Latest Odisha News

BREAKING NEWS

ପାଚେରୀ ସାଜିଲା କରୋନା: ଜନ୍ମକଲା ଛୁଆକୁ ଛୁଇଁ ପାରୁନି ମା’

ମାଲକାନଗିରି: ଯେତେ ଚାହିଁଲେ ବି ନିଜ ଜନ୍ମ କଲା ଶିଶୁକୁ କୋଳେଇ ନେଇ ପାରୁନି ମା’। ମା ଓ ଛୁଆ ମଝିରେ ବାଡ଼ ହୋଇ ଛିଡା ହୋଇଛି କରୋନା । ବାପା ମା’ ଉଭୟ କରୋନା ପଜିଟିଭ ଚିହ୍ନଟ ହୋଇ କୋଭିଡ ହସ୍ପିଟାଲରେ ଭର୍ତ୍ତି ହେବା ପରେ ଅନାଥ ପ୍ରାୟ ହୋଇଯାଇଛି ୪ ବର୍ଷର ଶିଶୁକନ୍ୟା ।

ଘଟଣାଟି ହେଉଛି ମାଲକାନଗିରି ଜିଲ୍ଲାର ଏକ ପରିବାରର କାହାଣୀ। ଉକ୍ତ ପରିବାର ୪ ଜଣ ଏବେ କରୋନାରେ ଆକ୍ରାନ୍ତ। ଭଉଣୀର ବାହାଘର ପାଇଁ ଲକଡାଉନ୍ ଘୋଷଣା ହେବା ପୂର୍ବରୁ ବିଶାଖାପାଟଣା ଯାଇଥିଲେ ପରିବାର ୮ ଜଣ ସଦସ୍ୟ। ଲକଡାଉନ୍ ଯୋଗୁଁ ଆଉ ଫେରିପାରି ନଥିବା ବେଳେ ବିଶାଖାପାଟଣାରେ ଏକ ଘରଭଡ଼ା ନେଇ ୨ ମାସ ରହିବାକୁ ପଡ଼ିଥିଲା ଏମାନଙ୍କୁ। କଟକଣାରେ ସାମାନ୍ୟ କୋହଳ ଘୋଷଣା ହେବା ପରେ ଏକ ଗାଡ଼ି ଭଡ଼ାକରି ମାଲକାନଗିରି ସ୍ଥିତ ନିଜ ଘରକୁ ଫେରିଥିଲେ ଏହି ପରିବାର। ଘରକୁ ନଯାଇ କ୍ୱାରେଣ୍ଟାଇନରେ ରହିଥିଲେ।

ପରିବାରର ସମସ୍ତ ୮ ଜଣ ସଦସ୍ୟଙ୍କ ନମୂନା ସଂଗ୍ରହ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪ ଜଣ ପଜିଟିଭ୍ ଚିହ୍ନଟ ହିଇଛନ୍ତି।

ଏହି ପରିବାରର ବାପା ମା ଦ୍ୱୟ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ତାଙ୍କର ୪ ବର୍ଷର ଶିଶୁ କନ୍ୟା ନେଗେଟିଭ ଚିହ୍ନଟ ହୋଇଛି । ବାଧ୍ୟ ହୋଇ ବାପା ମା’ଦ୍ବୟ ନିଜ ଅଲିଅଳି ଶିଶୁ କନ୍ୟାକୁ ସଙ୍ଗରୋଧ କେନ୍ଦ୍ରରେ ଛାଡ଼ି ଯିବାକୁ ବାଧ୍ୟହେଲେ । ଏହା ଭିତରେ ଏକ ସପ୍ତାହ ବିତି ଯାଇଛି। ମାତ୍ର ବାପା ମା’ଙ୍କୁ ଝୁରି ଝୁରି କାନ୍ଦୁଛି ଝିଅ ।

ଯେତେ ଚାହିଁଲେ ବି ମା’ ଟି ତାର ଶିଶୁକୁ କୋଳେଇ ନେଇ ନିଜ ଛାତିରେ ଚାପି ରଖି ପାରିବ ନାହିଁ। କାରଣ ତାକୁ ମଧ୍ୟ ଜଣା ଅଛି ଯେ, କ୍ଷଣିକର ଏହି ଶାନ୍ତି ତାର ପିଲାକୁ ଏକ ନିଶ୍ଚିତ ରୋଗ ମୁଖକୁ ଠେଲି ଦେବ ।

ଅଦୃଶ୍ୟ କରୋନାର ଅଦୃଶ୍ୟ ଶକ୍ତି ଯୋଗୁଁ ବିଭାଜନ ହେଉଛି ପରିବାର। ଆଉ ରକ୍ତର ସମ୍ପର୍କକୁ ଅଲଗା କରି ରଖୁଛି, ଏହି ଅଦୃଶ୍ୟ ଶକ୍ତି। ତେବେ କେବେ ବାହାରିବ ଏହାର ଟିକା ଓ ମାନବଜାତି ଏହାକୁ ଭେଦ କରିବ, ଏହାକୁ ନେଇ ବିଶ୍ୱର ପ୍ରତ୍ୟେକ ବ୍ୟକ୍ତି ଅପେକ୍ଷାରତ ।

Leave A Reply

Your email address will not be published.