Latest Odisha News

BREAKING NEWS

ସଚ୍ଚା କବି ଏକାଧାରରେ ପ୍ରେମିକ ପୁଣି ବିଦ୍ରୋହୀ ଏବଂ ସର୍ବୋପରି ସନ୍ୟାସୀ ହେବାକୁ ବାଧ୍ୟ : ପ୍ରଦୀପ ବିଶ୍ୱାଳ

ସମକାଳୀନ ଓଡ଼ିଆ କବିତାରେ କବି ପ୍ରଦୀପ ବିଶ୍ୱାଳ ଅନ୍ୟତମ ପ୍ରବୀଣ ଶିଳ୍ପୀ । ମୁକ୍ତ କଥନଭଙ୍ଗୀ, ଆବେଗ ଓ ଅନୁଭୂତିର ପ୍ରାଚୁର୍ଯ୍ୟ, ସାମାଜିକ ସଂବେଦନା ଏବଂ ସ୍ପଷ୍ଟ ଉଚ୍ଚାରଣ ହିଁ ତାଙ୍କ କାବ୍ୟଗୁଣ । ‘ଧୂସର ଧ୍ରୁପଦୀ’, ‘ଭୂମିସ୍ପର୍ଶ’, ‘ଶେଷଲୋକ’, ‘ପ୍ରେମ କବିତା’ ଆଦି ଅନେକ କବିତା ସଂକଳନର ସଫଳ ସ୍ରଷ୍ଟା ଶ୍ରୀ ବିଶ୍ୱାଳଙ୍କ ସହ ସରୋଜ ବଳଙ୍କ ଅନ୍ତରଂଗ ଆଳାପ:

‘ସଚ୍ଚା କବି ଏକାଧାରରେ ପ୍ରେମିକ ପୁଣି ବିଦ୍ରୋହୀ ଏବଂ ସର୍ବୋପରି ସନ୍ୟାସୀ ହେବାକୁ ବାଧ୍ୟ’
ପ୍ରଦୀପ ବିଶ୍ୱାଳ

ସମକାଳର ଜୀବନ ସହ କବିତା ମେଳ ଖାଉଛି କି? କିପରି?
: ଜୀବନକୁ ନେଇ କବିତା । ଗୋଟିଏ ନିର୍ଦ୍ଦିଷ୍ଟ ସମୟଖଣ୍ଡରେ ଜୀବନର ପ୍ରତିଛବିକୁ କବିତା ରୂପାୟନ କରିବାକୁ ପ୍ରୟାସ କରିଥାଏ । ଜୀବନର ବ୍ୟାପକତା ଓ ଜଟିଳତାକୁ ଧରି ରଖିବାର ସାମର୍ଥ୍ୟ କବିତାର ଅଛି କି ନା ତାହା ଏକ ପ୍ରଶ୍ନ । କିନ୍ତୁ ସମକାଳର ଜୀବନ ସହ କବିତାର ଯେ ନିବିଡ଼ ସମ୍ପୃକ୍ତି ରହିଛି ତାହାକୁ ସ୍ୱୀକାର କରିବାକୁ ହେବ।

ଆଧୁନିକ କବିତାର ନିର୍ମାଣରେ ସମକାଳୀନ କବିମାନଙ୍କର ଯେତିକି ନିଷ୍ଠା ରହିବା କଥା, ରହୁଛି କି? ଆପଣଙ୍କ କ୍ଷେତ୍ରରେ କ’ଣ?
: କବିତା ନିର୍ମାଣରେ ସମକାଳୀନ କବିମାନଙ୍କର ନିଷ୍ଠାକୁ ପ୍ରଶ୍ନ କରିବା ହୁଏତ ସମୀଚୀନ ହେବ ନାହିଁ । କିନ୍ତୁ କବିତାରେ ପ୍ରକଟିତ ଜୀବନବୋଧ ପ୍ରତି କବିର ଅନୁରକ୍ତି ନିଶ୍ଚୟ ରହିବା ଉଚିତ । ତା’ର ବକ୍ତବ୍ୟ ଓ ତା’ର ବ୍ୟକ୍ତିତ୍ୱ ଭିତରେ ଏବେ ଭାବଗତ ସାମ୍ୟର ଆବଶ୍ୟକତା ରହିଛି । ଅନ୍ୟଥା କବିତା ଭିତରେ ଏକ ଆବେଗିକ ଶୂନ୍ୟତା (Emotional Vaccum) କବିତାକୁ ଦୁର୍ବଳ କରିଦେବାର ସମ୍ଭାବନା ରହିଛି । କବିର ଜୀବନ ପ୍ରତି ଅଙ୍ଗୀକାର, ତା’ର ସାମାଜିକ ପ୍ରତିବଦ୍ଧତା ଜଣେ ନିଷ୍ଠାପର କବିର ସାମର୍ଥ୍ୟ ବୋଲି ମୋର ବିଚାର । ଜଣେ ସଚ୍ଚା କବି ଏକାଧାରରେ ପ୍ରେମିକ ପୁଣି ବିଦ୍ରୋହୀ ଏବଂ ସର୍ବୋପରି ସନ୍ୟାସୀ ହେବାକୁ ବାଧ୍ୟ । ପ୍ରେମ, ବିଦ୍ରୋହ ଓ ସନ୍ୟାସର ସ୍ୱର୍ଣ୍ଣ ତ୍ରିଭୁଜ (Golden Triangle) କବିର ଚାରଣଭୂମି । ମୋ ଭିତରେ ମୁଁ ଏହା ଅନୁଭବ କରିଛି ଓ ମୋର ଅନୁଭବକୁ କବିତାରେ ମୁକ୍ତ ଭାବରେ ପ୍ରକାଶ କରିବାରେ ନିଷ୍ଠାପର ଯତ୍ନ କରିଛି ।

ଆପଣଙ୍କ ପାଇଁ ଏବେ କବିତାର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ କ’ଣ? ଏହା ଗତ ଦଶବର୍ଷ ତଳର ଆଭିମୁଖ୍ୟ ସହ ସମାନ କି?
: କବିତା ଜୀବନର ଜୟଗାନ କରୁ, ମୁକ୍ତିର ମନ୍ତ୍ରପାଠ କରୁ ଏବଂ ନିପୀଡ଼ିତ ଆତ୍ମାର ଆଲେଖ୍ୟ ଲେଖୁ । ଗତ ଦଶବର୍ଷ ତଳେ ଏବଂ ଆଜି ମୋ ପାଇଁ କବିତାର ଆଭିମୁଖ୍ୟ ସମାନ ରହିଛି । ଅବଶ୍ୟ ଦଶବର୍ଷ କିମ୍ବା କୋଡ଼ିଏ ବର୍ଷ ତଳେ ମୁଁ ଜୀବନକୁ ଯେମିତି ଚିହ୍ନିଥିଲି, ଜାଣିଥିଲି ଆଜି ତାକୁ ଅଧିକ ନିବିଡ଼ ଓ ନିରାସକ୍ତ ଭାବରେ ପ୍ରତ୍ୟକ୍ଷ କରିବାର ସୁଯୋଗ ପାଇଛି । ମୋର ଅଭିଜ୍ଞତା ବଢ଼ିଛି ଓ ଜୀବନ ପ୍ରତି ଦୃଷ୍ଟିଭଙ୍ଗୀ ବଦଳିଛି।

କବିତାରେ ପ୍ରେମ, କାରୁଣ୍ୟ, ହତାଶାବୋଧର ଯେଉଁ ପ୍ରବଳତା କିଛି ବର୍ଷ ତଳେ ରହୁଥିଲା, ତାହା ଏବେ ମୋଡ଼ ବଦଳାଇଛି ବୋଲି ଯେଉଁ ଚର୍ଚ୍ଚା ହେଉଛି, ସେଥିରେ ଆପଣ ଏକମତ କି?
: ହଁ । କବିତରେ ବକ୍ତବ୍ୟ ଓ ଭାବବସ୍ତୁର ପରିବର୍ତ୍ତନ ଆସିଛି । ଏହା ମୋଟେ ଆକସ୍ମିକ ନୁହେଁ । କବିତା ବ୍ୟକ୍ତିକୈନ୍ଦ୍ରିକ ନହୋଇ ବ୍ୟଷ୍ଟିଚେତନାକୁ ପ୍ରକାଶ କରିବାକୁ ଆଗେଇ ଆସିଛି । କବିତାର ପରିଭାଷା ବଦଳିଛି, ତା’ର ଦିଗବଳୟ ପ୍ରସାରିତ ହୋଇଛି । ସତୁରୀ ଦଶକର କବିିତା ଓ ଆଜିର କବିତାକୁ ତୁଳନା କଲେ ଆପଣ ଏହା ହୃଦୟଙ୍ଗମ କରିପାରିବେ ।

ଜୀବନର ଜଟିଳତାକୁ ସରଳୀକରଣ କରିବା ଦିଗରେ କବିତା କେବେ ସାହାଯ୍ୟ କରେକି?
: ଜୀବନର ଜଟିଳତାକୁ ସରଳ କରିବା କବିତା ଦ୍ୱାରା ସମ୍ଭବ ନୁହେଁ । ତାହା ହିଁ ବିଡ଼ମ୍ବନା । ଜୀବନ ଜଟିଳ ବୋଲି ତ ଏତେ ସାହିତ୍ୟ ସୃଷ୍ଟି ହୋଇଛି କିନ୍ତୁ ଜୀବନର ଜଟିଳତାକୁ ଭେଦ କରିବା କିମ୍ବା ତାକୁ ସମ୍ପୂର୍ଣ୍ଣ ଧାରଣ କରିବାକୁ ସାହିତ୍ୟ କେବେ ବି ସାମର୍ଥ୍ୟ ହାସଲ କରିପାରିନାହିଁ । କିନ୍ତୁ ଜୀବନକୁ ଅନୁପ୍ରାଣିତ କରିବାରେ ଜୀବନର ସଂଘାତକୁ ଅନୁଶୀଳନ କରିବାରେ ସାହିତ୍ୟର ପ୍ରଚେଷ୍ଟା ଜାରି ରହିଛି ।

କେଉଁ ମନସ୍ତତ୍ତ୍ୱ କବିତା ପାଇଁ ଜରୁରୀ? କବିତାର ସଂରଚନା କାଳରେ କିଭଳି ମାନସିକ ଉଦବେଳନ ଆପଣ ଭୋଗନ୍ତି?
: କବିତା ରଚନା ପାଇଁ ଏକ ନିର୍ଦ୍ଦିଷ୍ଟ ମାନସିିକ ସ୍ଥିତି ଆବଶ୍ୟକ । ନିରବତା ହିଁ ଆଣିଦିଏ ସେମିତି ଏକ ମନସ୍ଥିତି । ଅବଶ୍ୟ ପ୍ରଚୁର କୋଳାହଳ ଭିତରେ କେତେବେଳେ କବିତାର ଧାଡ଼ିଟିଏ ବିଜୁଳିର ଚମକ ଭଳି ଉଭା ହୁଏ । କିନ୍ତୁ ସେତେବେଳେ ତାକୁ ଧରି ରଖିବାର ପରିସ୍ଥିତି ହୁଏତ ମିଳେ ନାହିଁ । ଚେଷ୍ଟାକରି କବିତା ଲେଖିବା ମୋ ଦ୍ୱାରା ହୁଏ ନାହିଁ । କବିତା ସ୍ୱତଃସ୍ଫୁର୍ତ୍ତ ଭାବେ ଆସେ । ବେଳେବେଳେ ଗୋଟିଏ ମୁହୂର୍ତ୍ତରେ କବିତାଟିଏ ଲେଖି ହୋଇଯାଏ । ଏପିରିିକି ଏକାଧିକ କବିତା ବି ଲେଖି ହୋଇଯାଏ । ଅନ୍ୟ ବେଳେ ଦିନେ ଦୁଇଦିନ କବିତାଟିଏ ମନ ଭିତରେ ଗୁଣୁଗୁଣୁ ହେଉଥାଏ ଏବଂ ପରିଶେଷରେ ଲେଖା ହୁଏ । ସେ କବିତାଟି ଲେଖା ନସରିବା ଯାଏ ମନରେ ଏକ ଅସ୍ଥିରତା ଲାଗି ରହେ ।

ଜୀବନ, ଆଦର୍ଶ ଓ ବାସ୍ତବତା ଭିତରେ କବିତାର ଭୂମିକା କିପରି ହେବାକଥା? କଳ୍ପନାପ୍ରବଣତାର ବହୁଳତା କବିତାକୁ ସଂଦେହ ଘେରକୁ ଟାଣିନିଏକି?
: ବାସ୍ତବତା ଓ କଳ୍ପନାର ଏକ ଫେଣ୍ଟାଫେଣ୍ଟି ରୂପ ହେଉଛି କବିତା । କେବଳ ନିଚ୍ଛକ ବାସ୍ତବତା କିମ୍ବା ନିଚ୍ଛକ କଳ୍ପନା କବିତାକୁ ଦୁର୍ବଳ କରିଦିଏ । ବଡ଼କଥା ହେଲା କବିର ଆବେଗିକ ସାନ୍ଦ୍ରତା (Emotional Intesity), ଯାହା କବିତାର ଅନ୍ତର୍ନିହିତ ଶକ୍ତି ଏବଂ ଏହା ହିଁ ପାଠକର ହୃଦୟକୁ ସ୍ପର୍ଶ କରେ । ଯଦିଓ କବିକୁ ପଦ୍ମଭୁକ୍ ବୋଲି କୁହାଯାଇଛି କିନ୍ତୁ କେବଳ ଅବାସ୍ତବ କଳ୍ପନାକୁ ନେଇ ଭଲ କବିତା ଲେଖାଯିବା ସମ୍ଭବ ନୁହେଁ ।

କବିତାକୁ ନେଇ ଆପଣ କି ସ୍ୱପ୍ନ ଦେଖନ୍ତି, ଯାହା କେବେ ସତ ହେବାର ନାଇଁ?
: କବିତାକୁ ନେଇ ମୋର ସ୍ୱପ୍ନ ହେଉଛି କବିତା ମନ୍ତ୍ର ଭଳି ଶକ୍ତି ପାଉ, ଯାହା ମଣିଷକୁ ଯାବତୀୟ ଦୁଃଖ ଓ ଯାତନାରୁ ମୁକ୍ତି ଦେଇପାରିବ । ଯେପରିକି ମୋ ମାନସିକ ଅକ୍ଷମ ପୁଅଟିକୁ କବିତା ଫେରେଇଦେଇ ପାରିବ ତା’ର ସକଳ ସାମର୍ଥ୍ୟ । ମୋ ପତ୍ନୀଙ୍କ ଆଖିରୁ ପୋଛିଦେଇପାରିବ ଲୁହ । ସତରେ ଏହା କ’ଣ ସମ୍ଭବ?

ଜୀବନର ଉତ୍ତରଣ ମାର୍ଗରେ କବିତାର ସିଡ଼ି ତଳୁ ଉପରଆଡ଼କୁ ନା ଉପରୁ ତଳ ଆଡ଼କୁ ଥାଏ? କବିତାରେ ମୋକ୍ଷ ଅଛି କି?
: ଉତ୍ତରଣ ହିିଁ ଊଦ୍ଧ୍ୱର୍ମୁଖୀ । କବିତା ପ୍ରେମ ଓ ମୁକ୍ତିର ମାର୍ଗ । ତେଣୁ ଜୀବନର ଉତ୍ତରଣରେ ରହିଛି କବିତାର ଅବଦାନ । ସନ୍ୟାସ ଓ ମୋକ୍ଷ ହେଉଛି କବିର ଅବଧାରିତ ଭାଗ୍ୟ । ଅବଶ୍ୟ ବେଳେବେଳେ କବି ଏହାକୁ ଅସ୍ୱୀକାର କରେ । ସେ ଘୋଷଣା କରେ – ମୋକ୍ଷ ଫୋକ୍ଷ କିଛି ଲୋଡ଼ା ନାହିଁ ମୋର । କବିର ମୋକ୍ଷ ଅଛି କିନ୍ତୁ କବିତାର ନାହିଁ । କାରଣ କବିତା ହେଉଛି ଏକ ନିରନ୍ତର ସୃଜନ ପ୍ରୟାସ । ଭୂମିଷ୍ଠ ଶିଶୁଟିର ପ୍ରଥମ କୁଆଁଠାରୁ ଜୀବନର ଅନ୍ତିମ ପର୍ଯ୍ୟନ୍ତ ଏହାର ଯାତ୍ରା । ସୃଷ୍ଟିର ଆରମ୍ଭରୁ ଆଜିଯାଏଁ କବିତାର ଏ ଯାତ୍ରା ଅବ୍ୟାହତ ରହିଛି ଏବଂ ପୃଥିବୀପୃଷ୍ଠରେ ମଣିଷ ଥିବା ପର୍ଯ୍ୟନ୍ତ କବିତାର ଗୁଂଜରଣ ହେଉଥିବ ।

ସାଂସାରିକ ଜୀବନ ଜଞ୍ଜାଳ, ତୀବ୍ରତର ସଭ୍ୟତାର ଗତି ଭିତରେ କବିତାର ନିରୀହ ଆତ୍ମାଟି କିପରି ପ୍ରତିପାଳିତ ହୁଏ, ଆପଣଙ୍କ ମାନସିକତାରେ?
:’ କବିତା ମୋର ପ୍ରଥମ ପ୍ରେମ । ମୋ ସାଧନାର ଭୂମି । ମୋର ଆତ୍ମାରେ, ମୋର ଧମନୀରେ, ମୋର ସ୍ନାୟୁରେ କବିତା ପ୍ରତିପାଳିତ । ଗତ ତିରିଶ ବର୍ଷ ହେଲା କବିତାକୁ ମୁଁ ଧାରଣ କରିଛି ମୋ ଭିତରେ । ଜୀବନର ବହୁ ଘାତ ପ୍ରତିଘାତ ଭିତରେ ମୋର କବିତା ପରିପୁଷ୍ଟ ହୋଇଛି । ମୋ ଜୀବନକୁ କବିତା ଦେଇଛି ଏକ ସାର୍ଥକତା । ସବୁ ପ୍ରତିକୂଳ ପରିସ୍ଥିତିରେ ଜିଇବା ପାଇଁ ମୋତେ କବିତା କରିଛି ଅନୁପ୍ରାଣିତ । ଜୀବନକୁ ଅର୍ଥପୂର୍ଣ୍ଣ ଭାବରେ ମୁଁ କବିତା ମାଧ୍ୟମରେ ହିଁ ଦେଖିଛି । ଭାବୁଛି ଏ ଜୀବନରେ ମୋର ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ କବିତା ହିଁ ମୋ ସହ ରହିଥିବ ।

Leave A Reply

Your email address will not be published.