Latest Odisha News

BREAKING NEWS

‘ଟିକେଟ୍ କାଟିବାକୁ ଟଙ୍କା ନଥିଲା, ନିଜ ହାତରୁ ମୋ ପାଇଁ ଟିକେଟ୍ କାଟିଥିଲେ ମୋଦି…’; ମଜାଦାର ଅନୁଭୂତି ବଖାଣିଲେ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର

ବେଙ୍ଗାଲୁରୁ: ମେଟ୍ରୋରେ ଯାତ୍ରା ବେଳେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କ ପାଖରେ ଟିକେଟ୍ କିଣିବାକୁ ଟଙ୍କା ନଥିଲା। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ସ୍ମାର୍ଟ କାର୍ଡ ସ୍ୱାଇପ୍ କରି ତାଙ୍କ ପାଇଁ ଟିକେଟ୍ କିଣିଥିଲେ। ଏଭଳି ଏକ ରୋଚକ ଅନୁଭୂତି ନିଜେ ସାମ୍ବାଦିକଙ୍କ ଆଗରେ ବଖାଣିଛନ୍ତି ଶିବକୁମାର। ମେଟ୍ରୋ ଟିକେଟ୍ କାଉଣ୍ଟରରେ ଦୁଇ ନେତାଙ୍କ ମଧ୍ୟରେ ହୋଇଥିବା ଏହି ହାଲୁକା ମଜାମସ୍ତିର ଭିଡିଓ ମଧ୍ୟ ସାମ୍ନାକୁ ଆସିଥିଲା।

ଶିବକୁମାର କହିଛନ୍ତି, “ମୋ ପାଖରେ ନଗଦ ଟଙ୍କା ନଥିଲା। ମୁଁ ମୋଦିଜୀଙ୍କୁ ଏକଥା କହିବାରୁ ସେ ନିଜ କାର୍ଡ ମୋତେ ଦେଇଥିଲେ। ସେହି କାର୍ଡରେ ମୁଁ ସ୍ୱାଇପ୍ କରିଥିଲି। ମୋ ପାଖରେ ଟଙ୍କା ନଥିବାରୁ ମୋ ଟିକେଟ୍ ମଧ୍ୟ କାଟିଦେବାକୁ ତାଙ୍କୁ କହିଥିଲି। ଦେଖନ୍ତୁ, ସେହି କାର୍ଡରୁ ହିଁ ଟିକେଟ୍ ବାହାରିଥିଲା। ସେ ନିଜେ ନିଜ କାର୍ଡ ସ୍ୱାଇପ୍ କରିଥିଲେ।”

ସୂଚନାଯୋଗ୍ୟ, ଗତ ନଭେମ୍ବର ୧୩ ତାରିଖ ଶୁକ୍ରବାର ପ୍ରଧାନମନ୍ତ୍ରୀ ମୋଦି ବେଙ୍ଗାଲୁରୁ ମେଟ୍ରୋର ପିଙ୍କ୍ ଲାଇନ୍‌ର ଉଦ୍‌ଘାଟନ କରିଥିଲେ। ଏହି ଅବସରରେ କର୍ଣ୍ଣାଟକ ରାଜ୍ୟପାଳ ସୁଧା ଯାଦବ, ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର, ଉପମୁଖ୍ୟମନ୍ତ୍ରୀ, ବେଙ୍ଗାଲୁରୁ ଦକ୍ଷିଣ ସାଂସଦ ତେଜସ୍ୱୀ ସୂର୍ଯ୍ୟ ଏବଂ ମନ୍ତ୍ରୀ କେ.ବି. ଗୌଡ଼ା ଉପସ୍ଥିତ ଥିଲେ। ଉଦ୍‌ଘାଟନ ପରେ ମୋଦି ତାଭାରେକେରେ ଷ୍ଟେସନରୁ ଆଇଆଇଏମ୍ ବେଙ୍ଗାଲୁରୁ ଷ୍ଟେସନ ପର୍ଯ୍ୟନ୍ତ ମେଟ୍ରୋରେ ଯାତ୍ରା କରିଥିଲେ।

ଏହି ସମୟରେ ଦୁଇ ନେତାଙ୍କ ମଧ୍ୟରେ ଭଲ ସମନ୍ୱୟ ଓ ହାଲୁକା ମଜାମସ୍ତି ଦେଖିବାକୁ ମିଳିଥିଲା। ପିଙ୍କ୍ ଲାଇନ୍‌କୁ ସବୁଜ ପତାକା ଦେଖାଇବା ବେଳେ ମୋଦି ଶିବକୁମାରଙ୍କ ହାତ ଧରି ଉଭୟେ ମିଶି ମେଟ୍ରୋ ସେବାର ଶୁଭାରମ୍ଭ କରିଥିଲେ। ଅନ୍ୟ ଏକ ଫଟୋରେ ଶିବକୁମାର ମୋଦିଙ୍କ ଗାମୁଛା ଧରି ତାଙ୍କ ସହ କଥା ହେଉଥିବା ଦେଖାଯାଇଥିଲା।

ପ୍ରାୟ ୩,୪୭୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ବେଙ୍ଗାଲୁରୁ ମେଟ୍ରୋର ପିଙ୍କ୍ ଲାଇନ୍ କଲେନା ଅଗ୍ରହାରାକୁ ତାଭାରେକେରେ ସହ ଯୋଡ଼ିଛି। ଏହାର ନୂଆ ୭.୫ କିଲୋମିଟର ଅଂଶ ତାଭାରେକେରେରୁ ଆଇଆଇଏମ୍ ବେଙ୍ଗାଲୁରୁ ପର୍ଯ୍ୟନ୍ତ ରହିଛି। ଏହି ନୂଆ କରିଡର୍ ଆରମ୍ଭ ହେବା ଫଳରେ ସହରର ମେଟ୍ରୋ ନେଟୱର୍କ ବିସ୍ତାର ହେବା ସହ ଯାତ୍ରୀଙ୍କୁ ଯାତାୟାତ ପାଇଁ ଆଉ ଏକ ସୁବିଧା ମିଳିଛି।

Leave A Reply

Your email address will not be published.