Latest Odisha News

BREAKING NEWS

ମାଡ଼ି ଆସୁଛି ଆଉ ଏକ ଲଘୁଚାପ;୧୪ରୁ ରାଜ୍ୟରେ ଝଡି ବର୍ଷା ସମ୍ଭାବନା

ଭୁବନେଶ୍ୱର:ଆସୁଛି ଆଉ ଏକ ଲଘୁଚାପ । ବଙ୍ଗୋପସାଗରରେ ଆସନ୍ତା ୧୩ ତାରିଖ ବେଳକୁ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଆସନ୍ତା ୧୪ ତାରିଖରୁ ରାଜ୍ୟରେ ଝଡି ବର୍ଷା ହେବା ନେଇ ସତର୍କ କରାଇଲା ପାଣିପାଗ ବିଭାଗ । ଥାଇଲାଣ୍ଡ ଉପସାଗର ଓ ଏହାର ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଥିବାରୁ ଏହାର ପ୍ରଭାବରେ ବଙ୍ଗୋପସାଗରରେ ପାଣିପାଗରେ ପରିବର୍ତ୍ତନ ହେବା ନେଇ ଆକଳନ କରାଯାଉଛି।

ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଥାଇଲାଣ୍ଡ ଉପସାଗର ଓ ଏହାର ନିକଟବର୍ତ୍ତୀ ଅଞ୍ଚଳରେ ସମୁଦ୍ର ପତ୍ତନଠାରୁ ପ୍ରାୟ ୭.୬ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ସହିତ ଅକ୍ଟୋବର ୧୧ ତାରିଖ ବେଳକୁ ଆଣ୍ଡାମାନ ସାଗର ଅଞ୍ଚଳରେ ଆଉ ଏକ ଉପର ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହି ଦୁଇ ପାଣିପାଗ ପ୍ରଣାଳୀର ପ୍ରଭାବରେ ଅକ୍ଟୋବର ୧୩ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇପାରେ।


ଆଗାମୀ ୨୪ ଘଣ୍ଟାରେ ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ବାଲେଶ୍ୱର, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା କିମ୍ବା ବଜ୍ରପାତ ସହ ପ୍ରବଳ ବର୍ଷା ହୋଇପାରେ । ଏନେଇ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ଆଲର୍ଟ ଜାରି କରାଯାଇଛି । ରାଜ୍ୟର ଅନ୍ୟ ଜିଲ୍ଲା ଗୁଡ଼ିକରେ ପାଗ ମୁଖ୍ୟତଃ ଶୁଖିଲା ରହିବାର ସମ୍ଭାବନା ରହିଛି । ଆଗାମୀ ୭ ଦିନ ମଧ୍ୟରେ ଦିନ ଓ ରାତ୍ରି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି ।

 

Leave A Reply

Your email address will not be published.