Latest Odisha News

BREAKING NEWS

Anvi Vishesh Agrawal: କୁନି ଅନଭିଙ୍କ ବଡ ଉଡାଣ, ମାତ୍ର ୬ ବର୍ଷରେ ୨ଟି ଗିନିଜ୍‌ ରେକର୍ଡ!

ଭୁବନେଶ୍ବର: କୁନି ପାଦରେ ବଡ ଶିଖର ଛୁଇଁଛନ୍ତି ଓଡିଆ ଝିଅ । ବୟସ ମାତ୍ର ୬ ବର୍ଷ । କିନ୍ତୁ ତାଙ୍କ ପ୍ରତିଭା ଆପଣଙ୍କୁ ଚମକାଇଦେବ । ମାତ୍ର ୬ ବର୍ଷ ବୟସରେ ଅସାଧାରଣ ପ୍ରତିଭାର ପରିଚୟ ଦେଇ ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି ଭୁବନେଶ୍ୱରର ଶିଶୁ ପ୍ରତିଭା ଅନ୍‌ଭି ବିଶେଷ ଅଗ୍ରୱାଲ। ଅନ୍‌ଭି ଏବେ ଦୁଇଟି ପ୍ରତିଷ୍ଠିତ ଗିନିଜ୍‌ ୱାର୍ଲ୍ଡ ରେକର୍ଡର ଅଧିକାରୀ। ଦ୍ୱିଭାଷୀ ଶିଶୁ ପୁସ୍ତକ ପ୍ରକାଶନ ଏବଂ TEDx ମଞ୍ଚରେ ଭାଷଣ ଦେବା କ୍ଷେତ୍ରରେ ସେ ବିଶ୍ୱରେ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି।

ଅନ୍‌ଭିଙ୍କ ଦୁଇଟି ରେକର୍ଡ ମଧ୍ୟରୁ ଗୋଟିଏ ହେଉଛି ଦ୍ୱିଭାଷୀ ପୁସ୍ତକ ପ୍ରକାଶ କରିଥିବା ସର୍ବକନିଷ୍ଠ ମହିଳା ଏବଂ ଅନ୍ୟଟି ହେଉଛି ସର୍ବକନିଷ୍ଠ ମହିଳା TEDx ବକ୍ତା। ଏତେ କମ୍ ବୟସରେ ତାଙ୍କର ଏହି ସଫଳତା ଓଡ଼ିଶା ସହ ଭାରତ ପାଇଁ ମଧ୍ୟ ଗର୍ବର ବିଷୟ ପାଲଟିଛି।

ଯେଉଁ ବୟସରେ ପିଲା ଟିଏ ଠିକ ସେ ଅକ୍ଷର ପଢିବା ଶିଖି ନଥାଏ, ସେହି ବୟସରେ ନିଜର ପ୍ରଥମ ବହି ଲେଖିଛନ୍ତି ଅନଭି । ମାତ୍ର ୪ ବର୍ଷରେ ଅନ୍‌ଭି ତାଙ୍କର ପ୍ରଥମ ପୁସ୍ତକର ‘Little Girl, Big Emotions’ ଲେଖିବା ସହ ଏହାର ଚିତ୍ର ମଧ୍ୟ ନିଜେ ଆଙ୍କିଥିଲେ। ଯେଉଁ ବୟସରେ ପିଲାଟିଏ କ’ଣ କରୁଛି, କ’ଣ କହୁଛି, ଅଭିଭାବକଙ୍କ ବୁଝିବା ବାହାରେ, ସେହି ବୟସରେ ଅନଭି ଲେଖିଥିବା ଏହି ପୁସ୍ତକ, ଶିଶୁମାନଙ୍କୁ ସେମାନଙ୍କ ମନରେ ଥିବା ଜଟିଳ ଭାବନା ଓ ଅନୁଭୂତିକୁ ବୁଝିବା ଏବଂ ପ୍ରକାଶ କରିବାରେ ସହାୟତା କରିବ । ଅନ୍‌ଭି ଏହି ପୁସ୍ତକଟିକୁ ଇଂରାଜୀ ଓ ସ୍ପାନିଶ୍‌ ଭାଷାରେ ଲେଖିଥିଲେ। ପୁସ୍ତକଟି ପ୍ରକାଶ ପାଇବାର ପ୍ରଥମ ସପ୍ତାହରେ ଏହାର ୧,୧୬୭ରୁ ଅଧିକ କପି ବିକ୍ରି ହୋଇଥିବା ଜଣାପଡ଼ିଛି।

ନିଜ ଅନୁଭୂତିରୁ ହିଁ ଏହି ପୁସ୍ତକ ଲେଖିବାର ପ୍ରେରଣା ପାଇଥିବା ଅନ୍‌ଭି କହିଛନ୍ତି। ତାଙ୍କ ଅନୁଭୂତି ଅନେକ ସମୟରେ ଜ୍ୱାଳାମୁଖୀ ଭଳି ଲାଗୁଥିଲା। ସେଥିରୁ ତାଙ୍କର ଧାରଣା ହେଲା ଯେ ପିଲାମାନଙ୍କୁ ନିଜ ମନର କଥା ଖୋଲାଖୋଲି କହିବା ପାଇଁ ଏକ ସୁରକ୍ଷିତ ପରିବେଶ ଦରକାର। ଏନେଇ କୁନି ଅନଭି କୁହନ୍ତି, ସମସ୍ତଙ୍କ ମନରେ ଭାବନା ଥିବା ସ୍ୱାଭାବିକ, କିନ୍ତୁ ସେ ବିଷୟରେ କଥା ହେବା ଦରକାର।

ପୁସ୍ତକ ଲେଖା ପରେ ଅନ୍‌ଭି ନିଜ ପ୍ରତିଭାର ଆଉ ଏକ ଦିଗ ଦେଖାଇଥିଲେ। ସେ ‘ସୃଜନଶୀଳତା ହେଉଛି ଏକ ମହାଶକ୍ତି (Creativity is a Superpower)’ ଶୀର୍ଷକରେ ପ୍ରାୟ ୪ ମିନିଟ୍‌ର TEDx ଭାଷଣ ଦେଇଥିଲେ। ଏହି ଭାଷଣ ମାଧ୍ୟମରେ ସେ ସୃଜନଶୀଳତାର ଶକ୍ତି ଏବଂ ଏହା କିପରି ଶିଶୁମାନଙ୍କୁ ନିଜ ଭାବନା ପ୍ରକାଶ କରିବାରେ ସହାୟତା କରିପାରେ, ସେ ନେଇ ନିଜ ମତ ରଖିଥିଲେ। ଏହି ସଫଳତା ତାଙ୍କୁ ସର୍ବକନିଷ୍ଠ ମହିଳା TEDx ବକ୍ତା ଭାବେ ଗିନିଜ୍‌ ୱାର୍ଲ୍ଡ ରେକର୍ଡର ଦ୍ୱିତୀୟ ଟାଇଟଲ୍‌ ଦେଇଛି।

ଅନ୍‌ଭିଙ୍କ ସୃଜନଶୀଳତା କେବଳ ଲେଖା କିମ୍ବା ଭାଷଣରେ ସୀମିତ ନୁହେଁ। ମାତ୍ର ୨ ବର୍ଷ ବୟସରେ ସେ ୭୨ଟି ଚିତ୍ର ଆଙ୍କିଥିଲେ। ନିଜ ଭାବନାକୁ କଳା ମାଧ୍ୟମରେ ପ୍ରକାଶ କରିବା ତାଙ୍କ ପାଇଁ ଏକ ପ୍ରମୁଖ ମାଧ୍ୟମ ଥିଲା। ତାଙ୍କ ଚିତ୍ରଗୁଡ଼ିକ ମୁମ୍ବାଇ, ଗୁରୁଗ୍ରାମ ଏବଂ ଦୁବାଇ ୱାର୍ଲ୍ଡ ଆର୍ଟର ବିଭିନ୍ନ ପ୍ରଦର୍ଶନୀରେ ସ୍ଥାନ ପାଇଛି। ଅନ୍‌ଭି କେବଳ କଳା ଓ ସାହିତ୍ୟ ମାଧ୍ୟମରେ ନୁହେଁ, ପରିବେଶ ସୁରକ୍ଷା ନେଇ ମଧ୍ୟ କାମ କରୁଛନ୍ତି। ୨୦୨୧ରେ ସେ ‘ଅନଭି ହାପିନେସ୍ ଫାଉଣ୍ଡେସନ୍’ ପ୍ରତିଷ୍ଠା କରିଥିଲେ। ଏହି ପ୍ରୟାସ ମାଧ୍ୟମରେ ପିଲାମାନଙ୍କ ମଧ୍ୟରେ ପରିବେଶ ଅନୁକୂଳ ଉତ୍ସବ ପାଳନ ଏବଂ ସ୍ଥାୟୀ ଜୀବନଶୈଳୀ ସମ୍ପର୍କରେ ସଚେତନତା ସୃଷ୍ଟି ଉପରେ ଗୁରୁତ୍ୱ ଦିଆଯାଉଛି।

ଅନ୍‌ଭିଙ୍କ ଏହି ଅସାଧାରଣ ସଫଳତାକୁ ଗିନିଜ୍‌ ୱାର୍ଲ୍ଡ ରେକର୍ଡସ୍‌ ପକ୍ଷରୁ ମଧ୍ୟ ବିଶେଷ ସ୍ୱୀକୃତି ମିଳିଛି। ତାଙ୍କୁ ଲଣ୍ଡନସ୍ଥିତ ଗିନିଜ୍‌ ୱାର୍ଲ୍ଡ ରେକର୍ଡସ୍‌ ମୁଖ୍ୟାଳୟକୁ ନିମନ୍ତ୍ରଣ କରାଯାଇଥିଲା। ଆଗାମୀ ୨୦୨୭ ଗିନିଜ୍‌ ୱାର୍ଲ୍ଡ ରେକର୍ଡସ୍‌ ସଂସ୍କରଣରେ ‘Young Achiever’ ଭାବେ ଅନ୍‌ଭିଙ୍କ ପାଇଁ ଏକ ପୂରା ପୃଷ୍ଠା ସ୍ଥାନ ଦିଆଯିବ ବୋଲି ଜଣାପଡ଼ିଛି। ଦୁଇଟି ବିଶ୍ୱ ରେକର୍ଡ ହାସଲ କରିବାର ଅନୁଭୂତି କେମିତି ବୋଲି ପଚରାଯିବାରେ ଅନ୍‌ଭି ଏହାକୁ ମଜାଦାର ଭାବେ ଏକାଥରେ ଦୁଇଟି ଆଇସ୍‌କ୍ରିମ୍‌ ଖାଇବା ଭଳି ମିଠା ଓ ଚମତ୍କାର ବୋଲି କହିଛନ୍ତି। ମାତ୍ର ୬ ବର୍ଷ ବୟସରେ ପୁସ୍ତକ, କଳା, TEDx ଭାଷଣ ଏବଂ ପରିବେଶ ସଚେତନତା ଭଳି ବିଭିନ୍ନ କ୍ଷେତ୍ରରେ ଅନ୍‌ଭିଙ୍କ ଉଲ୍ଲେଖନୀୟ ପଦକ୍ଷେପ ତାଙ୍କୁ ଏକ ଅସାଧାରଣ ଶିଶୁ ପ୍ରତିଭା ଭାବେ ପରିଚିତ କରିଛି।

Leave A Reply

Your email address will not be published.