ଭୁବନେଶ୍ୱର: ନିକଟରେ ଉଦ୍ଧାର ହୋଇଥିବା ପାଞ୍ଚ ଶିଶୁ ଓରାଙ୍ଗୁଟାନ୍ ମଧ୍ୟରୁ ଗୋଟିଏ ଜ୍ୱରରେ ପୀଡ଼ିତ ଅଛି। ଏନେଇ ଭୁବନେଶ୍ୱରସ୍ଥିତ ନନ୍ଦନକାନନ ପ୍ରାଣୀଉଦ୍ୟାନର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।
ଚିଡ଼ିଆଖାନା କର୍ତ୍ତୃପକ୍ଷ କହିଛନ୍ତି ଯେ ଏହି ପ୍ରାଣୀଟିର ଶରୀରର ତାପମାତ୍ରା ଉଚ୍ଚ ରହୁଛି। ତା ଉପରେ ତୀକ୍ଷ୍ମ ନଜର ରଖିଛନ୍ତି ଡାକ୍ତରୀ ଟିମ୍। ଏଥିସହିତ ଚିଡ଼ିଆଖାନା ପକ୍ଷରୁ ସେମାନଙ୍କ ଯତ୍ନ ଭଲଭାବେ କରାଯାଉଛି।
ଅପରପକ୍ଷରେ ଗ୍ୟାସ୍ ସମସ୍ୟା ଦେଖାଦେବା ପରେ ଏହି ଓରାଙ୍ଗଉଟାନ ମାନଙ୍କୁ ପ୍ରତି ତିନି ଘଣ୍ଟାରେ ଥରେ ଖାଦ୍ୟ ଦିଆଯାଉଛି। ମଶା ପ୍ରବେଶ ରୋକିବା ଏବଂ ଏମାନଙ୍କ ପାଇଁ ଏକ ସୁରକ୍ଷିତ ପରିବେଶ ବଜାୟ ରଖିବା ଉଦ୍ଦେଶ୍ୟରେ ସେମାନଙ୍କୁ ରଖାଯାଇଥିବା କ୍ୱାରେଣ୍ଟାଇନ୍ କକ୍ଷ ଚାରିପାଖରେ ତାରର ଜାଲି ଲଗାଯାଇଛି।ଗୋଟିଏ ଓରାଙ୍ଗୁଟାନ୍ର ଜ୍ୱର ହେବା ପରେ ଚିକିତ୍ସା ଦଳକୁ ସତର୍କ କରାଯାଇଛି।ଉକ୍ତ ପ୍ରାଣୀର ସ୍ୱାସ୍ଥ୍ୟାବସ୍ଥା ଉପରେ କଡ଼ା ନଜର ରଖାଯିବା ସହ ଆବଶ୍ୟକୀୟ ଯତ୍ନ ମଧ୍ୟ ପ୍ରଦାନ କରାଯାଉଛି।
ଉଲ୍ଲେଖଯୋଗ୍ୟ, ବାଲେଶ୍ୱର ଜିଲ୍ଲାର ଏକ ଜଙ୍ଗଲରୁ ଚଳିତ ସପ୍ତାହ ଆରମ୍ଭରେ ଉଦ୍ଧାର କରାଯାଇଥିବା ପାଞ୍ଚଟି ଓରାଙ୍ଗଉଟାନ ଛୁଆଙ୍କ ସେବା ଓ ଯତ୍ନ ପାଇଁ ଓଡ଼ିଶା ସରକାର ଏକ ପାଞ୍ଚ-ସଦସ୍ୟ ବିଶିଷ୍ଟ ବୈଷୟିକ କମିଟି ଗଠନ କରିଛନ୍ତି। ଏହି କମିଟିର ସଦସ୍ୟମାନଙ୍କ ମଧ୍ୟରେ ମହୀଶୂରସ୍ଥିତ ଶ୍ରୀ ଚାମରାଜେନ୍ଦ୍ର ପ୍ରାଣୀ ଉଦ୍ୟାନର ଜଣେ ପଶୁ ଚିକିତ୍ସା ଅଧିକାରୀ, ଡେରାଡୁନ୍ସ୍ଥିତ ୱାଇଲ୍ଡଲାଇଫ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ଜଣେ ପ୍ରତିନିଧି ଏବଂ ଭୁବନେଶ୍ୱରସ୍ଥିତ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (OUAT) ଅଧୀନସ୍ଥ ସେଣ୍ଟର ଫର୍ ୱାଇଲ୍ଡଲାଇଫ୍ ହେଲଥର ପ୍ରୋଜେକ୍ଟ କୋ-ଅର୍ଡିନେଟର ଅନ୍ତର୍ଭୁକ୍ତ ଅଛନ୍ତି।
ତେବେ ଆନ୍ତର୍ଜାତିକ ବନ୍ୟଜନ୍ତୁ ଚୋରାଚାଲାଣ ମାମଲାର ଚେର ମ ପଡ଼ୋଶୀ ପଶ୍ଚିମବଙ୍ଗ ପର୍ଯ୍ୟନ୍ତ ଲମ୍ବିଥିବା ସ୍ପଷ୍ଟ ହୋଇଛି । ଏହି ଘଟଣାରେ ମୁଖ୍ୟ ସନ୍ଦିଗ୍ଧ ଭାବେ ପଶ୍ଚିମବଙ୍ଗ ଦୀଘାର ଜଣେ ହୋଟେଲ ମାଲିକ ଓ ତାଙ୍କ ପୁଅ ଥିବା ଜଣାପଡ଼ିଛି।


Comments are closed.