସମସ୍ତେ ଦାୟୀ । ବିଶ୍ୱର ସବୁଦେଶର ସରକାର ଓ କ୍ଷମତାସୀନ ଦଳମାନେ ରାଜକୋଷକୁ ଚଳୁ କରିଦେଇ ଜନଗଣଙ୍କ ମୁଣ୍ଡରେ ଆର୍ଥିକ ବୋଝକୁ ଲଦି ଦେଉଛନ୍ତି । ଯାହା କାଳକ୍ରମେ ଭୟଙ୍କର ଅର୍ଥନୈତିକ ଆତଙ୍କବାଦ ପାଇଁ ଫାଟକ ଖୋଲିଦେଇଛି ।ଅର୍ଥନୈତିକ ଆତଙ୍କବାଦ ଆମେରିକା ଦ୍ୱାରା ପ୍ରୟୋଜିତ ପ୍ରୟୋଗାତ୍ମକ ପ୍ରହସନ । ଏ ପ୍ରହସନ ସପକ୍ଷରେ ଆବାହାୱା ସୃଷ୍ଟି କରିବାପାଇଁ ମିଡିଆଠୁ ଆରମ୍ଭ କରି ଭାରତୀୟ ଅର୍ଥନୈତିଜ୍ଞ, ବୁଦ୍ଧିଜୀବି ଓ ବିଶାରଦବର୍ଗଙ୍କୁ ବୁଦ୍ଧୁ ବନାଉଛି ଆମେରିକା । ବଜାରୀ ଅର୍ଥନୀତି ଯେମିତି ସରଳ ଖାଉଟି ସମାଜକୁ ନିଜ ପରୀକ୍ଷାଗାରର ଗିନିପିଗ୍ କରିବା ଉଦ୍ଦେଶ୍ୟରେ ‘କୃତ୍ରିମ ଅଭାବ’ର ସୁକ୍ଷ୍ମ ସୂତ୍ର ପ୍ରୟୋଗ କରିଥାଏ, ଏ ଅର୍ଥନୈତିକ ଆତଙ୍କବାଦ ଠିକ୍ ସେଇଭଳି ଏକ ବଜାରୀ ବଜ୍ରପାତ – ବିନା ମେଘର ମୁନାଫାରେ । ଏ ଅର୍ଥନୈତିକ ଆତଙ୍କବାଦ ପ୍ରକୃତ ପକ୍ଷରେ ଏକ ଭୟଙ୍କର ଅଭିସନ୍ଧିମୂଳକ ଅର୍ଥନୈତିକ ଅରାଜକତା । ଆଜିର ଏ ଆତଙ୍କପ୍ରଦ ଅର୍ଥନୀତି ହରଣଚାଲ୍ କରିଦେଇଛି ବିଶ୍ୱାସ, ବିବେକ, ମୂଲ୍ୟବୋଧ, ମନୁଷ୍ୟତା – ଅନେକ କିଛି । ବଂଚିବା ଆଜି ଜୀବନଠୁ ଜରୁରୀ । ଏହି ଅବସ୍ଥାନାନ୍ତରିତ ଅବବୋଧ ହିଁ ଆଜି ଅର୍ଥନୀତି ତରଫରୁ ଉତ୍ପୀଡକ ଅବଦାନ ।

ଭାରତର ଅର୍ଥନୀତି ଏପର୍ଯ୍ୟନ୍ତ ଭୁଲ୍ ଗଣିତର ଧାରାରେ କଷାହୋଇଆସିଛି । ଏ ଅଙ୍କକଷା କିଛି କୂଟିଳ ରାଜନୈତିଜ୍ଞ କାର୍ପଟଦାରମାନଙ୍କର କଳାକାରସାଦି । ଯେଉଁଦିନ ଭାରତରେ ନିରନ୍ନ ଜନତା ଏ ଗଣିତ ପଛରେ ଥିବା ଆତଙ୍କକୁ ଅନ୍ତରେ ଅନ୍ତରେ ଉପଲବ୍‌ଧି କରିପାରିବେ, ସେଦିନ ନୂଆ ଭାରତର ନକ୍‌ସା ପାଇଁ ଆରମ୍ଭ ହେବ କଠୋର ସଂକଳ୍ପର ଦିନ । ଏବେ ବିଶ୍ୱ ବଜାରର ବଦନାମି ଗଳିଠାରୁ ଆରମ୍ଭ କରି ବଡଦାଣ୍ଡ ଯାଏ ଅବକ୍ଷୟୀ ପୁଞ୍ଜିବାଦର ଭିନ୍ନ ଭାଷା, ପୁଞ୍ଜିପତିମାନଙ୍କର ପ୍ରାଣମୂର୍ଚ୍ଛା ପ୍ରେତକଳାପ ଆରମ୍ଭ ହୋଇଯାଇଛି । ଏକ ବିପୁଳ ଆତଙ୍କର ବିଶାକ୍ତ ବାତାବରଣ ସୃଷ୍ଟିକରି ପୁଞ୍ଜିବାଦର ପରୀକ୍ଷାଗାରରେ ମଣିଷକୁ ବନ୍ଦୀ କରିବାର ଶେଷ ହତାଶ ଷଡଯନ୍ତ୍ର ଇଏ ।

କ’ଣ ହେଲା ଏ ଜୀବନ! କୁଆଡେ ହଜିଗଲା ଆମ ହଜାର ହଜାର ସ୍ୱପ୍ନର ସେଇ ସରସସୁନ୍ଦର ଜହ୍ନରାତି ସବୁ । ସମ୍ଭବତଃ କରୋନାକାଳୀନ ପୃଥିବୀର ପରିବର୍ତିତ ଅର୍ଥନୀତି ଏହି ଘନଘୋର ଅବ୍ୟର୍ଥ ଆଡକୁ ଅତିକ୍ରମ କରିବାପାଇଁ ଏଣିକି ଜୀବନସଂଗ୍ରାମ ରଥ ମଣିଷମାନଙ୍କୁ ଜଣାଇବ ମଶାଲ ଜଳାର ଆହ୍ୱାନ । ୟା ପରର ଜୀବନ ଅନ୍ଧାର ଭିତରେ ତଲାସିବ ତା’ର ହଜିଯାଇଥିବା ଚନ୍ଦ୍ର ତାରା । ସକାଳ ପୁଣି କାନ୍ଦିବ ତା’ର ପ୍ରାଚୀନ ସୂର୍ଯ୍ୟକୁ ଫେରିପାଇବାକୁ । ହଁ! ଅର୍ଥନୀତିର ଅର୍ଥାନ୍ତର ହିଁ ଆମ ପାଇଁ ଆସନ୍ତାକାଲିର ଆହ୍ୱାନ – ଏବଂ ସେ ଆସନ୍ତାକାଲି ଆମ ଅନ୍ଧାର ରାତିର ଖିଡିକି ଆରପଟରେ ଠିକ୍ ।

ଯାଜପୁର ରୋଡ, ଯାଜପୁର, ମୋ : ୯୮୬୧୦୩୪୧୬୩
(ଲେଖକ ଜଣେ ବରିଷ୍ଠ ଶ୍ରମିକ ନେତା ଓ ସ୍ତମ୍ଭକାର)
ବିଶେଷ ଦ୍ରଷ୍ଟବ୍ୟ: ଏହି ସ୍ତମ୍ଭରେ ପ୍ରକାଶିତ ହୋଇଥିବା ବିଚାର ବା ମତ ସମ୍ପୂର୍ଣ୍ଣ ଭାବେ ଲେଖକଙ୍କର ନିଜସ୍ୱ ଅଟେ । ଏହି ସ୍ତମ୍ଭରେ ପ୍ରକାଶିତ କୌଣସି ଅଂଶ ଲାଗି www.odishasambad.in ର ସମ୍ପାଦନା ମଣ୍ଡଳୀ ଦାୟୀ ନୁହଁନ୍ତି ।
Leave A Reply

Your email address will not be published.