ନୂଆଦିଲ୍ଲୀ: ଦିଲ୍ଲୀରେ ବାୟୁ ପ୍ରଦୂଷଣ ସ୍ଥିତି ଅତ୍ୟନ୍ତ ଚିନ୍ତାଜନକ ହୋଇପଡ଼ିଛି । କଟକଣା ସତ୍ତ୍ୱେ ବାଣ ଫୁଟାଇବା ଯୋଗୁଁ ପ୍ରଦୂଷଣ ସ୍ତର ବୃଦ୍ଧି ପାଇଛି । ଆଜି ସକାଳ ୭ଟା ସୁଦ୍ଧା ଦିଲ୍ଲୀର ହାରାହାରି AQI ୩୮୪ ରେକର୍ଡ କରାଯାଇଛି । ନଭେମ୍ବର ୭ ତାରିଖରେ ଦୀପାବଳିର ଗୋଟିଏ ଦିନ ପୂର୍ବରୁ ଦିଲ୍ଲୀରେ ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ୩୬୫ ରେକର୍ଡ କରାଯାଇଥିଲା, ଯାହା ଅତ୍ୟନ୍ତ ଖରାପ ଶ୍ରେଣୀର ଅଟେ ।
ପ୍ରଦୂଷଣ ସହିତ ପାଗରେ ପରିବର୍ତ୍ତନ ମଧ୍ୟ ଚିନ୍ତା ସୃଷ୍ଟି କରୁଛି। ନଭେମ୍ବର ୭ ତାରିଖରେ ସର୍ବାଧିକ ତାପମାତ୍ରା ୩୦.୫ ଡିଗ୍ରୀ ସେଲସିୟସ୍ ଏବଂ ସର୍ବନିମ୍ନ ୧୬.୨ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଥିଲା। ନଭେମ୍ବର ୮ ତାରିଖରେ ସର୍ବାଧିକ ତାପମାତ୍ରା ପ୍ରାୟ ୨୯ ଡିଗ୍ରି ସେଲସିୟସ୍ ଏବଂ ସର୍ବନିମ୍ନ ୧୫ ଡିଗ୍ରୀ ସେଲସିୟସ୍ ରହିବା ନେଇ ଆଶା କରାଯାଉଥିଲା । ଯଦି ଆଗାମୀ ଦିନରେ ତାପମାତ୍ରା ଆହୁରି ହ୍ରାସ ପାଏ, ତେବେ ପ୍ରଦୂଷଣ ସମସ୍ୟା ଆହୁରି ଖରାପ ହୋଇପାରେ।
ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ କେବଳ CSIR-NEERI ଦ୍ୱାରା ପ୍ରମାଣିତ ଗ୍ରୀନ୍ ବାଣ ଫୁଟାଇବାକୁ ଅନୁମତି ଦିଆଯାଇଛି । ନଭେମ୍ବର ୮ ତାରିଖରେ ସକାଳ ୬ଟାରୁ ୭ଟା ଏବଂ ରାତି ୮ଟାରୁ ୧୦ଟା ପର୍ଯ୍ୟନ୍ତ ବାଣ ଫୁଟାଇବାକୁ ସମୟ ନିର୍ଦ୍ଧାରଣ କରାଯାଇଛି । ଏହାସହ ହସ୍ପିଟାଲ, ସ୍ୱାସ୍ଥ୍ୟ କେନ୍ଦ୍ର, ବୃଦ୍ଧାଶ୍ରମ ଏବଂ ଶିକ୍ଷାନୁଷ୍ଠାନର ୩୦୦ ମିଟର ପରିଧି ମଧ୍ୟରେ ବାଣ ଫୁଟାଇବା ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଯାଇଛି । ନିୟମ ଉଲ୍ଲଂଘନ କଲେ ବାଣ ଜବତ କରାଯିବା ସହ ବିକ୍ରେତାଙ୍କ ଲାଇସେନ୍ସ ରଦ୍ଦ ହୋଇପାରେ । ଏଥିସହ ପୋଲିସ ଏଫଆଇଆର୍ ରୁଜୁ କରି ଆଇନଗତ କାର୍ଯ୍ୟାନୁଷ୍ଠାନ ନେବ ।
ପ୍ରଦୁଷଣର ପ୍ରଭାବ କେବଳ ଦିଲ୍ଲୀ ପର୍ଯ୍ୟନ୍ତ ସୀମିତ ନୁହେଁ। ସିପିସିବି ତଥ୍ୟ ଅନୁଯାୟୀ, ହରିୟାଣା ଏବଂ ଉତ୍ତର ପ୍ରଦେଶର ଅନେକ ସହରରେ ବାୟୁ ଗୁଣବତ୍ତା ଅତ୍ୟନ୍ତ ଖରାପ ରହିଛି ।
