Latest Odisha News

BREAKING NEWS

ବରଗଡରେ ଜୋର ଧରିଲା ସିଟି ହସ୍ପିଟାଲ ଦାବି; ପୋଲିସ-ଜନତା ମୁହାଁମୁହିଁ

ବରଗଡ: ବରଗଡରେ ସିଟି ହସ୍ପିଟାଲ ଦାବି କରି ପୋଲିସ–ଜନତା ମୁହାଁମୁହିଁ ହୋଇଛନ୍ତି । ବରଗଡରେ ସିଟି ହସ୍ପିଟାଲର ଦାବି କରି ଟାଉନରେ ୧୨ ଘଣ୍ଟିଆ ବନ୍ଦ ପାଳନ ବେଳେ ପୋଲିସ ସହିତ ସ୍ଥାନୀୟ ଲୋକମାନେ ଧସ୍ତାଧସ୍ତି ହୋଇଛନ୍ତି ।

ମିଳିଥିବା ସୂଚନା ମୁତାବକ, ସ୍ଥାନୀୟ ଲୋକମାନେ ରାସ୍ତା ଅବରୋଧ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆଗରେ ଧାରଣା ଦେଇ ମୁଖ୍ୟ ଚିକିତ୍ସାଳୟକୁ ସିଟି ହସ୍ପିଟାଲରେ ପରିଣତ କରିବା ପାଇଁ ଦାବି ଜଣାଇଛନ୍ତି । ଏହା ଜାଣିବା ପରେ ବିଧାୟକ ଦେବେଶ ଆଚାର୍ଯ୍ୟ, ଜିଲ୍ଲାପାଳ ଜ୍ୟୋତି ରଂଜନ ପ୍ରଧାନ ଓ ଏସପି ପଦ୍ମିନୀ ସାହୁ ଧାରଣାସ୍ଥଳରେ ପହଂଚି ଆନ୍ଦୋଳନକାରୀଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ । ଆଲୋଚନା ବିଫଳ ହେବାରୁ ସେମାନେ ସେଠାରୁ ଫେରିଯାଇଥିଲେ ।

ଧାରଣାସ୍ଥଳରୁ ଆନ୍ଦୋଳନକାରୀଙ୍କୁ ହଟାଇବାକୁ ଉଦ୍ୟମ କରିବାରୁ ପୋଲିସ ଓ ଜନତା ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ପୁଲିସ ଉପରକୁ ପଥରମାଡ ହେବାରୁ ଆନ୍ଦୋଳନ ହିଂସ୍ର ରୂପ ନେଇଥିଲା । ସୁରକ୍ଷାବଳ ମୁତୟନ ପରେ ଘଟଣାସ୍ଥଳରୁ ଆନ୍ଦୋଳନକାରୀ ଫେରାର ହୋଇଯାଇଥିଲେ ।

ବରଗଡ ସହରରେ ଦୁଇ ଲକ୍ଷରୁ ଅଧିକ ଲୋକ ବସବାସ କରୁଥିବାବେଳେ ଚିକିତ୍ସା ବ୍ୟବସ୍ଥା ଠିକ୍ ନାହିଁ ଓ ଉନ୍ନତ ସ୍ୱାସ୍ଥ୍ୟସେବା ପାଇବା ପାଇଁ ଆମେ ପୁରୁଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସିଟି ହସ୍ପିଟାଲରେ ପରିଣତ କରିବାକୁ ରାଜ୍ୟ ସରକାରକୁ ଦାବି କରୁଛୁ ବୋଲି ଆନ୍ଦୋଳନକାରୀମାନେ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି ।

ସୂଚନାଯୋଗ୍ୟ, ବିଜେପି ନେତା ତଥା ବରଗଡ ସାଂସଦ ସୁରେଶ ପୂଜାରୀ ରବିବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପାରା ମେଡିକାଲ ଷ୍ଟାଫ ଯୋଗାଇଦେବା ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସିଟି ହସ୍ପିଟାଲ କରିବା ଭଳି ଆବଶ୍ୟକ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ ।

Leave A Reply

Your email address will not be published.