Latest Odisha News

BREAKING NEWS

ଚର୍ଚ୍ଚାରେ ‘ଦି ନ୍ୟୁୟର୍କ ଟାଇମ୍ସ’, ପ୍ରଥମ ପୃଷ୍ଠାରେ ଛାପିଲା ହଜାରେ କରୋନା ମୃତକଙ୍କ ତଥ୍ୟ

ନୂଆଦିଲ୍ଲୀ: ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି ମହାମାରୀ କରୋନା । ଆମେରିକାରେ କରୋନା ତାର ତାଣ୍ଡବ ରଚିଛି । ଏହାର ପ୍ରଭାବ ରବିବାର ଦି ନ୍ୟୁୟର୍କ ଟାଇମ୍ସର ପ୍ରଥମ ପୃଷ୍ଠାରେ ଦେଖିବାକୁ ମିଳିଛି । କରୋନାରେ ଆକ୍ରାନ୍ତ ହୋଇ ଆମେରିକାରେ ପ୍ରାଣ ହରାଇଥିବା ଲୋକଙ୍କ ଏକ ଲମ୍ବା ତାଲିକା ଖବରକାଗଜର ପ୍ରଥମ ପୃଷ୍ଠାରେ ଛପା ଯାଇଥିବା ଦେଖିବାକୁ ମିଳିଛି । ରବିବାର ସକାଳୁ ସକାଳୁ ଖବରକାଗଜ ଦେଖିବା ପରେ ଲୋକ ଆଶ୍ଚର୍ଯ୍ୟ ହେବା ସହ ଖବରକାଗଜର ପ୍ରଥମ ପୃଷ୍ଠା ସୋସିଆଲ ମିଡ଼ିଆରେ ଭାଇରଲ ହୋଇଛି ।

ଆମେରିକାରେ ପ୍ରାୟ ୧ଲକ୍ଷ ଲୋକ ପ୍ରାଣ ହରାଇଥିବା ବେଳେ ଖବରକାଗଜରେ ପ୍ରାୟ ୧,୦୦୦ଜଣଙ୍କର ତଥ୍ୟ ପ୍ରକାଶ କରାଯାଇଥିଲା । ଏଭଳି ନିଷ୍ପତ୍ତିକୁ ନେଇ ଖବରକାଗଜ ପକ୍ଷରୁ କୁହାଯାଇଛି ଯେ, ଏଭଳି ଦୁଃଖଦ ଘଟଣାର ବ୍ୟାପକତା ଏବଂ ବିବିଧତା ଜଣାଇବା ପାଇଁ ୧,୦୦୦ଜଣଙ୍କ ନାଁ ଛପିବାକୁ ନିଷ୍ପତ୍ତି ନିଆଯାଇଥିଲା । ପ୍ରଥମ ପୃଷ୍ଠାରେ ଆମେରିକାର ବିଭିନ୍ନ ସ୍ଥାନରୁ ନିଆଯାଇଥିବା ନାମ ଏବଂ ବ୍ୟକ୍ତିଗତ ବିବରଣୀଗୁଡିକର ଏକ ସରଳ ତାଲିକା ଦିଆଯାଇଛି ।

ତେବେ ପ୍ରଥମ ପୃଷ୍ଠାରେ ଛପାଯାଇଥିବା ତାଲିକା ସହ ଏକ ହେଡ୍‌ଲାଇନ ମଧ୍ୟ ଦିଆଯାଇଛି । ଏହି ହେଡଲାଇନ୍‌ରେ ଲେଖାଯାଇଛି ଯେ, “ଆମେରିକାର ୧୦୦,୦୦୦ ପାଖାପାଖି ମୃତ୍ୟୁ, ଏକ ଅସଂଖ୍ୟ କ୍ଷତି” । ଏହାର ସବ-ହେଡଲାଇନରେ, “ସେମାନେ କେବଳ ଏକ ନାମ ନଥିଲେ, ସେମାନେ ଆମ ଭଳି ଥିଲେ” ବୋଲି ଲେଖାଯାଇଛି । ଦି ନ୍ୟୁୟର୍କ ଟାଇମ୍ସର ଏଭଳି ପଦକ୍ଷପକୁ ଚାରିଆଡେ ପ୍ରଶଂସା କରାଯାଉଛି । ଏଥିସହ ଏହି ପୋଷ୍ଟଟି ସୋସିଆଲ ମିଡିଆରେ ଭାଇରାଲ ମଧ୍ୟ ହୋଇଛି ।

Leave A Reply

Your email address will not be published.