Latest Odisha News

ଭୁବନେଶ୍ୱରରେ ଯୌବନ

ଭାରତ ମାଝୀ (୧୯୭୨) ଯୁବପିଢ଼ିର ଏକମାତ୍ର କବି ଯିଏ ପାଣିକୁ ନିଆଁ, ନିଆଁକୁ ଆକାଶ, ଆକାଶକୁ ମାଟି, ମାଟିକୁ ପବନ କରି କବିତାକୁ ଘୋଷାଡ଼ି ଆଣିପାରନ୍ତି ଓ ଦେଇପାରନ୍ତି ସେମାନଙ୍କୁ ଅଭିନବ କାବ୍ୟିକ ଉପଲବ୍ଧି । ଚେହେରା ଓ ଚରିତ୍ରରେ ବୋହିମିଅନ୍‍, ଶବ୍ଦ ଓ ସଂଚାରଣରେ ବିକ୍ଷୁବ୍ଧ, ଭାବ ଓ ଭାସ୍କର୍ଯ୍ୟରେ ବିଦ୍ରୋହୀ କବି ଭାରତ ମାଝୀ ନିଃସଂଦେହରେ ଆମ ସମୟର ଜଣେ ଚଳମାନ କବିତା । ପ୍ରକାଶିତ କବିତା ପୁସ୍ତକ: ଅଗାଧୁ ଦୁଆରୀ, ସରଳରେଖା, ମୂର୍ତ୍ତିକାର, ମହାନଗର ପଦ୍ୟ, ହାଇୱେରେ କୁହୁଡି, ଢୋ, ଭାରତମାଝୀ ଡଟକମ୍‍, ମାର୍ଫତ୍ ଫୁଟପାଥ୍‍ । କବି ଜୟନ୍ତ ମହାପାତ୍ରଙ୍କ ‘ରିଲେସନସିପ୍‍’ (ଇଂରାଜୀ କାବ୍ୟ)ର ଓଡିଆ ଅନୁବାଦ ‘ସଂପର୍କ’ ପ୍ରକାଶିତ । ସ୍ୱୀକୃତି: ସଂସ୍କୃତି ପୁରସ୍କାର, ବସନ୍ତ ମୁଦୁଲି କବିତା ପୁରସ୍କାର, ଭୁବନେଶ୍ୱର ପୁସ୍ତକ ମେଳା ପୁରସ୍କାର ଇତ୍ୟାଦି । ବୃତ୍ତି: ସାମ୍ବାଦିକତା । ସଂପ୍ରତି ଭୁବନେଶ୍ୱରଠାରେ ଅବସ୍ଥାନ କରୁଛନ୍ତି ।

୧ ଏପ୍ରିଲରେ ତାଂକର ଜନ୍ମଦିନ ପାଳନ ଅବସରରେ ‘ଓଡ଼ିଶା ସମ୍ବାଦ’ର ପାଠକମାନଂକୁ ଭେଟିଦେଉଛୁ ତାଂକର ଏଇ ମନଛୁଆଁ କବିତା:


ଭୁବନେଶ୍ୱରରେ ଯୌବନ

ଭାରତ ମାଝୀ

ତମ ଭାଂଡାମିକୁ କବିତା କରିବାର ଇଚ୍ଛା ଅନେକ ଦିନର,
ହେଲେ ଧର, ମୁଁ କବିତା ନଲେଖି
କରୁଚି ଗୋରୁ ବେପାର ।

ଧର, ମୁଁ ଚାଲୁଚି ବୁଲୁଚି, ପୁଣି ଫେରିଯାଉଚି
ହେଲେ ବିଶ୍ୱାସ କର, ମୋ ପିଠିରେ ପଡୁଚି ଖରା,
‘ଭୁସିଦେଲି ସିନା ଛୁରି, ନୁହେଁ ମୁଁ ହତ୍ୟାକାରୀ’
ଖଂଡଗିରିରେ ପଡିଚି ଯାତରା ।

ଗୋରୁ ବେପାରୀ ହେଲେ କ’ଣ ହେବ
ମୋର ସେଇ ହିରୋଇନ୍ଠି ମନ
ଆରେ ବାଃ, କିବା ତାର ବସନଭୂଷଣ!
ଭଦ୍ରାମିର ଧାରଣାରୁ ମୋତେ ଟେକି ନେଉଚି
ତାର ବିନୟପଣ,
ହେଲମେଟହୀନ ବାଇକ୍ରେ ମୁଁ ଯେମିତି ଆରତତାରଣ ।

ତମ ଭାଂଡାମିକୁ କବିତା କରିବାର ଇଚ୍ଛା ଅନେକ ଦିନର,
ଅନେକ ଦିନର ଇଚ୍ଛା ପରକୀୟାକୁ କବିତା କରିବାର,
କବିତା କରିବାର ଇଚ୍ଛା
କେମିତି କର୍ପୋରେଟ୍ ହାଉସ୍ ଆଗରେ
ଦଂଡ ମାରଂତି ମିଡିଆ-କୁବେର ।

ଭୁବନେଶ୍ୱରର ସବୁ ରିକ୍ସା ଆଜି କାହିଁକି ଅଂଧାରୁଆ ଗଳିରେ?
ମହାପ୍ରୁ, ବ୍ରହ୍ମଦାରୁ କଣ ଲାଗିପାରିଲାନି ଆମ ମୁହାଣରେ?
ଗୁରୁ ମହାଂତିଂକ ଭୂତ ଗୋଲାପୀ ରୁମାଲ୍ ଧରିପାରିଲାନି
ଆଇଜି ପାର୍କରେ?
ମୁଁ ପଚାରୁଚି, ବିଚରା ଗୋରୁ ବେପାରୀ, ଆରତରେ ।
(ହାରିଯିବାର ଅନେକ ଶବ୍ଦ ଅଛି ଶଳା, ଏଇ ଯୌବନରେ ।)

ଫୋନ୍ କଟିଗଲା ।
ଆସିବ ଏସ୍.ଏମ୍.ଏସ୍ ।
ନା, ଆସୁନି ।
ପୃଥିବୀର ସବୁ ଖୋଲା ଝର୍କାର ପଛପଟେ
ପ୍ଲିଜ୍, ପିଠି ପାତି ଠିଆ ହୁଅନି ।
ଭଲପାଇବାକୁ ଗୁଂଡ କରି ଭୋଦକାରେ ମିଶାଅନି ।
ସୁଧ ବଢିଚାଲିବ, ପ୍ରେମରେ ଋଣ କରନି ।
ପୁରୁଣା ସିଲିଂ ଫ୍ୟାନ୍ ଚଲେଇବ ବୋଲି ଏତେ ଝାଳ ଝରାଅନି ।
ବହିଥାକରେ ଇଚ୍ଛାପୋକର ନାଚ ଦେଖନି ।
ଆରେ ବାବୁ, ଜନ୍ମରୁ ମୃତ୍ୟୁ ଆଉ ମଝିରେ ତୀର୍ଥ
ତୀର୍ଥ କରିନପାରିଲେ ତୋ ଯୌବନ ବ୍ୟର୍ଥ,
ଜାଣିକି ଫାଟିନଥିଲା ବେଲୁନ୍,
ବେଲୁନ୍ରେ ଭରିଥିଲୁ ତୋ ସ୍ୱାର୍ଥ ।

ତମ ଭାଂଡାମିକୁ କବିତା କରିବାର ଇଚ୍ଛା ଅନେକ ଦିନର ।
ହେଲେ ମୋ ହାତରେ ଗୋରୁ ବେପାରର ସିଲାବସ୍
ଭାଇନା, ମୁଁ ସେଇ ଗୋରା ଆଜ୍ଞା ଡିସ୍କଭରି ଚାନେଲ୍ର
ହାତରେ କ୍ୟାମେରା, ମୋ ମୁହଁରେ ଖଂକାର ।
ଏବେ ସଂଭାଳ!
ଏବେ ସଂଭାଳ,
ମୁଁ ଜମି ଦଲାଲ୍, ଖଣି ମାଫିଆ ତମ ଏରିଆର,
ମଂତ୍ରୀସଭାର କୋଉ କଣରେ କାଂଦୁଥିବା
ଗୋଟିପୁଅ କି ଘୁମୁରା କଳାକାର ।

ତମ କ୍ୟାମେରା ଉପରେ ବସିଚି ପ୍ରଜାପତି
ଲେନ୍ସ ସାମ୍ନାକୁ ଯାଉନି,
ପୃଥିବୀର କେତେ ଅକ୍ଷାଂଶ ଦ୍ରାଘିମାରେ କ୍ୟାମେରା
ପଚାରୁଚି ଜ୍ୟୋତିର୍ବିଦ, ବାବା ଅବନୀ,
ଏଗାର ତାଲା ପାଖରେ
କ୍ୟାମେରା ସିଜ୍ କରିନଉଚି କନଷ୍ଟେବଲ୍ ସୌଦାମିନୀ ।
ଏ ଘଟଣା ପରେ ସ୍ୱପ୍ନର ବାରାକ୍, ସେନା ଛାଉଣୀ ।

ଏଥର ମେଦିନୀ କଂପିବ, ବାସୁକୀ ଥରିବ
ଅସ୍ତ ଶାସନକୁ ଠେଲିନେବ ରାଲି,
ଏଥର ଗୋଟେ ଇ ରାସ୍ତା ଅବଶିଷ୍ଟ
ଦିଲ୍ଲୀ ହଉ କି ଲାହୋର, ଚଟ୍ଟଗ୍ରାମ ହେଉ କି ନୂଆଖାଲି,
ସମ୍ମିଳିତ ଆତ୍ମହତ୍ୟା- ନେତା ପରେ ଜନତାଂକ ପାଳି ।

ଯଦି ପହଂଚିପାରିବ
ଗୋଟେ ବିରଳ ଭୁବନେଶ୍ୱର ଉପହାର ଦେବି
ଯଦି ପହଂଚିପାରିବ
ତମ ବୃଷ୍ଟିଶାସିତ ରାଜଧାନୀ ଉପରେ କବିତା ଲେଖିବି
ଯଦି ପହଂଚିପାରିବ
ତମ ଭିଡିଓ ଗେମ୍ରେ ଜୀବନ ଭରିଦେବି
ଯଦି ପହଂଚିପାରିବ
ତମ ପ୍ରେମରେ ଆଣବିକ ବୋମା ଖଂଜିଦେବି ।
ଯଦି ପହଂଚିପାରିବ
ଆମେ ବାହାରିଯିବା ଭଂଗା ସ୍ୱପ୍ନର ସଂଧାନରେ
ପକେଇ ଦେଇ ଆସିବା ତିନି ଶହ ଚବିଶ ଚିଠି
ଗୋଡହାତହୀନ ପି.ଏମ୍.ଜି.ର ପୋଷ୍ଟବାକ୍ସରେ
ଆଷାଢର ଆଖି ଫୁଟିଯାଇଥିବ ସେତେବେଳେ ।

ବେଳେବେଳେ ଏ ସହର ପାଲଟିଯାଏ ଗୋଟେ ମହାଦେଶ,
ମୁଁ ତମ ଦେଶକୁ ଯାଇପାରେନା, ତମେ ଆସିପାରନା ମୋ ଦେଶକୁ
ତାରବାଡ, ଏଲ୍୍ଓସି, ବଂଧୁକ ମୁନ ଡରାଏ ଆମକୁ,
ଗୋଟେ ଶବ୍ଦ ଖାଲି ପାଦରେ ଚାଲୁଥାଏ ଆଖପାଖରେ
ପ୍ରଚଳିତ ଉପମାର ଅଭ୍ୟନ୍ତରେ
ଭଂଗା ନଟୀ- ଫାଳେ ଏପଟେ, ତମ ପଟେ ଆର ଫାଳେ ।

ତମ ଭାଂଡାମିକୁ କବିତା କରିବାର ଇଚ୍ଛା ଅନେକ ଦିନର,
ସାମାଜିକ ଆଖିମାନେ ଫୁଟିଯାଂତୁ, ସାମାଜିକ କାନମାନେ ବଧିର ।
ମୋର ମୁଠାମୁଠା ହସ ନେଇ ତମେ ବୁଣିଦିଅ ଶୂନ୍ୟରେ
ମୋର ଆଂଜୁଳା ଆଂଜୁଳା ଲୁହ ଭରିଦିଅ ସାଗରରେ
ସମୟକୁ ତା ହାତଘଂଟା ସହ ବାଂଧିଦିଅ ମୋ ଗୋରୁର ଦୁଆଁରେ,
ତମେ ନେଇଆସ, ଈଶ୍ୱର ବାଂଟୁଥିବା ଟଫି ଯଦି, ପଡୁଚି ମୋ ଭାଗରେ ।

ମୋ ରୂପକୁ ଟାଣିନେଇଚି ଯୌବନ
ମୋ ଯୌବନକୁ ଟାଣିନେଇଚି ଦର୍ପଣ
ମୋ ଦର୍ପଣକୁ ଟାଣିନେଇଚି ଇତିହାସ
ଇତିହାସକୁ ଟାଣିନେଇଚି ମୋର ଛଦ୍ମନ୍ତେ୍ରଶ
ମୁଁ ଇତିହାସର ଡ୍ରୟର ଖୋଲୁଚି,
ତା ଭିତରେ ଆମ ସାହି ଉକୁଟି ଭଠୁଛି ।

କିଏ ପଚାରୁଚି ତମକୁ-
ହଇବେ, ତୋର ୱାର୍ଡ କେତେ?
ଘର ନଂବର, ସେକ୍ଟର କେତେ?
ତୁ କେତେ ନଂବର ଭୋଟର?
କହବେ, ଘରମାଲିକ ନା ଭଡାଟିଆ?? ଘରଭଡା କେତେ?
ଶଳା, ତୋ ସାମାଜିକ କାନ କ’ଣ ବଧିର?

ସତ ସବୁ ସତର୍କ
ସତର୍କ ସବୁ ସତ
ନିଆଁ ଖୋଜିଖୋଜି ଚାଲିଚି ମୁଁ ମାଂକଡର ପୁଅ,
ଜଂକସନ୍, ମଲ୍ , ଲେବଲ୍ କ୍ରସିଂ
ସେପଟେ ହାଟର ଲୁହ ।

ସହରର ସବୁ ଝିଅଂକ ରୁମାଲ୍ ହଜିଯାଇଚି ଏ ହାଟରେ,
ମୋ ଲାଗି କିଛି ଫଳୁନି ମୋ କାଳ୍ପନିକ ଦେଶରେ
ସିଟି ବଜେଇ ଚାଲିଯାଉଚି ଟ୍ରେନ୍ ହାଟ ମଝିରେ
ଶୋଇପଡିଚି, ମୁଁ ଯୌବନ, ରେଳ ଧାରଣାରେ ।

ଏ କବିତା ନଲେଖି ବଳଦ ବେପାର କରିଥିଲେ ହୋଇଥାଂତା,
ସତରେ ।

(ସୌଜନ୍ୟ: ମାଝୀ ଗୀତ – ଭାରତ ମାଝୀ, ଟାଇମପାସ)

Leave A Reply

Your email address will not be published.