Latest Odisha News

BREAKING NEWS

ବସ୍ତରରେ ଯବାନଙ୍କ ସହ ଦୀପାବଳି ପାଳିଲେ ପ୍ରଧାନମନ୍ତ୍ରୀ, କହିଲେ…

ନୂଆଦିଲ୍ଲୀ: ଚଳିତ ବର୍ଷ ଯବାନଙ୍କ ସହ ଦୀପାବଳି ପାଳିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ଦୀପାବଳି ଅବସରରେ ଛତିଶଗଡ଼ ବସ୍ତରରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ । ସେଠାରେ ଯବାନମାନଙ୍କ ସହ ଦୀପାବଳି ପାଳିବା ସହ ସେମାନଙ୍କ ମନୋବଳ ବଢାଇଛନ୍ତି ସେ ।

ଏହି ଅବସରରେ ମୋଦି କହିଛନ୍ତି, ବସ୍ତରରେ ନକ୍ସଲଙ୍କ ଆତଙ୍କ ଶେଷ ହୋଇଛି ଏବଂ ବିକାଶ ଆରମ୍ଭ ହୋଇଛି। ଏଥରର ଦୀପାବଳି ସ୍ବତନ୍ତ୍ର, ଦେଶର ସବୁ ଜିଲ୍ଲା ନକ୍ସଲମୁକ୍ତ ହୋଇଛି । ନକ୍ସଲର ଭୟକୁ ଆମେ ପରାସ୍ତ କରିଛୁ, ଏହାର ଶ୍ରେୟ ଯବାନଙ୍କୁ ଯାଉଛି, ତେଣୁ ଦୀପାବଳି ପାଳିବାକୁ ମୁଁ ଆପଣଙ୍କ ପାଖକୁ ଆସିଛି କହିଛନ୍ତି ମୋଦି ।

୧୪୦ କୋଟି ଦେଶବାସୀଙ୍କ ପକ୍ଷରୁ ଆପଣଙ୍କ ତ୍ୟାଗ, ସେବାକୁ କୃତଜ୍ଞତା ଜଣାଉଛି। ଯଦି ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ମଜବୁତ୍ ଅଛି, ବାହାର ଶତ୍ରୁ କିଛି କରିପାରିବେ ନାହିଁ । ଦେଶକ ଏକତା, ଅଖଣ୍ଡତା ପାଇଁ ଆପଣଙ୍କ ତ୍ୟାଗ, ବଳିଦାନ ପ୍ରଶଂସନୀୟ । କୋଟି କୋଟି ଦେଶବାସୀ ଆପଣଙ୍କୁ ନେଇ ଗର୍ବ ଅନୁଭବ କରନ୍ତି ବୋଲି କହିଛନ୍ତି ମୋଦି ।

ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ମାଓବାଦୀ ବିରୋଧରେ ଏହି ଲଢ଼େଇ ସହଜ ନ ଥିଲା, ୨୦ ରାଜ୍ୟର ୨୩୦ରୁ ଅଧିକ ଜିଲ୍ଲା ନକ୍ସଲ ପ୍ରଭାବିତ ଥିଲା। ସଂଧ୍ୟା ହେବା ପରେ ଘରୁ ବାହାରିବା ଅସମ୍ଭବ ହୋଇ ପଡୁଥିଲା । ଭୋଟ୍ ଦେବା ଅଧିକାର ବି ଲୋକଙ୍କ ଠାରୁ ଏମାନେ ଛଡ଼ାଇ ନେଇଥିଲେ। ବର୍ଷକରେ ୨ ହଜାର ନକ୍ସଲ ଆକ୍ରମଣ ଘଟୁଥିଲା । ଏହି ମାଟି ଆମ ବୀର ଯବାନଙ୍କ ରକ୍ତରେ ଭିଜି ଯାଇଥିଲା । କିନ୍ତୁ ମହଲରେ ରହୁଥିବା ଲୋକଙ୍କ ଆଖିରୁ ଲୁହ ଝରି ନଥିଲା, ଦୁର୍ଭାଗ୍ୟର ବିଷୟ ସେତେବେଳର ସରକାର କିଛି କରିନଥିଲେ । ଆଦିବାସୀଙ୍କୁ ଅସହାୟ ଅବସ୍ଥାରେ ଛାଡ଼ି ଦେଇଥିଲେ ପୂର୍ବ ସରକାର । ୨୦୧୪ ପରେ ଅବସ୍ଥା ବଦଳିଲା, ତଥ୍ୟ ବି ବଦଳିଲା । ଦେଶକୁ ଆଗକୁ ନେବାକୁ ହେଲେ ଶତ୍ରୁକୁ ପରାସ୍ତ କରିବା ଆବଶ୍ୟକ କହିଛନ୍ତି ମୋଦି ।

୨୦୧୪ରେ କ୍ଷମତାକୁ ଆସିବା ପରଠାରୁ ପ୍ରଧାନମନ୍ତ୍ରୀ ମୋଦି ଦେଶର ବିଭିନ୍ନ ସ୍ଥାନରେ ଯବାନଙ୍କ ସହ ଦୀପାବଳି ପାଳନ କରି ଏହାକୁ  ପରମ୍ପରାରେ ପରିଣତ କରିଛନ୍ତି। ପ୍ରତିବର୍ଷ ମୋଦି ଏହି ଅବସରରେ ସାମରିକ କେନ୍ଦ୍ର ପରିଦର୍ଶନ କରନ୍ତି, ଯେଉଁଠାରେ ସେ ସୈନିକମାନଙ୍କ ସହ କଥାବାର୍ତ୍ତା କରିବା ସହ ଦୀପାବଳି ଉତ୍ସବ ପାଳିଥାନ୍ତି।

Leave A Reply

Your email address will not be published.