Latest Odisha News

BREAKING NEWS

ଭାଷା ଭାଗବତ : କ୍ରମିକ ପତନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ

‘କରିଲେ ଅତି ବେଶି ଚର୍ଚା
କାମରେ ରହିବ ଖଇଚା’
ଏହା ତ ଜଣାବୁଝା ସତ
ଅଲୋଡ଼ା ସବୁ ମତାମତ

ଲେଖିବା କାମ ଏକ କାର୍ଯ
ଏଯାଏଁ ହୋଇନି ସ୍ବୀକାର୍ଯ
କୁହାଳିଆ ପାଇଲେ ମାନ
ହୁଏ କର୍ମୀଂକ ଅପମାନ

ବଦଳାଇଲେ ମନୋଭାବ
ଯେ ଯାହା କରେ ତାହା ହେବ
କେବଳ ଚିଂତିଲେ, କହିଲେ
କିଛି ହୁଏନି କେବେ ହେଲେ

ଆମେ ତ ଚର୍ଚା-ଖୋର୍‌ ଲୋକ
ସ୍ବାନୁଭବରୁ ଜ୍ଞାନାଲୋକ
ପାଇବା ଅଭ୍ୟାସ କରିନୁ
ନିଜକୁ ନିଜେ ବି ଡରିନୁ

ଯାହିତାହି ସାରିଲେ କାମ
ନେଉଛୁଁ ସୁଦୀର୍ଘ ବିଶ୍ରାମ
ତୁଚ୍ଛ କଥାରେ ବେଳ ସାରି
ଥରକୁଥର ଯାଉଁ ହାରି

ପରାଜୟରୁ ଶିକ୍ଷା ନେଇ
କିଛି ଯେହେତୁ କରୁଁନାହିଁ
କଥା ଓ କାମରେ ପାର୍ଥକ୍ଯ
କରୁଛି ସଭିଂକୁ ଅଶକ୍ୟ

ଲୋକଂକ ଏହି ମନୋବୃତ୍ତି
ଯୋଗୁଁ ଘଟୁଛି ଯେତେ କ୍ଷତି
କେହି ତ କରିନି କଳନା
ସବୁଠି ଦିଶୁଛି ଛଳନା

ଉଦ୍ଦେଶ୍ଯହୀନ ଯେତେ କାର୍ଯ
ହେଲେ ହେଁ ସତରେ ନିବାର୍ଯ
ସେ ସବୁ କଲେ ବାରଂବାର
ଜୀବନ ହୁଏ ନାରଖାର

ବହୁ ମଧ୍ୟରୁ ଏକ ବାଛି
ଯିଏ ବି ତା’ ସହ ଲାଗିଛି
ତାହା ହିଁ ହୁଏ ଫଳପ୍ରଦ
ଯୋଗାଏ ସଂତୋଷ, ସଂପଦ

ବିଶ୍ବର ବିଶ୍ବାସଭାଜନ
ହେବାକୁ ଏଠି ସଭାଜନ
ବଳାଂତିନାହିଁ ଯେଣୁ ମନ
ଘଟୁଛି କ୍ରମିକ ପତନ

କେବଳ ଶୁଦ୍ଧ ସହଯୋଗ
ବଢ଼ାଏ ଭାଷାର ଗୌରବ
ଯାହାଠୁଁ ପାଉଛୁଁ ସୁବିଧା
ତାକୁ କେବେ ନ ଦେଉଁ ବାଧା

କଳ୍ପନା ଓ ପୂର୍ବାନୁମାନ
ପ୍ରଦୂଷିତ କରିଲେ ମନ
ବ୍ୟକ୍ତିର ନିଜସ୍ବ ଚିଂତନ
ମନରୁ କରେ ପଳାୟନ

Comments are closed.