Latest Odisha News

BREAKING NEWS

Nepal Flood: ନେପାଳରେ ପୁଣି ବନ୍ୟା ଆଶଙ୍କା, ଘୁ ଘୁ କରି ମାଡି ଆସୁଛି ଭୋଟେକୋଶୀ ନଦୀ; NDRRMAର ସତର୍କ ସୂଚନା

କାଠମାଣ୍ଡୁ: ଭୟଙ୍କର ବନ୍ୟା ଓ ଭୂସ୍ଖଳନରେ ନେପାଳରେ ବ୍ୟାପକ ଧ୍ୱଂସ ପରେ ଏବେ ପୁଣିଥରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି। ଭୋଟେକୋଶୀ ନଦୀରେ ପ୍ରବଳ ଜଳପ୍ରବାହର ଶବ୍ଦ ଶୁଣାଯାଇଥିବାରୁ ନେପାଳର ନ୍ୟାସନାଲ ଡିଜାଷ୍ଟର ରିସ୍କ ରିଡକ୍ସନ୍ ଆଣ୍ଡ ମ୍ୟାନେଜମେଣ୍ଟ ଅଥରିଟି (NDRRMA) ପକ୍ଷରୁ ନଦୀ ନିକଟବର୍ତ୍ତୀ ଅଞ୍ଚଳବାସୀଙ୍କୁ ସତର୍କ ରହିବାକୁ କୁହାଯାଇଛି।

NDRRMA ପକ୍ଷରୁ କୁହାଯାଇଛି ଯେ, ରାସୁୱା ଜିଲ୍ଲା ପ୍ରଶାସନିକ କାର୍ଯ୍ୟାଳୟକୁ ଭୋଟେକୋଶୀ ନଦୀରେ ପାଣିର ପ୍ରବାହ ହଠାତ୍ ବଢ଼ିବା ଭଳି ଶବ୍ଦ ଶୁଣାଯାଇଥିବା ସୂଚନା ମିଳିଛି। ତେଣୁ ରାସୁୱା, ନୁୱାକୋଟ୍ ଓ ଧାଡିଙ୍ଗ ଜିଲ୍ଲାର ନଦୀ ଆଖପାଖ ଅଞ୍ଚଳରେ ଲୋକଙ୍କୁ ବିଶେଷ ସତର୍କତା ଅବଲମ୍ବନ କରିବାକୁ ଅନୁରୋଧ କରାଯାଇଛି। ଅଧିକ ସୂଚନା ମିଳିଲେ ପରବର୍ତ୍ତୀ ଅପଡେଟ୍ ଦିଆଯିବ ବୋଲି ମଧ୍ୟ କୁହାଯାଇଛି।

ନେପାଳରେ ହଠାତ୍ ଆସିଥିବା ବନ୍ୟା ଓ ଏହା ପରେ ସୃଷ୍ଟି ହୋଇଥିବା ବିପର୍ଯ୍ୟୟରେ ଏପର୍ଯ୍ୟନ୍ତ ପ୍ରାୟ ୭୦୦ ଜଣଙ୍କ ମୃତ୍ୟୁ ନିଶ୍ଚିତ ହୋଇଥିବା ଖବର ମିଳିଛି। ହଜାର ହଜାର ଲୋକ ଏବେ ବି ନିଖୋଜ ଅଛନ୍ତି। ବିଭିନ୍ନ ପ୍ରଭାବିତ ଅଞ୍ଚଳରେ ଉଦ୍ଧାର ଓ ରିଲିଫ୍ ଅଭିଯାନ ଜାରି ରହିଛି। ପୂର୍ବରୁ ତିବ୍ବତର ପାହାଡ଼ିଆ ଅଞ୍ଚଳରେ ବରଫର ଏକ ବଡ଼ ଅଂଶ ଭାଙ୍ଗି ପଡ଼ିବା ପରେ ଭୟଙ୍କର ପାଣି ପ୍ରବାହ ତଳ ଅଞ୍ଚଳକୁ ଆସିଥିବା କୁହାଯାଇଥିଲା। ପାଣି ସହ ବହୁ ପରିମାଣର କାଦୁଅ, ମାଟି, ବଡ଼ ବଡ଼ ପଥର ଓ ଅନ୍ୟାନ୍ୟ ଆବର୍ଜନା ବହି ଆସିବାରୁ ଅନେକ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଏବେ ତିବ୍ବତରେ ପୁଣି ସମାନ ପରିସ୍ଥିତି ସୃଷ୍ଟି ହୋଇଥିବା ଆଶଙ୍କା ଥିବାରୁ ନିମ୍ନ ଅଞ୍ଚଳକୁ ପୁଣି ବହୁ ପରିମାଣର ପାଣି ଓ ମଲବା ଆସିପାରେ ବୋଲି ଭୟ ବଢ଼ିଛି।

ରାସୁୱା ସୀମା ନିକଟସ୍ଥ ବେତ୍ରାବତୀ ଗାଁ ଭୋଟେକୋଶୀ ନଦୀର ପ୍ରବଳ ବନ୍ୟାରେ ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛି। ପ୍ରବଳ ଜଳସ୍ରୋତରେ ଏକ ଜଳବିଦ୍ୟୁତ ପ୍ରକଳ୍ପ, ଅନେକ ପୋଲ, ଚାଷଜମି, ରାସ୍ତା ଓ ଘର କ୍ଷତିଗ୍ରସ୍ତ ହୋଇଛି। ନଦୀର ପ୍ରସ୍ଥ ମଧ୍ୟ ଅନେକ ସ୍ଥାନରେ ବହୁଗୁଣ ବଢ଼ିଯାଇଛି। ପାହାଡ଼ ମଧ୍ୟରେ ପ୍ରବଳ ସ୍ରୋତ ଅନେକ ଧାରାରେ ବିଭକ୍ତ ହୋଇ ବହୁଛି। ଏହା ସହିତ ବଡ଼ ପଥର, ଗଛ ଓ ବିପୁଳ ପରିମାଣର ମଲବା ତଳ ଅଞ୍ଚଳକୁ ବହି ଆସିଛି।

ଅନେକ ରାସ୍ତା କାଦୁଅ ଓ ମଲବା ତଳେ ପୋତି ହୋଇଯାଇଥିବାରୁ ବିଭିନ୍ନ ଅଞ୍ଚଳ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। କିଛି ସ୍ଥାନକୁ ରିଲିଫ୍ ଓ ଉଦ୍ଧାର ଟିମ୍ କେବଳ ହେଲିକପ୍ଟର ମାଧ୍ୟମରେ ପହଞ୍ଚିପାରୁଛନ୍ତି। ଏତେ ବଡ଼ ଧ୍ୱଂସ ପରେ ଭିତ୍ତିଭୂମି ଓ ବସତିଗୁଡ଼ିକୁ ପୁଣି ସ୍ୱାଭାବିକ ଅବସ୍ଥାକୁ ଆଣିବାକୁ ଦୀର୍ଘ ସମୟ ଲାଗିବ ବୋଲି ଆଶଙ୍କା କରାଯାଉଛି। କିଛି ଆନ୍ତର୍ଜାତୀୟ ସଂଗଠନର କର୍ମୀ ମଧ୍ୟ ଏହି ବିପର୍ଯ୍ୟୟରେ ଜଳବାୟୁ ପରିବର୍ତ୍ତନର ଭୂମିକା ନେଇ ଚିନ୍ତା ପ୍ରକାଶ କରିଛନ୍ତି।

ନେପାଳର ଏହି ଭୟଙ୍କର ବନ୍ୟା ପରେ ୨୭୫ରୁ ଅଧିକ ଭାରତୀୟ ନାଗରିକ ନିଖୋଜ ଥିବା ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଏପର୍ଯ୍ୟନ୍ତ ୧୦୮ ଜଣ ଭାରତୀୟଙ୍କୁ ଉଦ୍ଧାର କରାଯାଇଛି। ଏହା ବ୍ୟତୀତ ଭାରତୀୟ ମୂଳର ୧୨୮ ଜଣ ଲୋକ ମଧ୍ୟ ନିଖୋଜ ଥିବା ସୂଚନା ମିଳିଛି। ଗତ ଦୁଇ ଦିନରେ ୫୯୮ ଜଣ ଭାରତୀୟ ନାଗରିକ ଚୀନ ଦେଇ ସୁରକ୍ଷିତ ଭାବେ ନେପାଳ ପାର ହୋଇଛନ୍ତି। ପ୍ରାୟ ୯୦୦ ଭାରତୀୟ ଏବେ ମଧ୍ୟ ଚୀନରେ ଅଛନ୍ତି। ସେମାନେ ସୁରକ୍ଷିତ ଥିବା ସହ ତାଙ୍କ ସହ ଯୋଗାଯୋଗ କରାଯାଇପାରୁଛି। ରାସୁୱାର ଏକ ଜଳବିଦ୍ୟୁତ ପ୍ରକଳ୍ପରୁ ରିପୁ କୁମାର, ଚନେଶ୍ୱର ନରଜରୀ, କୃପା ଶଙ୍କର ଓ ମହମ୍ମଦ ମିନହାଜୁଦ୍ଦିନ ନାମକ ୪ ଜଣ ଭାରତୀୟଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କୁ ଖୁବଶୀଘ୍ର କାଠମାଣ୍ଡୁ ନିଆଯିବାର ଆଶା ରହିଛି।

ବନ୍ୟା ବିପର୍ଯ୍ୟୟ ପରେ ଭାରତ ନେପାଳକୁ ଲଗାତାର ସହାୟତା ପଠାଉଛି। ଶନିବାର ଭାରତୀୟ ବାୟୁସେନାର C-130J ସାମରିକ ପରିବହନ ବିମାନ ଯୋଗେ ୧୧ ଟନ୍ ରିଲିଫ୍ ସାମଗ୍ରୀର ଚତୁର୍ଥ ପର୍ଯ୍ୟାୟ ନେପାଳ ପଠାଯାଇଛି। ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କରଙ୍କ ଅନୁସାରେ, ଏହି ବିମାନରେ ସର୍ଚ୍ଚ ଓ ରେସ୍କ୍ୟୁ ଅପରେସନ୍ ପାଇଁ ଆବଶ୍ୟକ ଉପକରଣ ସହ ଏକ ବୈଷୟିକ ଟିମ୍ ମଧ୍ୟ ଯାଇଛି। ଏହା ସହିତ ବନ୍ୟାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ପରିଚୟ ନିର୍ଣ୍ଣୟରେ ନେପାଳୀ କର୍ତ୍ତୃପକ୍ଷଙ୍କୁ ସହାୟତା ପାଇଁ DNA ବିଶ୍ଳେଷଣ ଓ ଫୋରେନସିକ୍ ଉପକରଣ ସହ ଫୋରେନସିକ୍ ବିଶେଷଜ୍ଞ ଟିମ୍ ମଧ୍ୟ ପଠାଯାଇଛି।

ଏହା ବ୍ୟତୀତ ୨୩୦ ଫୁଟ୍‌ର ସିଙ୍ଗଲ୍-ଲେନ୍ ମଡ୍ୟୁଲାର ଷ୍ଟିଲ୍ ବ୍ରିଜ୍ ନିର୍ମାଣ ପାଇଁ ଆବଶ୍ୟକ ଉପକରଣ ନେଇ ୧୬ଟି ଟ୍ରକ୍ ନେପାଳରେ ପହଞ୍ଚିଛି। ଆହୁରି ୭ଟି ବେଲି ବ୍ରିଜ୍ ନିର୍ମାଣ ପାଇଁ ଉପକରଣ ମଧ୍ୟ ଖୁବଶୀଘ୍ର ଯୋଗାଇ ଦିଆଯିବ। ଏହି ବ୍ରିଜ୍‌ଗୁଡ଼ିକ ସ୍ଥାପନ ପାଇଁ ବୈଷୟିକ ଟିମ୍ ମଧ୍ୟ ନେପାଳରେ ପହଞ୍ଚିବ ବୋଲି ଆଶା କରାଯାଉଛି।

ବର୍ତ୍ତମାନ ଭୋଟେକୋଶୀ ନଦୀରେ ପୁଣି ପ୍ରବଳ ଜଳପ୍ରବାହର ଆଶଙ୍କା ଦେଖାଦେବା ପରେ ନେପାଳ ପ୍ରଶାସନ ସତର୍କ ହୋଇଛି। ନଦୀ ନିକଟବର୍ତ୍ତୀ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନରେ ରହିବା ଓ ପ୍ରଶାସନର ପରବର୍ତ୍ତୀ ନିର୍ଦ୍ଦେଶକୁ ଅନୁସରଣ କରିବାକୁ କୁହାଯାଇଛି।

Leave A Reply

Your email address will not be published.