ମୁମ୍ବାଇ: ଟେଲିଭିଜନର ଲୋକପ୍ରିୟ ରିଆଲିଟି ଶୋ’ ‘ବିଗ୍ବସ୍ ୨୦’ର ମଞ୍ଚରେ ଏଥର ଏକ ଭାବପ୍ରବଣ ମୁହୂର୍ତ୍ତ ଦେଖିବାକୁ ମିଳିଛି। ସବୁବେଳେ ନିଜର ଦମଦାର ଅନ୍ଦାଜ ଓ ମଜାଳିଆ କଥାବାର୍ତ୍ତା ପାଇଁ ଚର୍ଚ୍ଚାରେ ରହୁଥିବା ଶୋ’ର ହୋଷ୍ଟ ସଲମାନ ଖାନ୍ ଏଥର ଭାବୁକ ହୋଇପଡ଼ିଛନ୍ତି। ପ୍ରସିଦ୍ଧ ଗାୟକ ମୋହିତ ଚୌହାନଙ୍କ କଣ୍ଠରେ ନିଜ ବାପା ସଲିମ ଖାନ୍ଙ୍କ ଏକ ଫିଲ୍ମର ଗୀତ ଶୁଣି ସଲମାନଙ୍କ ଆଖି ଲୁହରେ ଛଳଛଳ ହୋଇଯାଇଛି।
ନଭେମ୍ବର ୮ ତାରିଖର ‘ୱିକେଣ୍ଡ୍ କା ୱାର୍’ ଏପିସୋଡ୍ରେ ମୋହିତ ଚୌହାନ୍ ସଲମାନଙ୍କ ସହ ମଞ୍ଚରେ ନଜର ଆସିବେ। ଦୀପାବଳିକୁ ଘରର ପ୍ରତିଯୋଗୀଙ୍କ ପାଇଁ ସ୍ମରଣୀୟ କରିବାକୁ ମୋହିତ ନିଜ ସୁମଧୁର ସ୍ୱରରେ ପରିବେଶକୁ ସଙ୍ଗୀତମୟ କରିବେ। ଏହାର ଏକ ପ୍ରୋମୋ ମଧ୍ୟ ନିର୍ମାତାଙ୍କ ପକ୍ଷରୁ ଜାରି କରାଯାଇଛି।
ପ୍ରୋମୋରେ ମୋହିତଙ୍କ ଗୀତ ଶୁଣି ସଲମାନ ତାଙ୍କର ଖୁବ୍ ପ୍ରଶଂସା କରୁଛନ୍ତି। ମୋହିତଙ୍କ ଗୀତ ମନକୁ ଶାନ୍ତି ଦିଏ ବୋଲି କହିବା ସହ ତାଙ୍କ ସ୍ୱରର ତାରିଫ୍ କରିଛନ୍ତି। ଏହାପରେ ମୋହିତ ସଲମାନଙ୍କୁ ଏକ ଅନୁରୋଧ କରି କହିଛନ୍ତି ଯେ, ତାଙ୍କ ବାପା ସଲିମ ଖାନ୍ଙ୍କ ଏକ ଫିଲ୍ମର ଗୀତର କିଛି ପଦ ସେ ଗାଇବାକୁ ଚାହୁଁଛନ୍ତି। ଏହାପରେ ସେହି ଗୀତର ଦୁଇ ଧାଡ଼ି ଗାଇବା ଆରମ୍ଭ କରିଥିଲେ। ମୋହିତଙ୍କ କଣ୍ଠରେ ଏହି ପୁରୁଣା ଗୀତ ଶୁଣିବା ମାତ୍ରେ ସଲମାନ ଭାବବିହ୍ୱଳ ହୋଇପଡ଼ିଥିଲେ। ତାଙ୍କ ଆଖିରେ ଲୁହ ଭରି ଆସିଥିବା ପ୍ରୋମୋରେ ଦେଖିବାକୁ ମିଳିଛି। ନଭେମ୍ବର ୭ ତାରିଖର ଏପିସୋଡ୍ରେ ମଧ୍ୟ ଏହି ପ୍ରୋମୋ ଦେଖାଯାଇଥିଲା। ତେବେ ବାପାଙ୍କ ଫିଲ୍ମର ଗୀତ ଶୁଣି ସଲମାନ ଏତେ ଭାବୁକ କାହିଁକି ହେଲେ, ତାହାର କାରଣ ଜାଣିବାକୁ ଦର୍ଶକଙ୍କ ମଧ୍ୟରେ ଉତ୍ସୁକତା ବଢ଼ିଛି। ପୂରା ଏପିସୋଡ୍ ପ୍ରସାରଣ ପରେ ହିଁ ଏହାର କାରଣ ସ୍ପଷ୍ଟ ହେବ।
