କାଠମାଣ୍ଡୁ: ନେପାଳର ଭୟଙ୍କର ବନ୍ୟାରେ ମୃତ୍ୟୁ ସଂଖ୍ୟା ୬୮୨ ରେ ପହଞ୍ଚିଛି। ଏଥିସହିତ ୩୦୦୦ରୁ ଅଧିକ ନିଖୋଜ ଥିବା ଜଣାପଡ଼ିଛି।
ରବିବାର ୫ମ ଦିନରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଉଦ୍ଧାରକାରୀମାନେ ଭଗ୍ନାବଶେଷ ଏବଂ ବଢ଼ୁଥିବା ପାଣିରେ ସଂଘର୍ଷ କରି ଶହ ଶହ ଲୋକଙ୍କୁ ଖୋଜୁଛନ୍ତି।
ରବିବାର କର୍ତ୍ତୃପକ୍ଷଙ୍କ ଦ୍ୱାରା ପ୍ରକାଶିତ ରିପୋର୍ଟ ଅନୁଯାୟୀ, ନେପାଳ ଏବଂ ତିବ୍ଦତରେ ମିଳିତ ମୃତକଙ୍କ ସଂଖ୍ୟା ୬୮୨ରେ ପହଞ୍ଚିଛି। ୩,୦୦୦ ରୁ ଅଧିକ ଲୋକଙ୍କର କୌଣସି ପତ୍ତା ମିଳିନାହିଁ। ନେପାଳରେ ଶହ ଶହ ବିଦେଶୀଙ୍କ ସମେତ ୨,୪୨୬ ଜଣ ନିଖୋଜ ଅଛନ୍ତି। ଯେତେବେଳେ କି ଚୀନ୍ କର୍ତ୍ତୃପକ୍ଷ ତିବ୍ଦତରେ ୧୬ ଜଣଙ୍କର ମୃତ୍ୟୁ ଏବଂ ୫୪୬ ଜଣ ନିଖୋଜ ଥିବା ସୂଚନା ଦେଇଛନ୍ତି।
ବୁଧବାର ଦିନ ହଠାତ୍ ଗ୍ଲେସିଆର ଧସିବା ପରେ ହିମାଳୟ ଉପତ୍ୟକା ଦେଇ ଜଳ ପ୍ରବାହ ଘର ଗୁଡ଼ିକୁ ଭସାଇ ନେବା ସହ ପ୍ରମୁଖ ଭିତ୍ତିଭୂମିକୁ କ୍ଷତିଗ୍ରସ୍ତ କରିବା ପରେ ଚୀନ୍-ନେପାଳ ସୀମାନ୍ତ ଅଞ୍ଚଳରେ ବନ୍ୟା ଆସିଥିଲା।ନେପାଳରେ ଏପର୍ଯ୍ୟନ୍ତ ୩,୭୦୦ ରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଛି।
ନେପାଳର ରାସୁୱା ଜିଲ୍ଲାରେ ଜଳବିଦ୍ୟୁତ ପ୍ରକଳ୍ପରେ ସୁଡଙ୍ଗ ଭିତରେ ଫସି ରହିଥିବା ଶ୍ରମିକମାନଙ୍କ ପାଖକୁ ଉଦ୍ଧାରକାରୀ ଦଳଗୁଡ଼ିକ ପହଞ୍ଚିବା ପାଇଁ ପ୍ରୟାସ ଜାରି ରଖିଛନ୍ତି। ସେହିପରି ତ୍ରିଶୁଳି 3A ସ୍ଥାନରେ ନେପାଳୀ ସେନା ସଫଳତାର ସହ ଏକ ସୁଡ଼ଙ୍ଗରେ ପାଇପ୍ ପ୍ରବେଶ କରାଇ ଏକ ଛୋଟ ଗାତ ଦେଇ ପବନ ପଠାଇବା ଆରମ୍ଭ କରିଛି। ତ୍ରିଶୁଳି 3A ଏବଂ 3B ସ୍ଥାନରେ ୧୦୦ରୁ ଅଧିକ ଶ୍ରମିକ ଫସି ରହିଥିବା ଅନୁମାନ କରାଯାଉଛି। ତଥାପି ବର୍ଷା ଏବଂ ନଦୀର ଜଳସ୍ତର ବୃଦ୍ଧି ଯୋଗୁଁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା।
ଉପର ତ୍ରିଶୁଳି-1 ଜଳବିଦ୍ୟୁତ ପ୍ରକଳ୍ପ ଏବଂ ଚୀନ୍ ପାର୍ଶ୍ୱରେ ଗୁରୁତର ଭାବରେ କ୍ଷତିଗ୍ରସ୍ତ ଗାଇରୋଙ୍ଗ ସୀମା କ୍ରସିଂରେ ମଧ୍ୟ ଉଦ୍ଧାରକାରୀମାନେ ଉଦ୍ଧାର କାର୍ଯ୍ୟ କରୁଛନ୍ତି। ନେପାଳ ସେନାର ମୁଖପାତ୍ର ବ୍ରିଗେଡିୟର ଜେନେରାଲ ରାଜା ରାମ ବାସନେଟ୍ କହିଛନ୍ତି ଯେ ଜଳବିଦ୍ୟୁତ ନିର୍ମାଣ ସ୍ଥାନରେ ପ୍ରୟାସ ଜାରି ରହିବ। ଯେଉଁଠାରେ ଘନ କାଦୁଅ ସୁଡ଼ଙ୍ଗ ଗୁଡ଼ିକରେ ଭର୍ତ୍ତି ହୋଇଯାଇଛି।


Comments are closed.