Latest Odisha News

BREAKING NEWS

ବର୍ଷା ଦିନେ କାର୍ ଭିତରୁ ବାହାରୁଛି କି ଗନ୍ଧ? ପୁରୁଣା ଖବରକାଗଜର ଏହି ସହଜ ଟ୍ରିକ୍ ବଞ୍ଚାଇବ ହଜାର ହଜାର ଟଙ୍କା

ନୂଆଦିଲ୍ଲୀ: ବର୍ଷା ଦିନେ କିମ୍ବା ସାଧାରଣ ଦିନରେ ଓଦା ଜୋତା ଏବଂ ଛତା ନେଇ କାର୍ ଭିତରେ ବସିଲେ ଅନେକ ସମୟରେ କାର୍‌ର ତଳଭାଗ ଓଦା ହୋଇଯାଏ । ବର୍ଷା ପାଣି ବ୍ୟତୀତ ଅନେକ ସମୟରେ କାର୍‌ର ଏସି ପାଇପ୍ ଲିକ୍ ହେବା କାରଣରୁ କିମ୍ବା ପିଲାମାନେ ଭୁଲବଶତଃ ପାଣି ବୋତଲ ଢାଳିଦେଲେ ମଧ୍ୟ ସମାନ ସମସ୍ୟା ଉପୁଜିଥାଏ । ଫଳରେ କାର୍‌ର ଫ୍ଲୋର୍ ମ୍ୟାଟ୍ ସବୁବେଳେ ସନ୍ତସନ୍ତିଆ ରହିବା ସହ ଭିତରେ ଏକ ପ୍ରକାର ଅସହ୍ୟ ଦୁର୍ଗନ୍ଧ ସୃଷ୍ଟି ହୁଏ। କିନ୍ତୁ ଏହି ସମସ୍ୟାରୁ ମୁକୁଳିବା ପାଇଁ ଆପଣଙ୍କ ଘରେ ପଡ଼ିଥିବା ପୁରୁଣା ଖବରକାଗଜ ଏକ ରାମବାଣ ସାବ୍ୟସ୍ତ ହୋଇପାରିବ ।

ଆବଦ୍ଧ କାର୍ ଭିତରେ ଓଦାଳିଆ ପରିବେଶ ରହିଲେ ସେଥିରେ ଫଙ୍ଗସ୍ ଓ ବ୍ୟାକ୍ଟେରିଆ ସୃଷ୍ଟି ହେବାର ଆଶଙ୍କା ଯଥେଷ୍ଟ ଅଧିକ ଥାଏ, ଯାହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ। ଏହା କେବଳ ଦୁର୍ଗନ୍ଧ ସୃଷ୍ଟି କରେ ନାହିଁ, ବରଂ ଲଗାତାର ତଳଭାଗ ଓଦା ରହିଲେ କାର୍‌ର ଅସଲି କାର୍ପେଟ୍ ନଷ୍ଟ ହୋଇଯାଏ । ସବୁଠାରୁ ବଡ଼ ବିପଦ ହେଉଛି, ପାଣି ଧୀରେ ଧୀରେ କାର୍‌ର ମେଟାଲ୍ ବା ଲୁହା ଚଟାଣକୁ ଭେଦି କଳଙ୍କି ଲଗାଇଦିଏ। ଥରେ କଳଙ୍କି ଲାଗିବା ଆରମ୍ଭ ହେଲେ ପରବର୍ତ୍ତୀ ସମୟରେ ମରାମତି ବାବଦକୁ ହଜାର ହଜାର ଟଙ୍କା ଖର୍ଚ୍ଚାନ୍ତ ହେବାକୁ ପଡ଼ିଥାଏ ।

ଏହି ବଡ଼ ସମସ୍ୟାର ସମାଧାନ ପାଇଁ ଏକ ଅତି ସାଧାରଣ ଏବଂ ବିନା ଖର୍ଚ୍ଚର ଉପାୟ ହେଉଛି ଖବରକାଗଜର ବ୍ୟବହାର । କାର୍‌ର ସିଟ୍ ତଳେ ଥିବା ରବର କିମ୍ବା ଫ୍ୟାବ୍ରିକ୍ ମ୍ୟାଟ୍‌କୁ କାଢ଼ି, ତା’ ତଳେ ୨ରୁ ୩ ସ୍ତର ପୁରୁଣା ଖବରକାଗଜ ବିଛାଇ ଦିଅନ୍ତୁ । ଏହା ଉପରେ ପୁଣିଥରେ ନିଜ ମ୍ୟାଟ୍ ପକାଇ ଦିଅନ୍ତୁ ।

ଖବରକାଗଜର ଶୋଷଣ କ୍ଷମତା ଅନ୍ୟ କାଗଜ ତୁଳନାରେ ବହୁତ ଅଧିକ । ଏହା କାର୍‌ର ତଳ ଭାଗରେ ଥିବା ସମସ୍ତ ଓଦା ଅଂଶ ଏବଂ ମଏଶ୍ଚରକୁ ଖୁବ୍ ଶୀଘ୍ର ଶୋଷି ନେଇଥାଏ । କେବଳ ପାଣି ନୁହେଁ, କାଗଜରେ ବ୍ୟବହୃତ ହୋଇଥିବା କାଳି ଓ ତାର ଗୁଣବତ୍ତା କାର୍ ଭିତରେ ଥିବା ଦୁର୍ଗନ୍ଧକୁ ମଧ୍ୟ ନିୟନ୍ତ୍ରଣ କରିବାରେ ବେଶ୍ ସହାୟକ ହୋଇଥାଏ । ତେବେ ଗୋଟିଏ କଥା ଧ୍ୟାନ ରଖିବେ ଯେ ପ୍ରତିଦିନ କିମ୍ବା ଦୁଇ ଦିନରେ ଏହି ଓଦା ଖବରକାଗଜକୁ କାଢ଼ି ସେହି ସ୍ଥାନରେ ନୂଆ ଶୁଖିଲା କାଗଜ ପକାଇବେ । ଯେପର୍ଯ୍ୟନ୍ତ କାର୍‌ର କାର୍ପେଟ୍ ସମ୍ପୂର୍ଣ୍ଣ ଶୁଖିନାହିଁ, ସେଯାଏଁ ଏହି ପ୍ରକ୍ରିୟା ଜାରି ରଖନ୍ତୁ ।

ଏହି ସହଜ କୌଶଳ ଆପଣଙ୍କୁ ମହଙ୍ଗା କାର୍ ୱାସିଂ ବା ଡିଟେଲିଂ ଖର୍ଚ୍ଚରୁ ବଞ୍ଚାଇବା ସହ କାର୍ ଭିତରର ପରିବେଶକୁ ସତେଜ ରଖିବ । ଆଗକୁ ଯଦି ଆପଣଙ୍କ ଗାଡ଼ିରେ ଏଭଳି ସମସ୍ୟା ଦେଖାଦିଏ, ତେବେ ଥରେ ନିଶ୍ଚୟ ଏହି ଘରୋଇ ଟ୍ରିକ୍ ଆପଣେଇ ଦେଖନ୍ତୁ ।

Leave A Reply

Your email address will not be published.