Latest Odisha News

BREAKING NEWS

ଗଳ୍ପ : ସ୍ବପ୍ନ ବୃତ୍ତାନ୍ତ

ପ୍ରସେନଜିତ୍ ସେଠୀ 

ଆଜି ରାସ୍ତାଟା ଭାରି ଶୂନଶାନ। ହଁ ଏମିତି ନିର୍ଜନ ରାସ୍ତାରେ, ଏକା ଏକା ଆଗକୁ ବଢ଼ିବାକୁ ଭାରି ଭଲ ଲାଗେ। ଆହା ସେ ମଳୟ ପବନର ଶୀତଳତା, ଯୌବନର ଅନୁଭବକୁ ଆହୁରି ରୋମାଞ୍ଚିତ କରି ଦେଉଛି। ସାମ୍ନାରେ ସୂର୍ଯ୍ୟମୁଖୀ କ୍ଷେତରେ, ବାଳୁତ ସୂର୍ଯ୍ୟଙ୍କ କିରଣ, ଅନ୍ୟ ଏକ ସୂର୍ଯ୍ୟାଲୋକର ଭ୍ରମ ସୃଷ୍ଟି କରୁଛି। ଅନତି ଦୂରରେ ବହି ଯାଉଚି, ଶାନ୍ତ ତଟିନୀର ଏକ ତ୍ୱରିତ ଧାରଟିଏ, ତାର କୋମଳ କଳକଳ ନାଦ, ମନରେ ଆନ୍ଦୋଳନ ସୃଷ୍ଟି କରୁଛି। ମୁଁ ଚାଲିଛି ଆଗେଇ ଆଗେଇ, ବହୁତ୍ ଦୂରକୁ; ବୋଧେ ସାମ୍ନାରେ ଥିବା, ଶ୍ୟାମଳ ବସ୍ତ୍ର ପରିହିତା ଗମ୍ଭୀର ପାହାଡ଼ଟି ମୋତେ ହାତ ଠାରି ଡାକୁଛି ତା କୋଳକୁ, ବିତାଇବା ପାଇଁ କିଛି ସମୟ। ସତରେ ପାହାଡ଼ କେତେ ନୀରବ ନା, ବୋଧେ ତାହା ତାର ସହିଷ୍ଣୁତାର ପ୍ରତିଫଳନ। ସେ ସବୁବେଳେ ସେମିତି ନୀରବ ଥାଏ; ନା ବେଳେବେଳେ ଭୂ-କମ୍ପନର ତୀବ୍ର ଆଘାତରେ ସେ ଖିନ୍ ଭିନ୍ ହୋଇଯାଏ, ସେହି ଭୂସ୍ଖଳିତ ଭୂମିଖଣ୍ଡର ବସ୍ତୁତ୍ୱରେ ସେ ନିଶ୍ଚିହ୍ନ କରି ପକାଏ, ତା ବକ୍ଷରେ ଆଶ୍ରୟ ନେଇଥିବା ନିରୀହ ଜୀବଗୁଡ଼ାଙ୍କୁ। ଅବଶ୍ୟ ସେ ସେଥିପାଇଁ ଦାୟୀ ନୁହେଁ, ଯାହା ଖାଲି ପ୍ରକୃତିର ନିୟମରେ ଛନ୍ଦି ହୋଇ ସେ ଏମିତି ତାଣ୍ଡବ ରଚେ!

ଆରେ ଏସବୁ କଣ୍ ହେଉଛି! ହଠାତ୍ ଏ ଶାନ୍ତ ସ୍ନିଗ୍ଧ ପରିବେଶଟାରେ କଣ୍ ଏମିତି ତମସାର ଘନଛାୟା ଘେରି ଯାଉଛି! ଏଇ କିଛି ସମୟ ପୂର୍ବରୁ ଯେଉଁଠି ବାଳୁତ ସୂର୍ଯ୍ୟଙ୍କ ନରମ କିରଣ ବିଚ୍ଛୁରିତ ହୋଇ ପଡ଼ୁଥିଲା, ସେଠି ଅତି କଦାକାର କଳାମେଘଟା ଘୋଟି ଆସିଲା ଯେ!! ମୁଁ ସେମିତି ନିରୁପାୟ ହୋଇ ଚାହିଁଥାଏ, ମୋ ଆଗରେ ଏସବୁ ଅତ୍ୟନ୍ତ ଅସ୍ୱାଭାବିକ ଓ ନିହାତି ଅନିୟନ୍ତ୍ରିତ ଭାବରେ ଘଟି ଚାଲିଥାଏ। ପୁନଶ୍ଚ ଦେଖିଲି, ବତାସର ପ୍ରାବଲ୍ୟରେ, ସେହି ଶାନ୍ତ ନୀରବ ପାହାଡ଼ଟି ଖଣ୍ଡ ବିଖଣ୍ଡିତ ହେଇ ଯାଉଛି।

ଆରେ ହେଇତ, ସେ ପର୍ବତ ଶିଖରରୁ ଏକ ବିଶାଳ ଶିଳାଖଣ୍ଡ ମୋ ଆଡ଼କୁ ଅତ୍ୟନ୍ତ ଦୃତ ଗତିରେ ମାଡ଼ି ଆସୁଛି। ଶୀଘ୍ର ଏ ସ୍ଥାନ ଛାଡ଼ିବାକୁ ହେବ, ନହେଲେ ମୃତ୍ୟୁ ହିଁ ମୋର ଠିକଣା ହୋଇଯିବ। ମୋ ସ୍ତ୍ରୀ ପିଲା ଛୁଆ ବେସାହାରା ହୋଇଯିବେ, ସେମାନଙ୍କର ମୋ ପ୍ରତି ଅନେକ ଆଶା ଆଉ ସେମାନଙ୍କୁ ନେଇ ମୋର ଅନେକ ସ୍ବପ୍ନ। ଆରେ, ଏମିତି ଭାବିଲେ ହେବନି, ସେ ପଥର ଖଣ୍ଡଟି ଠିକ୍ ମୋ ଆଡ଼କୁ ମାଡ଼ି ଆସୁଛି। ମୁଁ ଦୌଡ଼ିବା ପାଇଁ ଚେଷ୍ଟା କଲି, ହେଲେ ଇଏ ତ ମୋର ସ୍ଵାଭାବିକ ଗତି ନୁହେଁ, ମୁଁ ନିହାତି ଭାବରେ ଏହାଠୁ ଜୋର୍ ଦୌଡ଼ିପାରେ, ସେଥିରେ କୌଣସି ସନ୍ଦେହ ନାହିଁ, କିନ୍ତୁ ଆଜି ଏ ବିପଦ ସମୟରେ ମୋ ପାଦ ଦୁଇଟି, କାହିଁକି ଏମିତି ଅଦ୍ଭୁତ ବ୍ୟବହାର କରୁଛନ୍ତି ଯେ!!

ଅତ୍ୟଧିକ ଜୋର୍ ଦେଇ ମୁଁ ଗତି କରିବାକୁ ଚେଷ୍ଟିତ ହୁଏ, ସେ ପଥର ଖଣ୍ଡଟି ମୋ ଉପର ଦେଇ ଗତି କରିଗଲା!! ତାର ଚାପରେ ଆସି ମୁଁ ଯନ୍ତ୍ରଣାରେ ଜର୍ଜରିତ ହୋଇଗଲି, ତଥାପି ବଞ୍ଚିଗଲି। ନା ବହୁତ୍ ସହିପାରେ ମୁଁ, ନହେଲେ ମୋଠାରୁ ଦଶ ଗୁଣ ଓଜନ ବିଶିଷ୍ଟ ପଥର ଖଣ୍ଡଟା ମୋର କିଛି ବି କରି ପାରିଲାନି ଯେ!! ହୃଦୟରୁ ଏକ ମନ ଖୋଲା ହସ ହସିବାକୁ ଚେଷ୍ଟା କଲି, ହେଲେ ୟେ ପୁଣି କଣ୍!! ଆହୁରି ଖଣ୍ଡେ, ପୂର୍ବଠାରୁ ଦଶ ଗୁଣ ଆକାରର ପଥର ସାମ୍ନାରୁ ଆସୁଛି ଯେ!! ନା ଏଥର ଆଉ ରକ୍ଷା ନାହିଁ, ଏଥର ନିଶ୍ଚୟ ମରିବି। ହେ ଭଗବାନ ରକ୍ଷା କର, ତୁମେ ହିଁ ସାହା ଭରସା!!

ରାତି ଦୁଇଟା ପଇଁତିରିଶ। ସବୁ ଠିକ୍ ଠାକ୍ ଅଛି। ଉଠିକି ଘରର ଆଲୁଅ ଜଳେଇଲି, ସବୁ ସେମିତି ସ୍ଵାଭାବିକ ଲାଗୁଛି। ପାଣି ପିଇଲି, ନିଜକୁ ଭଲ ଭାବେ ଛୁଇଁଲି; ହଁ ମୁଁ ଠିକ୍ ଅଛି। ସେ ପାହାଡ଼ ନାହିଁ। ସେ ଶିଳାଖଣ୍ଡ ନାହିଁ। ମୁଁ ଚାଲିବାକୁ ଚେଷ୍ଟା କଲି ଓ ପୂର୍ବାପେକ୍ଷା ଜୋର୍ ଚାଲି ପାରିଲି, ହୁଏତ ସେତେବେଳେ ଏତେ ଜୋର୍ ଚାଲି ପାରିଥିଲେ, ସେ ପଥରଖଣ୍ଡଟି ମୋତେ ଆଘାତ କରି ପାରି ନଥାନ୍ତା। ତାହେଲେ, ଏହା ଏକ ଦୁଃସ୍ୱପ୍ନ ଥିଲା!! ଘରର ଲାଇଟ୍ ଲିଭେଇ, ପୁଣି ଶୋଇବାକୁ ଚେଷ୍ଟା କଲି। କିଛି ସମୟ ଆଖି ବୁଜି ପଡ଼ି ରହିଲି, ହେଲେ ନିଦ ହେଲାନାହିଁ!!

ଏମିତି ବହୁତ୍ ସମୟ ଗଡପଡ଼ ହେଉଥାଏ। ରାତ୍ରିର ନୀରବତାକୁ ଭଙ୍ଗ କରି, ଭାବନାରେ ଚଞ୍ଚଳତା ଖେଳିଗଲା। ମନେ ମନେ ଅନେକ କଥା ଭାବି ଚାଲିଥାଏ। ଆଖିକୁ ଆଉ ନିଦ ନଥାଏ। ଅନେକ ଥର ଶୋଇବାକୁ ଚେଷ୍ଟା କରି ବିଫଳ ହେଲି। ମୁଁ ଅତ୍ୟନ୍ତ ଚିନ୍ତାମଗ୍ନ ହୋଇଗଲି। ବାଲ୍ୟକାଳର ସୁଖମୟ ଦିନଗୁଡ଼ାକ ଆଖି ଆଗରେ ନାଚି ଯାଉଥିଲା, ଓଃ କି ଖୁସିର ଦିନ ଗୁଡ଼ାକ, ନା ଦାୟିତ୍ୱ ଥିଲା ନା ଚିନ୍ତାର ବୋଝ। ଆଉ ଥରେ ଫେରି ଆସନ୍ତାନି!! ପୁଣି ମନେ ପଡୁଥାଏ କଲେଜ୍ ସମୟର ସେ ଅଭୁଲା ମୂହୁର୍ତ୍ତମାନ। ନା ସେସବୁ ଅତୀତ, ଯେତେ ଖୋଜିଲେ ବି ଫେରି ଆସିବନି। ନିଜର ବର୍ତ୍ତମାନକୁ ନେଇ ବଞ୍ଚିବାକୁ ହେବ। ହେଲେ କେମିତି ବଞ୍ଚିବି!! ଏ ବଞ୍ଚିବା ତ ମୃତ୍ୟୁ ସହ ନିରବଚ୍ଛିନ୍ନ ଲୁଚକାଳି ଖେଳ, ଦିନେ ନା ଦିନେ ସେ ଯୁଦ୍ଧ ହାରିବାକୁ ହେବ, ତାହେଲେ ବଞ୍ଚିକି ଲାଭ କଣ!!

“ବି ପ୍ରାକ୍ଟିକାଲ୍ ୟଙ୍ଗ ମ୍ୟାନ୍!! ବି ପ୍ରାଗ୍ମାଟିକ୍। ବି ପଜିଟିଭ।” ଇଏ କିଏ ମୋତେ ଉପଦେଶ ଦେଉଛି। ରାତ୍ରିର ନିର୍ଜନତାରେ, ମୋର ଅସହାୟତାକୁ ଉପହାସ କରିବାର ସାହସ କିଏ କରିପାରେ!! ମୋର ଚିନ୍ତା କଣ୍ ଅବାସ୍ତବ, ନିହାତି ଅମୂଳକ?? କେମିତି ପ୍ରାକ୍ଟିକାଲ୍ ହେବି। କେମିତି ପଜିଟିଭ ହେବି?? ଦିନକୁ ଦିନ ଦାୟିତ୍ୱର ବୋଝଗୁଡ଼ା ବଢ଼ିବାରେ ଲାଗିଛି ଯେ। କାଲି କେବଳ ପତ୍ନୀଙ୍କ କଥା ବୁଝିବାକୁ ପଡ଼ୁଥିଲା, ତାପରେ ଛୁଆ, ଛୁଆଙ୍କ ପାଠପଢା, ଉଚ୍ଚଶିକ୍ଷା, ପୁଣି ବିବାହ ଏମିତି ଅନେକ କିଛି।

ସତରେ ସେ ପାହାଡ଼ର ଶିଳାଖଣ୍ଡଗୁଡ଼ା ପ୍ରକୃତ ସତ୍ୟ। ବେଳେବେଳେ ଲାଗେ ପ୍ରଥମ ପଥର ଖଣ୍ଡଟା ଅତିକ୍ରାନ୍ତ କରିଗଲେ ସବୁ ହାଲକା ହୋଇଯିବ, ହେଲେ କେବେ ଅଲକ୍ଷ୍ୟରେ ଦ୍ଵିତୀୟ ପଥର ଖଣ୍ଡଟା ଅତ୍ୟନ୍ତ ଦୃତ ଗତିରେ ମାଡ଼ିଆସେ ପୂର୍ବାପେକ୍ଷା ବିଶାଳ ରୂପଧାରଣ କରି। ନା ଏ ବୋଝଗୁଡ଼ା ହିଁ କେବଳ ଜୀବନର ସତ୍ୟ। ଆଉ ସୁଖ ବୋଲି କିଛି ନାହିଁ। ଆଜି ଅମୁକ କର, କାଲି ସମୁକ କର, ହୋଇ ହୋଇ ଜୀବନ ବିତିଯିବ, ହେଲେ ସେ ତାଲିକାର ଅନ୍ତ କେବେ ଘଟିବ ନାହିଁ!! ଜୀବନ ପ୍ରତି ବୀତସ୍ପୃହତା ଆସି ଯାଇଥାଏ, ସତରେ ଏ ଜୀବନ ନିରର୍ଥକ, ମୂଲ୍ୟହୀନ, ନିହାତି ଜାନ୍ତବ। ମୋ ମନଟା ନୈରାଶ୍ୟରେ ଭରିଗଲା। ମୁଁ ପୁଣି ଶୋଇବାକୁ ଚେଷ୍ଟା କଲି।

ମନଟା ଅନାବନା ଭାବନାରେ ଅସ୍ଥିର ହୋଇ ପଡୁଥାଏ। ତୀବ୍ର ନୈରାଶ୍ୟରେ ମୁଁ ନିଜକୁ ଧିକ୍କାରୁଥାଏ, ଭଗବାନଙ୍କୁ ଦୋଷ ଦେଉଥାଏ, ଏମିତି ଏକ ଜୀବନ ଭେଟି ଦେଇଥିବାରୁ। କୋଉଠି ଗୋଟେ ମୋର ନଜର ପଡିଲା, ମୁଁ ବିସ୍ମିତ ହୋଇ ଅନାଇଥାଏ। ମୋ ରୁମ୍ ର ଅନ୍ଧକାରକୁ ଅଟ୍ଟହାସ୍ୟ କରି, ଜୁଳୁଜୁଳିଆ ପୋକଟିଏ ଉଡ଼ି ଯାଉଥାଏ ଦିଶାହୀନ ଭାବରେ। ଆରେ ସତେ ତ!! ନିହାତି କ୍ଷୁଦ୍ର ଜୀବଟିଏ, ହେଲେ ସେ ତାର କ୍ଷୁଦ୍ରତାକୁ ବେଖାତିର କରି, କେମିତି ତାକୁ ଘେରି ରହିଥିବା, ତାର କ୍ଷୁଦ୍ର ବ୍ରହ୍ମାଣ୍ଡଟାକୁ ଆଲୋକିତ କରି ଦେଉଛି!! ସେ କଣ କେବେ ନିଜ ସାମର୍ଥ୍ୟକୁ ନେଇ ମୋ ଭଳି ହତୋତ୍ସାହିତ ହୋଇପାରେ!! ନା, କେବେ ନୁହେଁ, ନହେଲେ ସେ ଏତେ ନକ୍ଷତ୍ରମାନଙ୍କ ଅପରିମିତ ଆଲୋକ ଆଗରେ, ନିଜର ଜ୍ୟୋତି ପ୍ରକାଶ କରିବା ପାଇଁ ନିହାତି ଲଜ୍ଜାବୋଧ କରନ୍ତା!! ମୋ ଜୀବନ କଣ ଏଇ କ୍ଷୁଦ୍ର ଜୀବଠାରୁ କେବେ ହୀନ ହୋଇପାରେ!! ଓଠରେ ଅଜାଣତରେ ଏକ ସ୍ମିତହାସ୍ୟ ଖେଳିଗଲା। ମନ ହାଲୁକା ହୋଇଗଲା। ମୋର ସମସ୍ତ ନୈରାଶ୍ୟମାନ ବିଦାୟ ନେଲେ। ମୋର ଆଖି ଲାଗିଗଲା।

ଏଥର ପୁଣି ମୁଁ ନିଜକୁ ସେ ରାସ୍ତାରେ ଆବିଷ୍କାର କଲି। ଏଥର କିନ୍ତୁ ସେ ରାସ୍ତା କଡ଼ର ସୋନ୍ଦର୍ଯ୍ୟକୁ ବାଧାପ୍ରାପ୍ତ କରିବା କୌଣସି ପ୍ରାକୃତିକ ଦୁର୍ବିପାକ ଆସିଲା ନାହିଁ। ମୁଁ ଅକ୍ଳାନ୍ତ ଭାବରେ ଆଗକୁ ଆଗକୁ ପାହୁଣ୍ଡ ପକେଇ ଚାଲିଥାଏ, କେଉଁ ଏକ ଲକ୍ଷ୍ୟହୀନ ଉଦ୍ଦେଶ୍ୟ ନେଇ!

ବାଲିଆ, ଗୋପୀନାଥପୁର, ଜଗତସିଂହପୁର
ମୋ-୮୦୧୮୪୦୪୯୭୨

Comments are closed.